www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ଆତ୍ମହତ୍ୟା ପ୍ରବଣତା

କରୋନା ମହାମାରୀ ହେତୁ ଜନଗଣନା ସମ୍ଭବପର ହୋଇପାରି ନ ଥିଲେ ମଧ୍ୟ ବୈଦେଶିକ ମନ୍ତ୍ରାଳୟର ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ଯାହାଫଳରେ ଭାରତ ସମଗ୍ର ବିଶ୍ବରେ ଚୀନ ପରେ ଅଧିକ ଜନ ସାନ୍ଦ୍ରତା ବିଶିଷ୍ଟ ରାଷ୍ଟ୍ର ଓ ଏଥିସହିତ ବିଶ୍ବ ମୋଟ୍ ଯୁବବର୍ଗର ଏକ ପଞ୍ଚମାଂଶ ଭାରତରେ ବସବାସ କରନ୍ତି। ସେମାନଙ୍କ ହାରାହାରି ବୟସ ୨୯ ବୟସ ରହିଛି। ଗତ ମେ ପାଞ୍ଚ ତାରିଖରେ ପ୍ରକାଶିତ ହୋଇଥିବା ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର ରାଷ୍ଟ୍ରୀୟ ବିବରଣୀ ଅନୁସାରେ ଜନସଂଖ୍ୟାର ୫୨ ଶତାଂଶ ଲୋକଙ୍କ ବୟସ ୩୦ ବର୍ଷରୁ କମ ରହିଛି । ପନ୍ଦର ବର୍ଷରୁ ଚାଳିଶ ବର୍ଷ ମଧ୍ୟରେ ପୁରୁଷ ଓ ମହିଳାମାନଙ୍କ ଅନୁପାତ ପ୍ରାୟ ୯ ଶତାଂଶରୁ ୧୧ ଶତାଂଶ ମଧ୍ୟରେ ରହିଛି।

ଭାରତୀୟ ଯୁବବର୍ଗ ମାନସିକ ଶାନ୍ତି ହରାଇ କ୍ରମଶଃ ଆତ୍ମହତ୍ୟା ପରି ଜୀବନର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାରେ ଲାଗିଛି। ମାନସିକ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଆତ୍ମହତ୍ୟା ମାନସିକ ଅବସାଦର ଶେଷ ପରିଣତି। ୨୦୨୦ର ତଥ୍ୟ ଅନୁସାରେ ହାରାହାରି ଦେଶରେ ପ୍ରତ୍ୟେକ ବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ୧୩୯୧୨୩ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ୧୫୦୦୫୨ ଜଣ ଆତ୍ମହତ୍ୟା କରିଥଲେ। ଭାରତରେ ପ୍ରତିଦିନ ପ୍ରାୟ ୪୧୯ ଜଣ ଲୋକ ଆତ୍ମହତ୍ୟା କରନ୍ତି। ଦେଶରେ ଆତ୍ମହତ୍ୟାର ହାର ୧୧.୩ ଶତାଂଶ ଥିବା ବେଳେ ହତ୍ୟା ହାର ମାତ୍ର ୨.୨ ଶତାଂଶ ରହିଛି। ଅର୍ଥାତ୍‌ ହତ୍ୟାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଆତ୍ମହତ୍ୟା ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାଠାରୁ ଢେର ଅଧିକ। ୨୦୧୯ ତୁଳନାରେ ଆତ୍ମହତ୍ୟା ହାର (ପ୍ରତି ଏକ ଲକ୍ଷ ଲୋକରେ ଆତ୍ମହତ୍ୟା ଘଟଣା)ରେ ଦଶଶତାଂଶ ବୃଦ୍ଧି ହୋଇଛି। ଭାରତରେ ମହାରାଷ୍ଟ୍ର (୧୩%), ତାମିଲନାଡୁ (୧୧%), ପଶ୍ଚିମବଙ୍ଗ (୯.୫%), ମଧ୍ୟପ୍ରଦେଶ (୮.୬%) ଓ କର୍ଣ୍ଣାଟକ (୮%)ରେ ଆତ୍ମହତ୍ୟା ହାର ଅଧିକ ରହିଛି। ଓଡ଼ିଶାରେ ଆତ୍ମହତ୍ୟା ହାର ୩.୬% ରହିଛି। ୨୦୨୦ରେ ଓଡ଼ିଶାରେ ୫୫୪୬ଟି ଆତ୍ମହତ୍ୟା ଘଟଣା ପଞ୍ଜିକୃତ ହୋଇଥିଲା। କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୩୧୪୨ଟି ଆତ୍ମହତ୍ୟା ଘଟଣା ପଞ୍ଜିକୃତ ହୋଇଛି।

- Advertisement -

ଅଠର ବର୍ଷରୁ କମ ନାବାଳିକାମାନେ ଅଧିକ ଆତ୍ମହତ୍ୟା କରନ୍ତି। ବିବରଣୀ ଅନୁସାରେ ଏହି ବର୍ଗରେ ୨୦୨୦ରେ ୫୩୯୨ ନାବାଳକ ଆତ୍ମହତ୍ୟା କରିଥିବାବେଳେ ୬୦୦୪ ନାବାଳିକା ଆତ୍ମହତ୍ୟା କରିଥିଲେ। ସେହିପରି ୧୮ରୁ ୩୦ ବର୍ଷ ମଧ୍ୟରେ ୩୪୬୨୯ ଯୁବକ ଆତ୍ମହତ୍ୟା କରିଥିବାବେଳେ ୧୮୦୭୩ ଯୁବତୀଙ୍କ ସଂଖ୍ୟା।
ଯଦି ଆତ୍ମହତ୍ୟାର କାରଣକୁ ଅନୁଧ୍ୟାନ କରାଯାଏ ତେବେ ସର୍ବାଧିକ ଲୋକ ପାରିବାରିକ ସମସ୍ୟା ହେତୁ ଆତ୍ମହତ୍ୟା କରୁଛନ୍ତି ବୋଲି ପ୍ରମାଣିତ ହୋଇଛି। ମୋଟ୍ ପଞ୍ଜିକୃତ ହୋଇଥିବା ଆତ୍ମହତ୍ୟା ଘଟଣାର ୩୩.୬ ଶତାଂଶ କେବଳ ପାରିବାରିକ ହିଂସା ଓ କନ୍ଦଳ ହେତୁ ଘଟୁଛି। ବିଭିନ୍ନ ପ୍ରକାରର ବ୍ୟାଧିର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ୧୮ ଶତାଂଶ ଆତ୍ମହତ୍ୟା ଘଟୁଛି । ସେହିପରି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟରେ ଆସକ୍ତ ହୋଇ ୬%, ବୈବାହିକ ଜୀବନରେ ସମସ୍ୟା ହେତୁ ୫%, ପ୍ରେମରେ ବିଫଳତା ହେତୁ ୪.୪ %, ଋଣ ସମସ୍ୟା ହେତୁ ୩.୪ %, ବେକାରୀ ହେତୁ ୨.୩ %, ପରୀକ୍ଷାରେ ଅକୃତକାର୍ଯ୍ୟ ହେତୁ ୧.୪%, ବୃତ୍ତିଗତ ସମସ୍ୟା ହେତୁ ୧.୨% ଓ ଦାରିଦ୍ର୍ୟର କଷ୍ଟରେ ୧.୨% ଆତ୍ମହତ୍ୟା ଘଟିଥାଏ।

ବୃତ୍ତି ଓ ଆତ୍ମହତ୍ୟା ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ପ୍ରମାଣ ମିଳିଛି। ଆୟର ସ୍ରୋତ ଯେତେ ପ୍ରଭାବିତ ହୁଏ ଆତ୍ମହତ୍ୟା ଘଟଣା ମଧ୍ୟ ବୃଦ୍ଧି ହୁଏ। ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହାର ଲାଭ ଦେଖିବା ସମ୍ଭବ ହେଉନାହିଁ। ସର୍ବାଧିକ ଦିନ ମଜୁରିଆମାନଙ୍କ ମଧ୍ୟରୁ ୨୪.୬% ଆତ୍ମହତ୍ୟା କରୁଥିବା ବେଳେ ଗୃହିଣୀମାନଙ୍କ କ୍ଷେତ୍ରରେ ଏହା ୧୪.୬% ରହିଛି। ସ୍ୱରୋଜଗାରୀମାନଙ୍କ ମଧ୍ୟରେ ଏହା ୧୧.୩% ଥିବାବେଳେ ସମ୍ପୂର୍ଣ୍ଣ ଭାବରେ ବେକାରୀମାନଙ୍କ କ୍ଷେତ୍ରରେ ଏହା ୧୦.୨% ରହିଛି। ନିୟମିତ ଭାବରେ ଦରମା ପାଉଥିବା ଲୋକମାନଙ୍କ ମଧ୍ୟରେ ୯.୭% ଥିବାବେଳେ ୮.୨% ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଥିଲେ। କୃଷି କ୍ଷେତ୍ରରେ ନିୟୋଜିତ ଥିବା ୭% ଶ୍ରମିକ ଆତ୍ମହତ୍ୟା କରିଥଲେ। ୨୨ ଜଣ କିନ୍ନର ମଧ୍ୟ ଆତ୍ମହତ୍ୟା କରିଥିଲେ। ଏଥିସହିତ କରୋନା ମହାମାରୀ ମଧ୍ୟ ଆତ୍ମହତ୍ୟା ସମସ୍ୟାକୁ ଅଧିକ ଜଟିଳ କରିଛି। ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ଓ ତନ୍ତ୍ରିକା ବିଜ୍ଞାନ ସଂସ୍ଥାନର ଏକ ବିବରଣୀ ଅନୁସାରେ ୩୦ରୁ ୫୯ ବର୍ଷ ବର୍ଗର ୫୦ ଶତାଂଶ ଲୋକମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ପ୍ରଥମ ସପ୍ତାହ ପରେ ଆତ୍ମହତ୍ୟା କରିଥିଲେ। ଏହାର କାରଣ ଥିଲା ଏକାନ୍ତବାସର ଭୟ, ସାମାଜିକ ବାସନ୍ଦ ଓ ଭେଦଭାବ, ଆର୍ଥିକ ସଙ୍କଟ ଓ ସର୍ବୋପରି ମାନସିକ ଅବସାଦ ଓ ଚାପ । ତେଣୁ ଉପରୋକ୍ତ ସମସ୍ତ ପ୍ରକାରର ଆତ୍ମହତ୍ୟାର କାରଣଗୁଡ଼ିକୁ ତର୍ଜମା କରିଲେ ଅତି ସହଜରେ ହୃଦୟଙ୍ଗମ କରିହୁଏ ଯେ ସରକାରଙ୍କ ଦୁର୍ବଳ ନୀତି, ଭିତ୍ତିଭୂମି ଓ ସାଧନର ଅଭାବ ମୁଖ୍ୟତଃ ବୃଦ୍ଧି ପାଉଥିବା ଆତ୍ମହତ୍ୟା ପାଇଁ ଦାୟୀ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ମାନସିକ ଶାନ୍ତି ପାଇଁ ଉଚିତ ଓ ନିୟମିତ ଭାବରେ ଆଲୋଚନାଚକ୍ର ପରାମର୍ଶ ଶିବିର ଆୟୋଜନ କରିବାର ଆବଶ୍ୟତା ଅନୁଭବ କରାଯାଏ। ଏଥିସହିତ ପାଠ୍ୟକ୍ରମରେ ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ବିଷୟ ବସ୍ତୁକୁ ମଧ୍ୟ ସାମିଲ କରିବା ଦ୍ୱାରା ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତାକୁ ବିରାମ ଦିଆ ଯାଇପାରିବ।

ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଭାରତରେ ବୟସ୍କମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ମାନସିକ ବ୍ୟାଧି ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବାରେ ଲାଗିଛି; କିନ୍ତୁ ମାନସିକ ସ୍ବାସ୍ଥ୍ୟର ଉନ୍ନତି ନିମନ୍ତେ ସରକାରଙ୍କ ନିର୍ଦିଷ୍ଟ ନୀତି କିମ୍ବା ଭିତ୍ତିଭୂମି ନାହିଁ। ୨୦୧୭ ପୂର୍ବରୁ ଭାରତୀୟ ପିଙ୍ଗଳ ଧାରା ୩୦୯ ଅନୁଯାଇ ଆତ୍ମହତ୍ୟାକୁ ଏକ ଅପରାଧ ରୂପେ ବିବେଚନା କରାଯାଉଥିଲା। ତେଣୁ ବହୁତ ଆତ୍ମହତ୍ୟା ଘଟଣା ଥାନାରେ ପଞ୍ଜିକୃତ ହେଉନଥିଲା। ଯାହା ଫଳରେ ଭାରତରେ ଆତ୍ମହତ୍ୟାର ପ୍ରକୃତ ହାର ଓ କାରଣ ସହଜରେ ଜଣା ପଡୁ ନ ଥିଲା; କିନ୍ତୁ ଏହାପରେ ମାନସିକ ସ୍ବାସ୍ଥ୍ୟ ଯତ୍ନ ଅଧିନିୟମ ଗୃହୀତ ହେବାପରେ ଏହି ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି। ଜାତିସଂଘ ନିରନ୍ତର ବିକାଶ ଲକ୍ଷ୍ୟ ଧାରା ତୃତୀୟରେ ଆତ୍ମହତ୍ୟାକୁ ୨୦୩୦ ସୁଦ୍ଧା ଏକ ତୃତୀୟାଂଶ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ବାସ୍ଥ୍ୟ ସେବା କେବଳ ଶାରୀରିକ ସ୍ବାସ୍ଥ୍ୟ ଉପରେ କେନ୍ଦ୍ରୀଭୂତ ନ ହୋଇ ମାନସିକ ସ୍ବାସ୍ଥ୍ୟର ଉନ୍ନୟନ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

କୌଣସି ପ୍ରକାରର ମାନସିକ ବ୍ୟାଧିକୁ ଭୂତ ପିଶାଚମାନଙ୍କ ଆକ୍ରମଣ, ବଂଶଗତ ଇତ୍ୟାଦିର ଆଖ୍ୟା ଦେଇ ତାକୁ ଅବହେଳା ନକରି ଉଚିତ୍ ନିରାକରଣ ଓ ଚିକିତ୍ସା କରାଯାଇ ପାରିଲେ ଭାରତରେ ଆତ୍ମହତ୍ୟା ହାର ନିଶ୍ଚିତ ଭାବରେ ହ୍ରାସ ପାଇବ। ସେହିପରି ଦାରିଦ୍ର୍ୟ, ବେକାରୀ ଦୂରୀକରଣ ସହିତ ଶିକ୍ଷା, ଖାଦ୍ୟ ସୁରକ୍ଷା ଯୋଜନା, ପରିବାରରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶକୁ ବଜାୟ ରଖିବା ପାଇଁ ପରାମର୍ଶ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories