www.samajalive.in
Monday, December 15, 2025
17.1 C
Bhubaneswar

ହାଜତ ମୃତ୍ୟୁ: ଗଣତନ୍ତ୍ର ବିଫଳ ହେବାର ନମୁନା

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଏହାର ପ୍ରାୟ ୬୦ରୁ ୭୦ ଭାଗ ଲୋକଙ୍କଠାରୁ ଦୂରେଇଗଲାଣି । ଏହି ଲୋକଙ୍କ ମଧ୍ୟରେ ଅଛନ୍ତି ଏ ଦେଶର ଚାଷୀ, ଦଳିତ, ଆଦିବାସୀ, ମୁସଲମାନ, ସହରର ଛୋଟ ଦୋକାନୀ, ଶ୍ରମିକ, ଠେଲା ବେପାରୀ ଓ ସେମାନଙ୍କ ପରିବାର । ଅଥଚ ଭୋଟ ଦେଉଥିବା ସମଗ୍ର ୬୦ରୁ ୭୦ ପ୍ରତିଶତ ଭୋଟଦାତାଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଭୋଟଦାତା ଏହି ବର୍ଗର। ବିଭିନ୍ନ ରାଲି, ଧାରଣା, ସରକାରୀ ମିଟିଂ ଓ ସରକାରୀ ଅଭିଯାନରେ ଏହି ବର୍ଗ ଦେଖାଯାଇଥା’ନ୍ତି । ଶାସକମାନେ ପୁଣି ସମସ୍ତ ପ୍ରତିଶ୍ରୁତି ଏହି ବର୍ଗକୁ ଦେଇଥାନ୍ତି । ଏହି ବର୍ଗ ଲାଗି ଅନେକ ଯୋଜନା କରୁଥିବାର ଦାବି ମଧ୍ୟ କରନ୍ତି । ଆମ ସମାଜରେ ଏହି ବର୍ଗ ଦେଶର ଅର୍ଥନୀତିରେ ସକ୍ରିୟ ଥିବା କାରଣରୁ ସମଗ୍ର ଅର୍ଥନୀତି କମ୍ପାନୀଙ୍କ ଦ୍ବାରା ଅଧିକୃତ ହୋଇନାହିଁ। ଏହି ହେତୁ ମଧ୍ୟବିତ୍ତ ବର୍ଗ ଅନ୍ତତଃ କିଛି ସଞ୍ଚୟ କରିପାରୁଛି; ଅଥଚ ଆପଣ ଯଦି ଜଣେ ଡାକ୍ତର, ଇଞ୍ଜିନିୟର, ସାମ୍ବାଦିକ ଅଥବା କୌଣସି ଆୟକର ଦାତା ହୋଇନଥାନ୍ତି କିମ୍ବା କୌଣସି ସରକାରୀ ଦଳର ପଦରେ ନଥାନ୍ତି, ତେବେ ଗଣତନ୍ତ୍ରର ବିଭିନ୍ନ ଅନୁଷ୍ଠାନ ଯଥା ପୁଲିସ, ପ୍ରଶାସନ ଓ ନ୍ୟାୟାଳୟଠାରୁ ମଣିଷ ଭଳି ବ୍ୟବହାର ପାଇବା ମଧ୍ୟ ସହଜ ନୁହେଁ ।

ସର୍ବୋଚ୍ଚ ନ୍ୟାୟାଳୟ ଏକଥା ସ୍ବୀକାର କରିଛନ୍ତି ଯେ ପୁଲିସର ଅନୁସନ୍ଧାନ ସମୟରେ ହିଁ ଅଧିକ ହାଜତ ମୃତ୍ୟୁ ଘଟିଛି। ବିଭିନ୍ନ ତଥ୍ୟ ଅନୁସନ୍ଧାନ ରିପୋର୍ଟ ଅନୁସାରେ, ଅଧିକାଂଶ ମୃତ ବ୍ୟକ୍ତି କୌଣସି ଏକ ଛୋଟ ଚୋରି ମାମଲାରେ ପୁଲିସ ଦ୍ବାରା ଥାନାକୁ ଜବରଦସ୍ତି ଅଣାଯିବା ପରେ ସେହି ବ୍ୟକ୍ତିର ମୃତ୍ୟୁ ଘଟିଛି । ଯଦି ସେ ପୁଲିସ ହାଜତରେ ମୃତ୍ୟୁ ହୋଇଥାଏ ତେବେ ତାହାକୁ ଗଣମାଧ୍ୟମରେ ଆତ୍ମହତ୍ୟା କରିଥିବା କୁହାଯାଏ ଓ ବ୍ୟକ୍ତି ଜଣକୁ ଯଦି ସେହି ଭିତରେ ବିଚାର ବିଭାଗ ହାଜତକୁ (ଜେଲ) ପଠାଇଦିଆଯାଇଥାଏ ଓ ତାହାର ସେଠାରେ ମୃତ୍ୟୁ ଘଟେ ତେବେ ‘ପୂର୍ବର ଅସୁସ୍ଥତା’ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ଦର୍ଶାଯାଇଥାଏ। ହାଜତରେ ମୃତ୍ୟୁ ଘଟୁଥିବା ଲୋକ ମୁଖ୍ୟତଃ ଦଳିତ, ଆଦିବାସୀ, ମୁସଲମାନ, ଉଭୟଲିଙ୍ଗୀ,ଏକୁଟିଆ ମହିଳା ଓ ବସ୍ତିବାସିନ୍ଦା; କିନ୍ତୁ ହାଜତ ମୃତ୍ୟୁରେ ଶିକାର ହେଉଥିବା ବ୍ୟକ୍ତି କଦାପି ସ୍ବଚ୍ଛଳ ପରିବାର କିମ୍ବା ରାଜନୈତିକ ଦଳର ପ୍ରଭାବଶାଳୀ ସଦସ୍ୟ ହୋଇନଥାନ୍ତି, ବରଂ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବା ଲାଗି ସଂଗଠିତ କରାଉଥିବା କୌଣସି ରାଜନୈତିକ କର୍ମୀ ହୋଇଥାଇପାରନ୍ତି ।

- Advertisement -

କୌଣସି ବି ହାଜତ ମୃତ୍ୟୁର ଚବିଶ ଘଣ୍ଟା ମଧ୍ୟରେ ରିପୋର୍ଟ କରିବା ଲାଗି ଜାତୀୟ ମାନବିକ ଅଧିକାର ଆୟୋଗ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ତାହା ଯଥେଷ୍ଟ ନ ହେବା କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ଥାନା ଓ ଜେଲରେ ସିସିଟିଭି କ୍ୟାମେରା ଖଞ୍ଜିବା, ଗିରଫ ସମୟରେ ପୁଲିସ ଅଧିକାରୀ ନିଜେ ନାମ ଫଳକ ଲଗାଇବା ଓ ଗିରଫ ବ୍ୟକ୍ତିର ପରିବାରଙ୍କୁ ତୁରନ୍ତ ଜଣାଇବା ଇତ୍ୟାଦି ନିର୍ଦ୍ଦେଶ ଜାରିକରିଛନ୍ତି । ନ୍ୟାୟିକ ପ୍ରକ୍ରିୟା ଅନୁସାରେ ‘ଅଭିଯୁକ୍ତ’ ଜଣକ ଗିରଫ ହେବା ମାତ୍ରେ ଜେଲକୁ ଆସିବା ପୂର୍ବରୁ ପ୍ରଥମେ ଜଣେ ଡାକ୍ତର ଓ ପରେ ନିମ୍ନ କୋର୍ଟର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ; ଯାହାଦ୍ୱାରା ପୁଲିସ ହେପାଜତରେ ଥିଲାବେଳେ ତାଙ୍କ ଉପରେ କୌଣସି ଅତ୍ୟାଚାର ହୋଇନଥିବା ସ୍ପଷ୍ଟ ହେବ। ଏହା ସତ୍ତ୍ବେ ବିଚାର ବିଭାଗ ହାଜତରେ ବା ଜେଲରେ ମାତ୍ର ଚବିଶ ଘଣ୍ଟା ମଧ୍ୟରେ ଯେତେବେଳେ କୌଣସି ‘ଅଭିଯୁକ୍ତ’ର ମୃତ୍ୟୁ ଘଟୁଛି ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ କ’ଣ ନିର୍ଦିଷ୍ଟ ବିଚାରପତିଙ୍କ ବିପକ୍ଷରେ ହତ୍ୟା ପାଇଁ ଦାୟୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ହୁଅନ୍ତା ନାହିଁ କି? ସେଭଳି ପଦକ୍ଷେପ ନେବା ଦୂରର କଥା, ଅଦାଲତ କେବେ କୌଣସି ବିଚାରପତିଙ୍କ ବିପକ୍ଷରେ ସାମାନ୍ୟତମ ଟିପ୍ପଣୀ ମଧ୍ୟ ଦେଇନାହାନ୍ତି । ଅଥଚ ନାଗରିକ ସମାଜରେ ହାଜତ ମୃତ୍ୟୁ ଯେ ସବୁଠାରୁ ସାଂଘାତିକ ଅପରାଧ, ଏ କଥା କିନ୍ତୁ ନ୍ୟାୟାଳୟ କହିବା ଲାଗି ଭୁଲୁନାହାନ୍ତି ।

‘ଅଭିଯୁକ୍ତ’ ଜଣକ ଯେବେ ଗିରଫ ହୁଅନ୍ତି ତୁରନ୍ତ ଏକ ଡାକ୍ତରଙ୍କ ନିକଟରେ ତାହାଙ୍କର ଡାକ୍ତରୀ ପରୀକ୍ଷା ପାଇଁ ହାଜର କରାଯାଇଥାଏ; କିନ୍ତୁ ସେତେବେଳେ ତାଙ୍କ ନିକଟରେ କୌଣସି ବେମାର ଥିବା ଉଲ୍ଲେଖ ନଥାଏ; କିନ୍ତୁ ପରେ ସେ ବିଚାର ବିଭାଗ ହାଜତରେ ମୃତ୍ୟୁବରଣ କରିବା ପରେ ‘ଗୁରୁତର ବେମାରୀ’ ରହିଥିବା କଥା ଉଲ୍ଲେଖ ରହେ । ‘ଅଭିଯୁକ୍ତ’ର ମୃତ୍ୟୁ ହେବା ପରେ ତାଙ୍କର ଶବ ବ୍ୟବଚ୍ଛେଦ କକ୍ଷକୁ ନିଜ ସମ୍ପର୍କୀୟମାନଙ୍କୁ ଛାଡି ଦିଆଯାଇନଥାଏ। ଶବ ବ୍ୟବ‌େ‌ଚ୍ଛଦର ସମସ୍ତ କାମ ସଫାଇ କର୍ମଚାରୀ ଜଣକ ହିଁ କରିଥାନ୍ତି । ଭିଡିଓ କ୍ୟା​‌େ​‌ମରାର ମୁହଁ କଦାପି ଶବର ଶରୀର ଆଡକୁ ନଥାଏ। ଏହା ପରେ ଡାକ୍ତରଙ୍କ ରିପୋର୍ଟରେ ରହେ ଯେ ମୃତବ୍ୟକ୍ତିର ଶରୀରରେ କୌଣସି ଦାଗ ନଥିଲା । କିନ୍ତୁ ପରିବାର ଲୋକେ ଶବକୁ ନେବା ପରେ ଏଥିରେ ଅନେକ ଦାଗ ରହିଥିବା କଥା ଦର୍ଶାଇଥା’ନ୍ତି ଓ ସେମାନେ ଅଭିଯୋଗ ମଧ୍ୟ ଦାଏର କରିଥା’ନ୍ତି ।

ଏ କ୍ଷେତ୍ରରେ ଡାକ୍ତରଙ୍କ ପ୍ରାଥମିକ ରିପୋର୍ଟକୁ କ’ଣ କେବେ ପ୍ରଶ୍ନ କରାଯାଇଛି? ଏପରିକି ପରିବାରର ଅଭିଯୋଗ ଆଧାରରେ ନା ଅଦାଲତ ଦ୍ବିତୀୟ ବାର ଶବ ବ୍ୟବଚ୍ଛେଦ ଲାଗି ନିର୍ଦ୍ଦେଶ ଦିଅନ୍ତି ନା ଡାକ୍ତରଙ୍କ ଏହି ସନ୍ଦେହଜନକ ଭୂମିକା ବିପକ୍ଷରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଜ୍ୟ ମେଡିକାଲ କର୍ପୋରେସନ ବା ଜାତୀୟ ସ୍ତରରେ ଥିବା ଜାତୀୟ ମେଡିକାଲ କମିସନ (ପୂର୍ବର ମେଡିକାଲ କାଉନସିଲ) କୌଣସି ତଦନ୍ତ କରନ୍ତି। ଜାତୀୟ ମାନବିକ ଅଧିକାର ଆୟୋଗ ମଧ୍ୟ ସମ୍ପୃକ୍ତ ଡାକ୍ତରଙ୍କ ସମ୍ପର୍କରେ ନିରବ ରହୁଛନ୍ତି । ସମସ୍ତେ ଧରିନେଇଥାନ୍ତି ଯେ ଏ ଭଳି ମାମଲା ଚାଲିଲେ କିଛି କ୍ଷତିପୂରଣ ବ୍ୟତୀତ ବିଶେଷ କିଛି ନ୍ୟାୟ ସେହି ପରିବାରକୁ ମିଳିବାର ନାହିଁ । ପରେ ଡାକ୍ତର ରିପୋର୍ଟର ଆଧାରରେ ଅପରାଧୀ କର୍ମଚାରୀ ଜଣକ ଦୋଷମୁକ୍ତ ହୋଇଥା’ନ୍ତି; କାରଣ ମୂଳ ଲୋକଟି ଗରିବ ଶ୍ରେଣୀର ହୋଇଥାଏ ।

‘ଅଭିଯୁକ୍ତ’ ଜଣକର ହାଜତରେ ମୃତ୍ୟୁ ହେବା ପରେ ସେ ଗିରଫ ହୋଇଥିବା ମାମଲାର ତଦନ୍ତ ମଧ୍ୟ ବନ୍ଦ ହୋଇଯାଏ । ସେ ଯେ ସତରେ ଚୋରି କରିଥିଲା ନା କେବଳ ସନ୍ଦେହ ଆଧାରରେ ପୁଲିସ ତାଙ୍କୁ ଆଣିଥିଲେ ସେହି ପ୍ରଶ୍ନ ଲୁଚିଯାଏ । କାରଣ ଏ ଭଳି ମାମଲାରେ ବା ସାତ ବର୍ଷରୁ କମ୍‌ ଜେଲ ଦଣ୍ଡ ଥିବା କୌଣସି ଅପରାଧ ଲାଗି ଅଭିଯୁକ୍ତକୁ ଗିରଫ କରିବାର କୌଣସି ବ୍ୟବସ୍ଥା (ସିଆରପିସିର ଧାରା ୪୧ – ଏ ଅନୁସାରେ) ନାହିଁ। ଯେଉଁଠି ପୁଲିସ ମୂଳରୁ ହିଁ ଭୁଲ ଥାଏ ସେଭଳି ମାମଲାର ତଦନ୍ତ ତୁରନ୍ତ ବନ୍ଦ କରିଦିଆଯାଏ। ଫଳରେ, ପୁଣି ଏକ ହତ୍ୟା ପୁଣି କୌଣସି ଏକ ନୂତନ ହାଜତରେ ହୋଇଥାଏ । ଏହି ପ୍ରକ୍ରିୟା ବର୍ଷବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ବା ନିର୍ବାଚିତ ସଦସ୍ୟ, ବିଧାୟକ କି ସାଂସଦ ବା ପଞ୍ଚାୟତ ସଦସ୍ୟ, ଏହାକୁ ରୋକିବା ଦିଗରେ ଆଦୌ ଆଗ୍ରହ ଦେଖାନ୍ତି ନାହିଁ । ସେହି ମୃତ ବ୍ୟକ୍ତି ଜଣକ ସେମାନଙ୍କ ଦଳର ହୋଇନଥିବା କାରଣରୁ ସେମାନେ ପୁଲିସକୁ ସମର୍ଥନ କରିଯା’ନ୍ତି । ଏହି କାରଣରୁ ଗ୍ରାମାଞ୍ଚଳରେ ନିଜକୁ ପୁଲିସ ଓ ଅନ୍ୟ ଅଧିକାରୀଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ଲାଗି ବହୁ ଗ୍ରାମୀଣ ବ୍ୟକ୍ତି ଓ ବସ୍ତି ବାସିନ୍ଦା କୌଣସି ନା କୌଣସି ରାଜନୈତିକ ଦଳ ଆଶ୍ରିତ ହୋଇଯାଉଛନ୍ତି ।

ଏହି ସବୁଠାରୁ ଦୂରରେ ରହୁଥିବା ସ୍ବାଭିମାନୀ, ସରଳ, ଦରିଦ୍ର ମଣିଷ ବିପକ୍ଷରେ ଯେବେ କୌଣସି ଚୋରି ଅଭିଯୋଗ ଆସେ ସେତେବେଳେ ପୁଲିସର ସେମାନେ ସହଜ ନିଶାଣ ପାଲଟିଯା’ନ୍ତି । ଏ କ୍ଷେତ୍ରରେ ପ୍ରକୃତରେ ଚୋରି କୌଣସି ଧନୀ ଡାକ୍ତର, ଅଧ୍ୟାପକ, ବ୍ୟବସାୟୀ ବା ଇଞ୍ଜିନିୟରଙ୍କ ଘରୁ ହୋଇଥାଏ । ପୁଲିସର ଅନୁସନ୍ଧାନରେ ବିଳମ୍ବ ଦେଖି ଗଣମାଧ୍ୟମର ସାମ୍ବାଦିକ ସେହି ସମାନ ବର୍ଗର ହୋଇଥିବା କାରଣରୁ ‘ପୁଲିସ ହାତ ଖୋଲା’ ନାମରେ ସମ୍ବାଦ ପ୍ରକାଶ କରି ଏକ ଚାପ ମଧ୍ୟ ସୃଷ୍ଟି କରନ୍ତି । ଫଳରେ, ସେହି ନିର୍ଦଳୀୟ ଓ ନିଷ୍ପ୍ରଭ ମଣିଷ ‘ସାମାନ୍ୟ ସନ୍ଦେହ କାରଣରୁ ଅଥବା ପୁଲିସର ସୂଚନାଦାତାଙ୍କ ଆକ୍ରୋଶମୂଳକ ମନୋଭାବ କାରଣରୁ ହଠାତ୍‌ ଗିରଫ ହୁଏ। ପୁଲିସର ‘ଅନୁସନ୍ଧାନ’ ପ୍ରକ୍ରିୟା ମଧ୍ୟରେ କେହି କେହି ଦୋଷ ସ୍ବୀକାର କରିଥାନ୍ତି ତ କେହି ପୁଣି ଭାରି ବୁଟ୍‌ ଓ ବାୟୋନେଟର ଆକ୍ରମଣ ସମ୍ଭାଳି ନପାରି ମୃତ୍ୟୁବରଣ କରିଥା’ନ୍ତି । ଲୋକଟି ଯଦି ବଞ୍ଚିଯାଏ ତେବେ ତାହାର ବିଚାର ପ୍ରକ୍ରିୟା ମଧ୍ୟ ସେହିଭଳି ଲମ୍ବା ରହିଥାଏ । ଏ ଭଳି କ୍ଷେତ୍ରରେ ଲୋକଙ୍କର ସଂଗଠିତ ଓ ଦୀର୍ଘ ପ୍ରତିବାଦ ଦ୍ବାରା ହିଁ କିଛିଟା ପରିବର୍ତ୍ତନ ଆସିପାରିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories