www.samajalive.in
Saturday, December 13, 2025
21.1 C
Bhubaneswar

ମାଦକ ଦ୍ରବ୍ୟ ସମ୍ପର୍କିତ ଆଇନର କାର୍ଯ୍ୟକାରିତା

ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ହିଁ ଆମ ଦେଶରେ ବିଭିନ୍ନ ସମୟରେ ସାମାଜିକ ଆବଶ୍ୟକତା ମତେ ଭିନ୍ନ ଭିନ୍ନ ଆଇନକାନୁନ୍‍ ପ୍ରଣୟନ କରାଯାଇଥାଏ। ଆମ ସମ୍ବିଧାନର ଅନୁଚ୍ଛେଦ ୪୭ରେ ରାଜ୍ୟକୁ ଏକ ସାମ୍ବିଧାନିକ ନିର୍ଦ୍ଦେଶ ରହିଛି ଯେ କେବଳ ଔଷଧୀୟ ବ୍ୟବହାର ଭିନ୍ନ ଅନ୍ୟାନ୍ୟ ପ୍ରତିଟି କ୍ଷେତ୍ରରେ ନିଶା, ମାଦକ ଦ୍ରବ୍ୟ ଓ ପାନୀୟ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଉଥିବ ସେ ପ୍ରକାରର ସମସ୍ତ ସାମଗ୍ରୀର ବ୍ୟବହାରକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବାକୁ ରାଜ୍ୟଗୁଡ଼ିକ ପ୍ରୟାସ କରିବେ। ସେହିପରି ଅନୁଚ୍ଛେଦ ୫୧ରେ ବ୍ୟବସ୍ଥା ରହିଛି ଯେ ଆନ୍ତର୍ଜାତିକ ଆଇନ ଓ ଚୁକ୍ତିଜନିତ କର୍ତ୍ତବ୍ୟ ଓ ଦାୟିତ୍ୱଗୁଡ଼ିକ ଆମ ଦେଶରେ ଯେପରି ଯଥୋଚିତ ଭାବେ ମର୍ଯ୍ୟାଦା ଓ ସମ୍ମାନ ପାଇ ପାଳିତ ହେବ ସେ ନେଇ ପଦକ୍ଷେପ ନିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଶାକାରକ ଔଷଧ ଓ ମନୋପ୍ରଭାବୀ ଦ୍ରବ୍ୟ ବିଷୟକ ଜାତିସଂଘର ୧୯୬୧, ୧୯୭୧ ଓ ୧୯୮୮ର ତିନୋଟି ସମ୍ମିଳନୀରେ ଭାରତ ଏକ ସଭ୍ୟ ରାଷ୍ଟ୍ର।

ଏହି ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ ସଂସଦ ୧୯୮୫ ମସିହାରେ ନିଶାକାରକ ଭେଷଜ ଓ ମନୋପ୍ରଭାବୀ ସାମଗ୍ରୀ ଆଇନ (ଏନ୍‌ଡିପିଏସ୍‌) ପ୍ରଣୟନ କଲେ ଯାହା କି ସମଗ୍ର ଦେଶରେ ୧୪.୧୧.୧୯୮୫ ମସିହାରୁ ଲାଗୁ ହୋଇଛି। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶରେ ନିଶାଦ୍ରବ୍ୟର ଚାଷ, ପ୍ରସ୍ତୁତି, କ୍ରୟ ବିକ୍ରୟ, ପରିବହନ, ମହଜୁଦକରଣ, କାରବାର, ବଣ୍ଟନ ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା। ଆଜି ଆମ ଦେଶ ନିଶା ଦ୍ରବ୍ୟ ବିପତ୍ତି ଓ ବିନାଶରେ କବଳିତ। ଏହି ବିପତ୍ତିର ଯେଉଁ ଦୁଇଟି ମୁଖ୍ୟ କାରଣ ରହିଛି ତାହା ହେଲା ଆମ ଦେଶର ବିପୁଳ ଜନସଂଖ୍ୟା ଓ ଦ୍ୱିତୀୟଟି ହେଲା ଆମ ଦେଶର ଭୌ‌େ‌ଗାଳିକ ସ୍ଥିତି ଏପରି ଯେ ପଞ୍ଜାବ, ରାଜସ୍ଥାନ, ଜାମ୍ମୁକାଶ୍ମୀର ଓ ଉତ୍ତରପୂର୍ବ ପଟେ ନାଗାଲ୍ୟାଣ୍ଡ, ମେଘାଳୟ ଆଦି ରାଜ୍ୟଗୁଡ଼ିକ ପାକିସ୍ତାନ, ବାଂଲାଦେଶ, ମିଆଁମାର ଦେଶର ଆନ୍ତର୍ଜାତିକ ସୀମାରେଖାକୁ ଲାଗିକି ରହିଛି। ତେଣୁ ବିଶ୍ୱର ସବୁଠାରୁ ବେଶୀ ମାଦକଦ୍ରବ୍ୟର ଉତ୍ପାଦନ ଓ ଅବୈଧ ଚାଲାଣ କରୁଥିବା ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ମ୍ୟଁାମାର ଓ ଇରାନ୍‍ରୁ ଆମ ଦେଶକୁ ଏହି ରାଜ୍ୟଗୁଡ଼ିକ ଦେଇ ବିପୁଳ ପିରମାଣର ନିଶା ଓ ମାଦକଦ୍ରବ୍ୟ ସହଜରେ ଅଣାଯାଇପାରୁଛି। ଯଦି ଦେଖାଯାଏ ତେବେ ମାଦକ ଦ୍ରବ୍ୟର ଚୋରା ଚାଲାଣର ସବୁଠାରୁ ବେଶୀ ଏତଲା ଦାଏର ହେଉଛି ଆମ ଦେଶର ଉପରୋକ୍ତ ସୀମାନ୍ତବର୍ତ୍ତୀ ରାଜ୍ୟଗୁଡ଼ିକରେ।

- Advertisement -

ମାଦକ ଦ୍ରବ୍ୟର ନିୟନ୍ତ୍ରଣ ପାଇଁ ଆମ ଦେଶରେ ଇଂରେଜ ଅମଳରୁ ଅଫିମ ଆଇନ, ୧୮୫୭ ଓ ବିପଜ୍ଜନକ ଔଷଧ ଆଇନ ୧୯୩୦ ଥିଲା; କିନ୍ତୁ ତହିଁରେ ସେପରି କୌଣସି କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ନଥିବାରୁ ନିଶା କାରବାରର ଭୟାନକ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଉଦ୍ଦେଶ୍ୟ ନେଇ ଏନ୍‍ଡିପିଏସ୍‍ ଆଇନ ୧୯୮୫ ପ୍ରଣୟନ କରିବାକୁ ପଡିଲା।

ନିଶାକାରକ ଔଷଧର ଅତି ସରଳ ସଂଜ୍ଞା ଯଦି ନିରୂପଣ କରାଯାଏ ତେବେ ତାହା ହେବ ଏହା ଏପରି ଏକ ଭେଷଜ ଯାହା ମଣିଷର ନିଦକୁ ବହୁ ପରିମାଣରେ ବଢ଼ାଇ ଦେଇପାରେ ଓ ସେଥିପାଇଁ ଏହି ଭେଷଜକୁ କେବେକେବେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଉପଶମକାରୀ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ସେହିପରି ଅତି ସରଳ ଭାବରେ ମନୋପ୍ରଭାବୀ ସାମଗ୍ରୀର ଅର୍ଥ ଯଦି ନିରୂପଣ କରାଯାଏ ତେବେ ଏହା ଏପରି ଏକ ସାମଗ୍ରୀ ଯାହା ମଣିଷର ମନକୁ ବହୁଳ ଭାବେ ପ୍ରଭାବିତ କରିପାରେ ଓ ଏହାର ସେବନ ମଣିଷର ମନୋଭାବକୁ ପରିବର୍ତ୍ତନ କରିଦେଇଥାଏ। ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ ଏ ପ୍ରକାରର ଦ୍ରବ୍ୟକୁ ଯୁବଗୋଷ୍ଠୀଙ୍କ ଉପରେ ପ୍ରୟୋଗ କରୁଛନ୍ତି ଓ ପରେ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରୁଛନ୍ତି। ଏତଦ୍‌ ଭିନ୍ନ ନିଶାକାରକ ଦ୍ରବ୍ୟର ସେବନ ସଂପ୍ରତି ଏକ ସାମାଜିକ ବ୍ୟାଧି ରୂପେ ନୂଆ ସମସ୍ୟା ଆଣି ଦେଇଛି। କୋକେନ୍‍, ମର୍ଫିନ୍‍, ମେରିଜୁଆନା, ହେରୋଇନ୍‍, ଏଲ୍‍ଏସ୍‍ଡ଼ି, ହାସିସ ଆଦି ପରି ବିଭିନ୍ନ ଶ୍ରେଣୀର ନିଶାକାରକ ଦ୍ରବ୍ୟର ସେବନ ଯୋଗୁଁ ନିଶାଗ୍ରସ୍ତ ଲୋକ ବିଶେଷ କରି ଯୁବଗୋଷ୍ଠୀଙ୍କ ଜୀବନ ସବୁ ଦୃଷ୍ଟିରୁ ନଷ୍ଟ ହେଉଛି; କାରଣ ସେମାନେ ତାଙ୍କ ପରିବାର ଓ ସମାଜରୁ ବିଚ୍ଛିନ୍ନ ହୋଇ ଏକ ଅବାସ୍ତବ ଦୁନିଆରେ ବଞ୍ଚୁଛନ୍ତି। ନିଶାର କରାଳତା

ଏପରି କି ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଗ୍ରାସ କରିବାକୁ ବସିଲାଣି। ଯୁବ ଗୋଷ୍ଠୀ ନିଜ ଜୀବନର ଯୌବନ କାଳରେ ଅବାଟକୁ ଯିବା ରାଷ୍ଟ୍ର ପାଇଁ ଚିନ୍ତାର ବଡ଼ କାରଣ। ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଏହି ଆଇନକୁ କାର୍ଯ୍ୟକାରୀ କରୁଥିବା ଅନୁଷ୍ଠାନ ଓ ଅଧିକାରୀମାନଙ୍କୁ ଏହି ଆଇନରେ ବିପୁଳ କ୍ଷମତା ପ୍ରଦାନ କରାଯାଇଛି। ଏହି ଆଇନର ବ୍ୟବସ୍ଥାମତେ କେତେକ କ୍ଷେତ୍ରରେ ବିଭିନ୍ନ ପ୍ରଜାତିର ମାଦକ ଦ୍ରବ୍ୟର ଚାଷ, ଉତ୍ପାଦନ, କ୍ରୟ ବିକ୍ରୟ, ପରିବହନ ବା ବ୍ୟବହାର ପାଇଁ ଅନୁମତି ଦେବା, ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। ଏହି ଆଇନର ବ୍ୟବସ୍ଥା ମତେ କେନ୍ଦ୍ର ସରକାର, ନିଶାକାରକ ଦ୍ରବ୍ୟର ଅବୈଧ ଚାଲାଣ ଓ ଅପବ୍ୟବହାରକୁ ପ୍ରତିରୋଧ କରିବା ପାଇଁ ନିଶାକାରକ ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଗଠନ କରି ତହିଁରେ ଜଣେ କମିସନର ନିଯୁକ୍ତ କରିଛନ୍ତି ଓ ତାଙ୍କୁ ସହାୟତା ପ୍ରଦାନ ପାଇଁ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିଯୁକ୍ତ ଓ ପ୍ରାଧିକୃତ କରିଛନ୍ତି। ଏହି ଆଇନର ପ୍ରତ୍ୟେକଟି ବ୍ୟବସ୍ଥାକୁ ବ୍ୟାପକ ଓ ବହୁତ କଡ଼ାକଡ଼ି କରାଯାଇଛି ଓ ଏହି ଆଇନ ଅନୁଯାୟୀ ଅପରାଧ ଘଟାଇଥିବା ବ୍ୟକ୍ତିକୁ ପ୍ରତିଟି ସ୍ତରରେ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି।
ସାଧାରଣତଃ ନ୍ୟାୟ ପ୍ରଶାସନର ଏକ ମୌଳିକ ନୀତି ହେଲା ଅଭିଯୁକ୍ତ, ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ନ ହେବା ଯାଏ ସେ ନି‌େର୍ଦାଷ ବୋଲି ବିବେଚିତ ହେବା ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କୁ ହିଁ ଏହା ପ୍ରମାଣିତ କରିବାକୁ ପଡ଼ିଥାଏ ଯେ ଅଭିଯୁକ୍ତ ହିଁ ଦୋଷୀ; କିନ୍ତୁ ଏହି ଆଇନର ବ୍ୟବସ୍ଥା ଠିକ୍‍ ଓଲଟା। ଏହି ଆଇନରେ ଅଭିଯୁକ୍ତକୁ ହିଁ ପ୍ରମାଣିତ କରିବାକୁ ପଡିଥାଏ ଯେ ସେ ନି‌େର୍ଦାଷ ଓ ଅଭିଯୁକ୍ତ ଯେ ଯାଏ ନିଜକୁ ନି‌େର୍ଦାଷ ବୋଲି ପ୍ରମାଣିତ ନ କରିଛନ୍ତି ସେ ଯାଏ ସେ ଦୋଷୀ ବୋଲି ଏହି ଆଇନ ଅନୁଯାୟୀ ବିବେଚିତ ହେବେ।

ଏହି ଆଇନ ଅନୁଯାୟୀ ଦଣ୍ଡନୀୟ କୌଣସି ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଏତେ ସହଜରେ ଜାମିନ ମିଳିନଥାଏ। ସରକାରୀ ଓକିଲଙ୍କୁ ଶୁଣାଣିର ଏକ ସୁଯୋଗ ନଦେଇ, ଅଭିଯୁକ୍ତଙ୍କ ଜାମିନ୍‍ ଆବେଦନକୁ ନ୍ୟାୟାଳୟ ଶୁଣିବେ ନାହିଁ କି ବିଚାର କରିବେ ନାହିଁ। ନ୍ୟାୟାଳୟ କେବଳ ଦୁଇଟି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିପାରିବେ। ପ୍ରଥମଟି ହେଲା ନ୍ୟାୟାଳୟଙ୍କ ଯଦି ହୃଦ୍‍ବୋଧ ହୁଏ ଯେ ଅଭିଯୁକ୍ତ ଅପରାଧ କରିଥିବାର କୌଣସି ଯୁକ୍ତିଯୁକ୍ତ କାରଣ ଓ ପ୍ରମାଣ ନାହିଁ ଓ ଦ୍ୱିତୀୟଟି ହେଲା ନ୍ୟାୟାଳୟ ପୂର୍ବ ଅନୁମାନ କରିବେ ଯେ ଯଦି ଅଭିଯୁକ୍ତଙ୍କୁ ଜାମିନ ଦିଆଯାଏ ତେବେ ସେ ଜାମିନରେ ଥିବା ବେଳେ ସେପରି ଅପରାଧ ଆଉ କରିବେ ନାହିଁ। ଜାମିନ ମଞ୍ଜୁର କଲାବେଳେ ନ୍ୟାୟାଳୟଙ୍କୁ ପୂର୍ବାନୁମାନ କରିବାକୁ ପଡୁଥିବାରୁ ସାଧାରଣତଃ ନ୍ୟାୟାଳୟ ଜାମିନ ମଞ୍ଜୁର କରିବାକୁ ଆଗ୍ରହ ଦେଖାଇନଥାନ୍ତି କାରଣ ତାଙ୍କ ପୂର୍ବାନୁମାନର ସଠିକତା ନିର୍ଭର କରିଥାଏ ଜାମିନ ପରେ ଅଭିଯୁକ୍ତଙ୍କ ଆଚରଣ ଉପରେ।

ଏହି ଆଇନ ଅନୁଯାୟୀ ଯେଉଁ ସବୁ ନିଶାକାରକ ଓ ମନୋପ୍ରଭାବୀ ସାମଗ୍ରୀଗୁଡ଼ିକର ବ୍ୟବହାର ଔଷଧୀୟ ଓ ବୈଜ୍ଞାନିକ ଗବେଷଣା ଉଦ୍ଦେଶ୍ୟରେ ଯେଉଁ ମାତ୍ରାରେ ଆବଶ୍ୟକ କେବଳ ସେହି ମାତ୍ରାର ଚାଷ ଓ ଉତ୍ପାଦନ କରିବାକୁ ଏହି ଆଇନ ଅନୁଯାୟୀ ସରକାର ଲାଇସେନ୍ସ, ପରମିଟ୍‍ ବା ପ୍ରାଧିକାର ଦେଇପାରିବେ। ସେପରି ଲାଇସେନ୍ସ, ପରମିଟ୍‍ ବା ପ୍ରାଧିକାର ବିନା କୌଣସି ବ୍ୟକ୍ତି କୋକୋ ଚାରା ଚାଷ ବା ତାହାର ସଂଗ୍ରହ କରିପାରିବେ ନାହିଁ କି ଅଫିମ ପପି ବା କାନାବିଜ୍‍ ଚାଷ କରିବେ ନାହିଁ ଅଥବା କୌଣସି ନିଶାକାରକ ଓ ମନୋପ୍ରଭାବୀ ସାମଗ୍ରୀର କୌଣସି ପ୍ରକାରର ଉତ୍ପାଦନ, ପ୍ରସ୍ତୁତି, ଧାରଣ, କ୍ରୟ ବିକ୍ରୟ, ପରିବହନ, ମହଜୁଦ୍‍, ବ୍ୟବହାର, ସେବନ, ଆନ୍ତଃରାଜ୍ୟ ଆମଦାନୀ, ଆନ୍ତରାଜ୍ୟ ରତ୍ପାନୀ, ଭାରତକୁ ବିଦେଶରୁ ଆମଦାନୀ କରିବେ ନାହିଁ। ଯଦି କେହି ଏହି ଆଇନ ବା ତଦଧୀନ ପ୍ରଣୀତ ନିୟମାବଳୀ ବା ତଦନୁଯାୟୀ ଦିଆଯାଇଥିବା ଲାଇସେନ୍ସର କୌଣସି ସର୍ତ୍ତର ଉଲ୍ଲଙ୍ଘନ କରି କୋକୋ ଚାରା ବା ଅଫିମ ଚାଷ, ଉତ୍ପାଦନ, ପ୍ରସ୍ତୁତି, ଧାରଣ, କ୍ରୟ, ବିକ୍ରୟ, ପରିବହନ, ଆନ୍ତଃରାଜ୍ୟ ଆମଦାନୀ ବା ରତ୍ପାନି କରିବେ ବା ଅଫିମ ବ୍ୟବହାର କରିବେ ତେବେ ସେ ଉକ୍ତ ମାଦକ ଦ୍ରବ୍ୟ ଓ ମନଉତ୍ତେଜକ ସାମଗ୍ରୀର ପରିମାଣର ବିପୁଳତା ଓ ଅପରାଧର ଗର୍ହିତତା ଦୃଷ୍ଟିରୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଅନ୍ୟୂନ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବାରୁ ଆରମ୍ଭ କରି ସର୍ବାଧିକ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାବାସ ଓ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ। ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ପ୍ରାଧିକୃତ ଅଧିକାରୀମାନେ ସୂର୍ଯ୍ୟୋଦୟ ପରେ ଓ ସୂର୍ଯ୍ୟାସ୍ଥ ପୂର୍ବରୁ ଯେ କୌଣସି ସମୟରେ ବିନା ଖାନ ତଲାସ ୱାରେଣ୍ଟ ବା ପ୍ରାଧିକାରରେ ସମୁଚିତ ମାମଲାରେ ଯେ କୌଣସି କୋଠାବାଡ଼ି, ଯାନବାହନ ବା ସ୍ଥାନରେ ପ୍ରବେଶ କରି ଖାନ୍‍ତଲାସ୍‍, ଜବତ ଓ ଗିରଫ କରିପାରିବେ। ଏୟାରପୋର୍ଟ, ରେଳଷ୍ଟେସନ, ବସ୍‍ଷ୍ଟାଣ୍ଡ ପରି ସର୍ବସାଧାରଣ ସ୍ଥାନରେ ମଧ୍ୟ ଏ ପ୍ରକାର ତଲାସି, ଜବତ ଓ ଗିରଫ କରାଯାଇପାରିବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories