କି ସୁନ୍ଦର ଆହା କି ଆନନ୍ଦମୟ

ଗଣେଶୀ ଲାଲ, ରାଜ୍ୟପାଳ, ଓଡ଼ିଶା

ସୌନ୍ଦର୍ଯ୍ୟରେ ଭରପୂର ସୃଷ୍ଟି। ଅନ୍ୟ ବାଗରେ କହିଲେ, ସୃଷ୍ଟି ହିଁ ସୁନ୍ଦର। ଏଣୁ ଅସୁନ୍ଦର ବୋଲି କିଛି ନାହିଁ ଏବଂ ଏହି ସୌନ୍ଦର୍ଯ୍ୟକୁ ଭୋଗିବା ଓ ଅନୁଭବିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର। ଯେ ପକ୍ଷୀ ଉଡ଼େ ଯେତେ ଦୂର … ଯେ ଯେତେ ଗହନକୁ ଗମିପାରିଲା, ରହସ୍ୟରୁ ରସ ନେଇପାରିଲା ସେ ସେତେ ଅନୁଭବ କରିବ ସୌନ୍ଦର୍ଯ୍ୟ। ସବୁଠି ଓ ସବୁ ସମୟର। ସୌନ୍ଦର୍ଯ୍ୟ ହିଁ ସତ୍ୟ ଏବଂ ସତ୍ୟ ହିଁ ଈଶ୍ୱର। ଯେ ସତ୍ୟ ସେ ଶିବ ସେ ବି ସୁନ୍ଦର। ଏକାକାର। ଏଣୁ ଈଶ୍ୱର ହେଉଛନ୍ତି ସୌନ୍ଦର୍ଯ୍ୟର ଅଖଣ୍ଡ ଉତ୍ସ, ଅନନ୍ତ ଆଧାର। ସୌନ୍ଦର୍ଯ୍ୟ ହିଁ ସମନ୍ୱୟ ଓ ସଂହତି। ବ୍ରହ୍ମାଣ୍ଡର ସ୍ଥିତି ଓ ସେଥିରେ ସକଳ ସତ୍ତାର ଅବସ୍ଥିତି, ସଂପୃକ୍ତି ଓ ସଂପ୍ରୀତିକୁ ଅନୁଭବକୁ ଆଣିଲେ ଏକ ଅସରନ୍ତି ସୌନ୍ଦର୍ଯ୍ୟର ଅଂଶ ବିଶେଷ ବୋଲି ନିଜକୁ ମନେ ହେବ। ଗୀତା କହୁଛନ୍ତି – ନା ସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ। ଅସତ୍‌ ବସ୍ତୁର ଅସ୍ତିତ୍ବ ନାହିଁ ଏବଂ ସତ୍‍ ବସ୍ତୁର ଅଭାବ ନାହିଁ। ସବୁଠି କେବଳ ପରମାତ୍ମା ବିଦ୍ୟମାନ। ବିଶ୍ୱ ବ୍ରହ୍ମାଣ୍ଡରେ ଯାହା ଦୃଶ୍ୟ ଓ ଅଦୃଶ୍ୟ, ସେ ସବୁଥିରେ ଈଶ୍ୱର ପରିବ୍ୟାପ୍ତ ଓ ବିଦ୍ୟମାନ। ସର୍ବଂ ଖଳ୍ବିଦଂ ବ୍ରହ୍ମ। ଯେହେତୁ ଈଶ୍ୱର ସୁନ୍ଦର, ଏଣୁ ତାଙ୍କର ସକଳ ସୃଷ୍ଟି ସୁନ୍ଦର। ସୌନ୍ଦର୍ଯ୍ୟ ପାଇଁ ଲୋଡ଼ା ଦୃଷ୍ଟି, ଦ୍ରଷ୍ଟା ଓ ଦୃଶ୍ୟ। ଏହି ତିନିଟି ଉପାଦାନକୁ ଆତ୍ମସ୍ଥ କଲେ ଜଣେ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟକୁ ଭିତରକୁ ନେଇପାରିବ। ସାଧାରଣରେ କୁହାଯାଏ, ସୌନ୍ଦର୍ଯ୍ୟ ଅସଲରେ ଥାଏ ଦେଖିଲାବାଲାର ଆଖିରେ। ଆଖିରୁ ପରଳ ହଟାଯାଉ। ଆହୁରି ଆଖି ଅର୍ଜନ କରାଯାଉ, ଆଖିକୁ ଆହୁରି ପ୍ରସ୍ତୁତ କରାଯାଉ। ସତ୍ୟ, ଶିବ ଓ ସୁନ୍ଦରକୁ ଚିହ୍ନିବାକୁ ଆଖି ସଶକ୍ତ ହେଉ।

ତେବେ ଏହି ଆଖି କ’ଣ ଯଥେଷ୍ଟ ! ହେଲେନ କେଲର, ଯିଏ ଜଣେ ଦୃଷ୍ଟିବାଧିତା ଥିଲେ; ସେ କହିଥିଲେ – ବିଶ୍ୱର ଶ୍ରେଷ୍ଠ ସୌନ୍ଦର୍ଯ୍ୟକୁ ବାସ୍ତବରେ ଦେଖିହୁଏ ନାହିଁ କି ଛୁଇଁ ହୁଏ ନାହିଁ। ଏହାକୁ କେବଳ ଅନୁଭବ କରିହୁଏ। କନ୍‍ଫୁସିଅସ୍‍ଙ୍କ ମତରେ ପ୍ରତିଟିର ସୈାନ୍ଦର୍ଯ୍ୟ ଅଛି; କିନ୍ତୁ ସମସ୍ତେ ଏହାକୁ ଦେଖିପାରନ୍ତିନି। ଦେଖିବା ପାଇଁ ବା ଅନୁଭବ କରିବା ପାଇଁ, ଏହି ଚର୍ମଚକ୍ଷୁ ବ୍ୟତୀତ ଆହୁରି ଶକ୍ତିଶାଳୀ ଆଖି ଦରକାର ଏବଂ ସେଥିପାଇଁ ଆମ ଚିନ୍ତନରେ ତୃତୀୟ ନୟନର ପରିକଳ୍ପନା କରାଯାଇଛି। ଆମର ପଞ୍ଚ ଇନ୍ଦ୍ରିୟର ସୀମା ଖୁବ୍‍ ସୀମିତ। ଆଖି ଯେତେ ଭଲ ଥାଉ, କେତେ ଦୂର ଦେଖିହେବ? କାନ ଯେତେ ଭଲ ଥାଉ, କେତେ ଦୂରରୁ କଥା ଶୁଣିପାରିବ ? ଇନ୍ଦ୍ରିୟର ସୀମିତତା ପ୍ରତି ଆମେ ସଚେତନ ହେବା ଦରକାର ଏବଂ ଏହି ସୀମିତତାକୁ ଅତିକ୍ରମ କରିବା ପାଇଁ ପ୍ରୟାସ ହେବା ଦରକାର। ଏହା ସମ୍ଭବ ଓ ଆୟାସସାଧ୍ୟ। ଏଥିପାଇଁ ଆମ ଶାସ୍ତ୍ରରେ ପଥ ନି​‌େ​‌ର୍ଦଶ ହୋଇଛି। ଉତ୍ତରଣର ମାର୍ଗ ଚିହ୍ନିତ ହୋଇଛି। ଯଦି ଜଣେ ସୃଷ୍ଟି ସୌନ୍ଦର୍ଯ୍ୟରେ ଅବଗାହନ ପୂର୍ବକ ଈଶ୍ୱରୀୟ ଉପଲବ୍ଧିକୁ ହାସଲ କରିବାକୁ ଚାହିଁବ; ତାକୁ ସେ ସାଧନାର ସୋପାନରେ ଯିବାକୁ ହେବ ଏବଂ ଏହି ପଥରେ ଯାଇଥିବା ଅନେକଙ୍କର ସାଧନା ଓ ସିଦ୍ଧିର ଅଜସ୍ର ଉଦାହରଣ ଆମ ସାମ୍ନାରେ ରହିଛି।

ସୌନ୍ଦର୍ଯ୍ୟ କ’ଣ କେବଳ ବସ୍ତୁରେ ଥାଏ ? ନା – ଥାଏ ଭାବରେ। ଚେତନାରେ। ଅନେକ ସମୟରେ ସୌନ୍ଦର୍ଯ୍ୟକୁ ସଂଜ୍ଞାୟିତ କରାଯାଏ ରଙ୍ଗ, ରୂପ ଓ ଆକାରରେ। ଏହାକୁ ବସ୍ତୁଭିତ୍ତିକ ଭାବରେ ଉପସ୍ଥାପନ କରାଯାଏ। ବହିଃସୌନ୍ଦର୍ଯ୍ୟକୁ ବିଶେଷତା ଦିଆଯାଏ; କିନ୍ତୁ ଏହା ହୁଏତ ଫାଟକ ମାତ୍ର। ଫାଟକ ପାଖରୁ ଫେରିଥାନ୍ତି ଅନେକ। ସକଳ ପ୍ରାପ୍ତ ହୋଇଗଲା ବୋଲି ମଣନ୍ତି। ଫାଟକ ଖୋଲିଲେ ଭିତରକୁ ସୌନ୍ଦର୍ଯ୍ୟର ଗନ୍ତାଘର, ଅସରନ୍ତି ଭଣ୍ଡାରକୁ ପ୍ରବେଶ କରିବା ଦରକାର। ଏଥିପାଇଁ ଯେଉଁ ମାନସିକ ଓ ଆତ୍ମିକ ଆୟୋଜନ ଦରକାର, ତାହାକୁ ଆପଣେଇବା ଏକାନ୍ତ ଆବଶ୍ୟକ।

ଆମ ଆଖିରେ ବା ଅନୁଭବରେ ଯେଉଁ ସୌନ୍ଦର୍ଯ୍ୟ ଆସେ; ଯେଉଁ ସୌନ୍ଦର୍ଯ୍ୟ ଆମ ମନ ଓ ଆତ୍ମାକୁ ପୁଲକିତ ଓ ଆଲୋକିତ କରେ; ସୁନ୍ଦର ତୃପ୍ତିରେ ଅବସାଦ ନାହିଁ ବୋଲି ଯାହାକୁ କବି କହନ୍ତି, ଯାହାକୁ ସୁଖର ଚିରନ୍ତନ ଉତ୍ସ ବୋଲି କବି ଚିହ୍ନାଇ ଦେଇଛନ୍ତି; ସେ ହେଉଛି କୂଳ କେବଳ। ଆଗରେ ଅଛି ମହାସମୁଦ୍ର। ଏଇଠି ଅଟକି ଗଲେ ହେବ ନାହିଁ। ସୌନ୍ଦର୍ଯ୍ୟର ମହାସାଗରରେ ସନ୍ତରଣ କରିବାକୁ ଏହା ନମୁନା, ନିମନ୍ତ୍ରଣ କେବଳ। ସେଇଠୁ ଯାତ୍ରା ଆରମ୍ଭ ହେଉ, ଯେଉଁଠି ସୌନ୍ଦର୍ଯ୍ୟ କିଛି କ୍ଷଣ ବି ହେଉ ଅଟକାଇ ରଖୁଛି। ସେପରି କ୍ଷଣକ୍ଷଣରେ ଭରିଯାଉ ସମଗ୍ର ଜୀବନ। ଜୀବନ ଆଉ କ’ଣ କି ! ଅଜସ୍ର କ୍ଷଣର ସମାହାର। ପ୍ରତିଟି କ୍ଷଣ ସୁନ୍ଦର ହେଲେ, ଜୀବନ ସୁନ୍ଦର।

ସୌନ୍ଦର୍ଯ୍ୟ କେଉଁଠି ନାହିଁ? ସ୍ରଷ୍ଟାଙ୍କ ଅପାର କୃପାରୁ ଆମ ଚାରିପାଖରେ ଭରି ରହିଛି। ଆମେ କେତେ ଦେଖିପାରୁଛେ ? ଆକାଶରୁ ବର୍ଷା ବିନ୍ଦୁ ପଡ଼ୁଛି, ଗଛର ପତ୍ରରେ ନାଚୁଛି। ସେ ନୃତ୍ୟର କିଛି ତୁଳନା ଅଛି ? ଆକାଶରେ ପ୍ରତି ମୁହୂର୍ତ୍ତରେ ନୂଆନୂଆ ଛବି। ବାୟୁମଣ୍ଡଳରେ କେତେକେତେ ପକ୍ଷୀଙ୍କର କେତେ ପ୍ରକାରର ତାନ। ଯେତେ ଫୁଲ, ସେତେ ପ୍ରକାର ବାସ୍ନା। କେବେ ସଚେତନ ଭାବରେ ଅନୁଭବ କଲେ, ନିଜ ସୀମିତତାରୁ ଜଣେ ଅକ୍ଳେଶରେ ଚାଲିଯିବ ବିଶାଳତାକୁ। ଇନ୍ଦ୍ରିୟଗତ ସୀମିତତାରେ ମଧ୍ୟ ବିଶାଳତାର ଇଙ୍ଗିତ। ଯେ କୌଣସି ସୌନ୍ଦର୍ଯ୍ୟକୁ ଗମିଲେ, ଜଣେ ଗମିପାରିବ ସୃଷ୍ଟି ରହସ୍ୟକୁ, ସକଳ ସୌନ୍ଦର୍ଯ୍ୟର ଲିପିକୁ। ଏହା ହିଁ ଆଧ୍ୟାତ୍ମିକତା। ଏହା ହିଁ ଈଶ୍ୱର ପ୍ରାପ୍ତିର ସହଜ, ସରଳ ଓ ସୁଗମ ମାର୍ଗ। ଯାହା ଆମ ପାଖରେ ପ୍ରଚୁର ପରିମାଣରେ ଉପଲବ୍ଧ।

ଶ୍ରୀମା କହନ୍ତି ସୌନ୍ଦର୍ଯ୍ୟ ହେଉଛି ସବୁଠୁ ବଡ଼ ଶକ୍ତି। କେହିକେହି କହନ୍ତି ସୌନ୍ଦର୍ଯ୍ୟ ହିଁ ଅସଲ କ୍ରାନ୍ତି। ସୃଷ୍ଟିର ନିଷ୍କର୍ଷ ହେଉଛି ସୁନ୍ଦରତା। ଏହା କିଏ କେମିତି ଗ୍ରହଣ କରିପାରିଲା, ତାହା ହେଉଛି ବଡ଼ କଥା। ଏକକରେ ସୌନ୍ଦର୍ଯ୍ୟ, ଐକ୍ୟରେ ମଧ୍ୟ। ଅଣୁ ଯେମିତି ସୁନ୍ଦର, ବ୍ରହ୍ମାଣ୍ଡ ମଧ୍ୟ ସେମିତି ସୁନ୍ଦର।

ଆମ ଜାଣିବାରେ ବ୍ରହ୍ମାଣ୍ଡରେ ପୃଥିବୀ ସବୁଠୁ ସୁନ୍ଦର। ଏଥିପାଇଁ ଯେ ପୃଥିବୀରେ ଜୀବନର ଲହଡ଼ି ଖେଳୁଛି। ଏହାକୁ ଆହୁରି ସୁନ୍ଦରତର କରିବାରେ ଯେମିତି ଲୋକ ଲାଗିଛନ୍ତି; ତାକୁ ଅସୁନ୍ଦର କରିବାକୁ ବା ଅସୁନ୍ଦର କରି ଚିହ୍ନେଇବାକୁ, କାହିଁ କେତେ ଗୁଣ ଲୋକ ଲାଗି ପଡ଼ିଛନ୍ତି। ଏହା ହିଁ ଆମ ସମୟର ବିଡ଼ମ୍ବନା। ସରଳ ସୌନ୍ଦର୍ଯ୍ୟକୁ ଜଟିଳ କରିବାରେ ବହୁ ମସ୍ତିଷ୍କ କ୍ରିୟାଶୀଳ। ସୌନ୍ଦର୍ଯ୍ୟର ମୂଲ୍ୟାୟନ କରାଯାଉଛି, ତା ଉପରେ ଲଗାଯାଉଛି ‘ପ୍ରାଇସ୍‍ ଟ୍ୟାଗ୍‍’; ଏହାକୁ କରାଯାଉଛି ବଜାରର ପଣ୍ୟ, ପ୍ରତିଯୋଗିତା ହେଉଛି ସୌନ୍ଦର୍ଯ୍ୟର – ଏମିତି ଅନେକ ବିକୃତି ଆମେ ଦେଖୁଛେ। ସୌନ୍ଦର୍ଯ୍ୟର ଅପଭ୍ରଂଶକୁ ଉଦାହରଣ କରିଛେ। ମୂଲ୍ୟବୋଧକୁ ବଜାରକୃତ ମୂଲ୍ୟ ସହ ତଉଲୁଛେ। ପ୍ରତ୍ୟେକ ସୌନ୍ଦର୍ଯ୍ୟ ଭିନ୍ନ ଓ ଅନନ୍ୟ। ଏହା ଭିତରେ ଥାଏ, ବାହାରେ ଥାଏ। ନିଃସଙ୍ଗରେ ଥାଏ, ସଙ୍ଗରେ ଥାଏ। ଏକଲାରେ ଥାଏ, ସମାହାରରେ ଥାଏ। ସବୁଠି ଶାଶ୍ୱତର ପ୍ରତିନିଧି ହୋଇଥାଏ। ଏହି ଭାବଧାରାକୁ ଆପଣେଇଲେ ଜୀବନ ସୁନ୍ଦର ଓ ଜଗତ ସୁନ୍ଦର।

ସୌନ୍ଦର୍ଯ୍ୟର ଉପାସନା, ଆବାହନ ଆମର ଧ୍ୟେୟ ହେବା ଦରକାର। ଅନ୍ୟ ଅର୍ଥରେ କହିବାକୁ ଗଲେ, ସୌନ୍ଦର୍ଯ୍ୟ ଓ ସେଠୁ ଜାତ ଶାନ୍ତି, ମୈତ୍ରୀ, ଦୟା, କରୁଣାଦି ଆକାଶରେ ଉଡ଼ୁଛନ୍ତି। ସେ ସବୁର ଅବତରଣ ପାଇଁ ଆମର ଛାତି ପ୍ରସ୍ତୁତ କରିବା ଦରକାର। ପୃଥିବୀକୁ ସଜାଡ଼ିବା ଦରକାର। ଶାସ୍ତ୍ର କହୁଛନ୍ତି ସତ୍‌ କାର୍ଯ୍ୟ, ସତ୍‌ଗ୍ରନ୍ଥ, ସତ୍‌ସଙ୍ଗ ଓ ସତ୍‌ ବିଚାର ମାଧ୍ୟମରେ ସୌନ୍ଦର୍ଯ୍ୟର ଅବତରଣ ସମ୍ଭବ। ଅନ୍ତଃ ସୌନ୍ଦର୍ଯ୍ୟ ଓ ବାହ୍ୟ ସୌନ୍ଦର୍ଯ୍ୟ ମଧ୍ୟରେ ସମନ୍ୱୟ ସ୍ଥାପନ ଦରକାର। ଅନ୍ତଃ ଯାତ୍ରା ଓ ଆନ୍ତଃ ଯାତ୍ରା ହେଉଛି ସୌନ୍ଦର୍ଯ୍ୟର ସୂତ୍ର।

ସୌନ୍ଦର୍ଯ୍ୟ ତ ଅଛି, ଥିଲା ଓ ରହିବ। ଏଥିରେ କେବେ ଈଶ୍ୱର ଊଣା କରିନାହାନ୍ତି। ତେବେ ଦରକାର ହେଉଛି ସୌନ୍ଦର୍ଯ୍ୟବୋଧ, ଯାହା ଏବର ପୃଥିବୀରେ କମିକମି ଗଲା ଭଳି ଲାଗୁଛି। ମଣିଷ ନିଜର ପ୍ରେୟସୀର ରୂପ ବର୍ଣ୍ଣନା କଲାବେଳେ ପଶୁପକ୍ଷୀଙ୍କୁ ରୂପ ବିଭବର ମାନଦଣ୍ଡ ଭାବରେ ଗ୍ରହଣ କରିଥାଏ; କିନ୍ତୁ ବାସ୍ତବରେ ସେହି ପଶୁପକ୍ଷୀଙ୍କ ପ୍ରତି ତା’ର ବର୍ବର ଆଚରଣ ସତରେ ହୃଦୟ ବିଦାରକ। ଏମିତି ଦେଖିଲେ, ପ୍ରକୃତିର ଯାହାକୁ ଯାହାକୁ ନେଇ ନିଜଠି ଶ୍ରେଷ୍ଠତ୍ୱ ଆରୋପିତ କରିବାକୁ ଉଦାହରଣ ଦେଇଥାଏ; ତା’ ଉପରେ ଆକ୍ରମଣ କରିଥାଏ। ତଥାକଥିତ ଶ୍ରେଷ୍ଠ ଜୀବର ଏଭଳି ଆଚରଣ କିଭଳି ଭାବରେ ଗ୍ରହଣ କରାଯାଇପାରିବ? ସୌନ୍ଦର୍ଯ୍ୟବୋଧର ଅଭାବ ହିଁ ଏହାର କାରଣ।

ସୌନ୍ଦର୍ଯ୍ୟ ଅକ୍ଷୟ, ଅନନ୍ତ ଓ ଅବିନଶ୍ୱର। ଏହାକୁ କଦର୍ଯ୍ୟ କରିହେବ ନାହିଁ। ତେବେ ଯାହା ହେବ ସାମୟିକ ବିକୃତି, ତା’ର ପରିଣାମ ମଣିଷକୁ ଭୋଗିବାକୁ ପଡ଼ିବ। ଆଉ କେବେ ଚେତିବ ମଣିଷ? ଆସନ୍ତୁ, ସବୁଠି ସୁନ୍ଦର ଦେଖିବା, ଈଶ୍ୱର ଦେଖିବା, ସୁନ୍ଦରକୁ ସୁନ୍ଦର କହିବା; ଯଦି ପାରିବା ସୁନ୍ଦରକୁ ଆହୁରି ସୁନ୍ଦରତର କରିବା। ଆମେ ସୁନ୍ଦର, ପୃଥିବୀ ସୁନ୍ଦର; ସୁନ୍ଦରତା ଆମର ଜନ୍ମଗତ ପ୍ରାପ୍ତି ଓ ଅଧିକାର। ଶେଷରେ ଭକ୍ତ କବି ମଧୁସୂଦନ ରାଓଙ୍କ କବିତାରୁ: କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର।

Comments are closed.