ଦିଲ୍ଲୀ ବାୟୁ ପ୍ରଦୂଷଣ ଅନ୍ୟ ପାଇଁ ସତର୍କ ଘଣ୍ଟି

ନିକୁଞ୍ଜ ବିହାରୀ ସାହୁ

ଇତି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଆଶାତୀତ ବୃଦ୍ଧି ପାଇଛି। ମହାନଗରୀର ସମଗ୍ର ବାତାବରଣକୁ ଦିନବେଳେ ମଧ୍ୟ ଘନକୁହୁଡିର ଏକ ଆସ୍ତରଣ ସର୍ବଦା ଘେରି ରହୁଛି । ଏହାଦ୍ୱାରା ବାତାବରଣର ଦୃଶ୍ୟତା ହ୍ରାସ ପାଇବା ସାଙ୍ଗକୁ ଶ୍ୱାସରୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଦୀପାବଳି ପରଠାରୁ ବାୟୁର ‘ବାୟୁ ଗୁଣବତ୍ତା ସୂଚକାଙ୍କ’ ( ଏକ୍ୟୁଆଇ) ମୂଲ୍ୟ କ୍ରମାଗତ ଭାବେ ‘ଗୁରୁତର’ ସୀମା ମଧ୍ୟରେ ରହୁଛି। ରାଜଧାନୀରେ ବାୟୁ ପ୍ରଦୂଷଣର ଏପରି ଦୁର୍ଗତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଘୋର ଉଦ୍‌ବେଗ ପ୍ରକାଶ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ସରକାର ବିଦ୍ୟାଳୟଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ସହିତ ସରକାରୀ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହା ଛଡା ରାଜଧାନୀରେ ଅଣଜରୁରୀ କାର୍ଯ୍ୟରେ ପ୍ରବେଶ କରୁଥିବା ଟ୍ରକଗୁଡିକର ଗତିବିଧି ଉପରେ ମଧ୍ୟ ନିଷେଧାଦେଶ ଲାଗୁ କରାଯାଇଥିଲା।

କୌଣସି ସ୍ଥାନୀୟ ଅଞ୍ଚଳର ବାୟୁର ଗୁଣବତ୍ତା ବାୟୁରେ ଭାସମାନ କଣିକା ପଦାର୍ଥ (ଏସ୍‌ପିଏମ)ର ଉପସ୍ଥିତିର ମାତ୍ରା ଉପରେ ନିର୍ଭରଶୀଳ। ବିଗତ ଦିନଗୁଡ଼ିକରେ ଦିଲ୍ଲୀର ବାୟୁମଣ୍ଡଳରେ ଭାସମାନ କଣିକା ପଦାର୍ଥ -୨.୫ ( ଏସ୍‌ପିଏମ୍‌-୨.୫) ର ମୂଲ୍ୟ କ୍ରମାଗତ ଭାବେ ୪୦୦ ଅଙ୍କ ଉପରେ ଅବସ୍ଥାନ କରୁଛି, ଯାହା ନିରାପଦ ସ୍ତରଠାରୁ ପ୍ରାୟ ୭ ଗୁଣ ବେଶୀ। ଏପରି ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦିନକୁ ୫୦ଟି ସିଗାରେଟର ଧୂମପାନ କରିବା ସଙ୍ଗେ ସମାନ।

ଦିଲ୍ଲୀରେ ପ୍ରତି ବର୍ଷ ଶୀତ ଋତୁର ପ୍ରାରମ୍ଭରେ ନିମ୍ନ ତାପମାତ୍ରା ଯୋଗୁଁ ବାୟୁପ୍ରବାହର ବେଗ ହ୍ରାସ ପାଉଥିବାରୁ ବାୟମଣ୍ଡଳରେ ପ୍ରଦୂଷକ ପଦାର୍ଥସବୁ ସଞ୍ଚାଳିତ ହୋଇନପାରି ବାୟୁ ପ୍ରଦୂଷଣର ଏପରି ଚରମ ଦୁରବସ୍ଥା ପରିଲକ୍ଷିତ ହୋଇଥାଏ। ଏଥିପାଇଁ ଆଖପାଖର ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତିକେନ୍ଦ୍ରସବୁରୁ ଉତ୍ସର୍ଜିତ କଣିକା, ନିର୍ମାଣ କାର୍ଯ୍ୟକଳାପ ସବୁରୁ ନିର୍ଗତ ଧୂଳି ଓ ଗୁଣ୍ଡ, ଗାଡ଼ିମଟରରୁ ନିଷ୍କାସିତ ଧୂଆଁ ତଥା ଆବର୍ଜନାର ଖୋଲା ଦହନ ଦ୍ୱାରା ନିର୍ଗତ ପାଉଁଶ ଦାୟୀ। ଏ କ୍ଷେତ୍ରରେ ଏକ ବଡ କାରକ ହେଲା ପଡୋଶୀ ରାଜ୍ୟର କୃଷକମାନଙ୍କର ଶସ୍ୟ ଅମଳ ପରେ ଅବଶେଷସବୁକୁ ଜମିରେ ପୋଡି ଦେବା ଦ୍ୱାରା ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ବିପୁଳ କଣିକା ପଦାର୍ଥ। ଆହୁରି ମଧ୍ୟ, ଏ ସମୟରେ ଦୀପାବଳି ପର୍ବ ପଡୁଥିବାରୁ ଲୋକେ ବାଣ ଫୁଟାଇବା ଦ୍ୱାରା ନିର୍ଗତ ଧୂଆଁ ଓ କଣିକା ବାୟୁ ପ୍ରଦୂଷଣର ମାତ୍ରାକୁ ତ୍ୱରାନ୍ବିତ କରିଥାଏ ।

କୌଣସି ସ୍ଥାନର ‘ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ୦ ରୁ ୫୦ ମୂଲ୍ୟ ମଧ୍ୟରେ ରହିଲେ ‘ଉତ୍ତମ’, ୫୧ ରୁ ୧୦୦ ମଧ୍ୟରେ ରହିଲେ ‘ସନ୍ତୋଷଜନକ’, ୧୦୦ରୁ ୨୦୦ ମଧ୍ୟରେ ରହିଲେ ‘ମଧ୍ୟମ’, ୨୦୧ ରୁ ୩୦୦ ମଧ୍ୟରେ ରହିଲେ ‘ଖରାପ’, ୩୦୧ ରୁ ୪୦୦ ମଧ୍ୟରେ ରହିଲେ ‘ଅତି ଖରାପ’, ୪୦୧ ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ଏବଂ ୫୦୦ ରୁ ଊର୍ଦ୍ଧ୍ୱରେ ରହିଲେ ‘ଅତି ଗୁରୁତର ଜରୁରୀ’ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ। ଗତ ଅକ୍ଟୋବର ମାସ ପରଠାରୁ ଦିଲ୍ଲୀର ‘ବାୟୁ ଗୁଣବତ୍ତା ସୂଚକାଙ୍କ’ ମାନ କ୍ରମାଗତ ଭାବେ ‘ଗୁରୁତର’ ଶ୍ରେଣୀ ମଧ୍ୟରେ ଅବସ୍ଥାନ କରୁଛି ଏବଂ ଦ୍ରୁତ ‘ଅତି ଗୁରୁତର ଜରୁରୀ’ ସ୍ଥିତି ଆଡକୁ ଗତି କରୁଛି । ଏପରି ବିଷାକ୍ତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ ଏବଂ ଏହାଦ୍ୱାରା ବିଶେଷକରି ବୟସ୍କମାନେ ବିଭିନ୍ନ ଶ୍ୱାସ ଜନିତ ବ୍ୟାଧି ଯଥା ଶ୍ବାସ, ଫୁସ୍‌ଫୁସ୍‌ ପ୍ରଦାହ ଏବଂ ଫୁସଫୁସ୍ କର୍କଟର ଶିକାର ହେବାର ଆଶଙ୍କା ରହିଛି। ଏପରି କି, ଏଭଳି ବାୟୁର ସ୍ୱଳ୍ପ ମାତ୍ରାରେ ଗ୍ରହଣ ଦ୍ୱାରା ସୁସ୍ଥ ଓ ତରୁଣ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇପାରେ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ସର୍ବେକ୍ଷଣରୁ ଜଣାଯାଏ ଯେ, ଦିଲ୍ଲୀ ବାୟୁ ପ୍ରଦୂଷଣ ଦୃଷ୍ଟିକୋଣରୁ ବିଶ୍ୱର ସମୁଦାୟ ୧୪୦୦ଟି ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବର୍ଷକୁ ପ୍ରାୟ ୧୦,୫୦୦ ଲୋକ ମୃତ୍ୟୁମୁଖରେ ପଡନ୍ତି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜନିତ ସମସ୍ୟା ନଥିଲେ ଦିଲ୍ଲୀବାସୀ ଅଧିକ ୯ ବର୍ଷ କାଳ ବଞ୍ଚିପାରନ୍ତେ ବୋଲି ଏକ ରିପୋର୍ଟରୁ ଜଣାଯାଏ। ନିକଟରେ ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ଲାନ୍ସେଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡେ ଯେ, କେବଳ ୨୦୧୯ ମସିହାରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ ୧୭,୫୦୦ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ବିଶେଷକରି ଶିଶୁ ଓ ମହିଳାଙ୍କ ମଧ୍ୟରେ ଶ୍ୱାସ ଜନିତ ବ୍ୟାଧି ବଢ଼ୁଛି। ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଶୀତଦିନେ ସ୍ୱଳ୍ପ ଦୃଶ୍ୟତା ହେତୁ ସଡକ ଦୁର୍ଘଟଣା ସଂଖ୍ୟା ଆଶାତୀତ ବୃଦ୍ଧି ପାଉଥିବାର ମଧ୍ୟ ଜଣାଯାଏ। ଆହୁରି ମଧ୍ୟ, ଭାରତୀୟ ପାଣିପାଗ ବିଭାଗ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡେ ଯେ, ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ୧୯୮୮ ମସିହା ପରଠାରୁ ଶୀତଦିନର ସର୍ବାଧିକ ତାପମାତ୍ରା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ଦିଲ୍ଲୀକୁ ପ୍ରତି ବର୍ଷ ହଜାର ହଜାର ପ୍ରବାସୀ ବ୍ୟକ୍ତି କାମଧନ୍ଦା ତଥା ଅନ୍ୱେଷଣରେ ଆସୁଥିବାରୁ ରାଜଧାନୀର ଜନସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି। ଦିଲ୍ଲୀରେ ବିପୁଳ ଧୂଳି ନିର୍ଗତ ହେଉଥିବା ନିର୍ମାଣସ୍ଥଳୀଗୁଡିକର କାର୍ଯ୍ୟକଳାପ, ଶିଳ୍ପ ଜନିତ ଉତ୍ସର୍ଜନ ଏବଂ ଜୀବାଶ୍ମ ଇନ୍ଧନ (ବିଶେଷକରି କୋଇଲା) ଭିତ୍ତିକ କାରଖାନାର ସଂଖ୍ୟା ବୃଦ୍ଧି ଫଳରେ ରାଜଧାନୀର ପ୍ରଦୂଷଣ ସ୍ତର କ୍ରମାଗତ ବଢିବାରେ ଲାଗିଛି। ନାଗରିକଙ୍କର ଜୀବନ ଧାରଣର ମାନରେ ଉନ୍ନତି ଘଟୁଥିବାରୁ ଦିଲ୍ଲୀରେ କାର୍ ବିକ୍ରି ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ଦିଲ୍ଲୀରେ ପଞ୍ଜିକୃତ ୧ କୋଟିରୁ ଊର୍ଦ୍ଧ୍ୱ ମଟରଗାଡି ଦୈନିକ ରାଜରାସ୍ତାରେ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି ଏବଂ ପ୍ରତି ରାତିରେ ପଡୋଶୀ ରାଜ୍ୟରୁ ଶହଶହ ଡିଜେଲ୍ ଧୂଆଁ ନିର୍ଗତ କରୁଥିବା ଟ୍ରକ୍ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ରାଜଧାନୀରେ ପ୍ରବେଶ କରିଥା’ନ୍ତି।

ଏଭଳି ଉତ୍କଟ ସଙ୍କଟର ପ୍ରତିକାର ସ୍ୱରୂପ ଦିଲ୍ଲୀକୁ ଆଗାମୀ ଦିନରେ ଦୀର୍ଘସୂତ୍ରୀ ସମାଧାନର ପନ୍ଥା ଗ୍ରହଣ କରିବାକୁ ପଡିବ। ଛତୁ ଭଳି ଫୁଟୁଥିବା ନିର୍ମାଣସ୍ଥଳୀଗୁଡିକର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ସଙ୍ଗେସଙ୍ଗେ ପ୍ରଦୂଷଣକାରୀ ଶିଳ୍ପସଂସ୍ଥାଗୁଡିକୁ ସହର ବାହାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ଗାଡିମଟରଗୁଡିକରୁ ନିର୍ଗତ ଉତ୍ସର୍ଜନକୁ ନିୟମିତ ରୂପେ ତଦାରଖ କରିବାକୁ ପଡିବ। ପଡୋଶୀ ରାଜ୍ୟର କୃଷକଙ୍କୁ ଶସ୍ୟ ଅମଳ ପରେ ଜମିରେ ଶସ୍ୟର ଅବଶେଷ ସମୂହକୁ କିପରି ନିରାପଦ ରୂପେ ପରିବେଶପ୍ରିୟ ଉପାୟରେ ନଷ୍ଟ କରାଯାଇ ପାରିବ, ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଆହୁରି ମଧ୍ୟ, ମହାନଗରୀର ସମସ୍ତ ପ୍ରଦୂଷଣ-ପ୍ରବଣ ଡିଜେଲ୍ ଇଂଜିନ୍ ଯଥା ପୁରୁଣା ଜେନେରେଟର୍ ଓ ପମ୍ପସେଟକୁ ଉଚ୍ଛେଦ କରି ପରିବେଶୀୟ ବୈଧାନିକ ମାନକ ସ୍ତର ଅନୁଯାୟୀ ନିମ୍ନ ଉତ୍ସର୍ଜନ ବିଶିଷ୍ଟ ତଥା ଦକ୍ଷ ଉପକରଣ ବ୍ୟବହାର କରିବାକୁ ପଡିବ। ପରିଶେଷରେ, କଠିନ ଆବର୍ଜନାସବୁର ଦହନ ଦ୍ୱାରା ପରିବେଶକୁ ବିପୁଳ କଣିକା ପଦାର୍ଥ ନିର୍ଗମନ ହେଉଥିବାରୁ ସେଗୁଡିକର ସୁଚାରୁ ଏକତ୍ରୀକରଣ ଓ ବ୍ୟବସ୍ଥାପନ ଉପରେ ମଧ୍ୟ କଡା ନଜର ରଖିବାକୁ ପଡିବ।

Comments are closed.