ବିଶ୍ବ ତାପମାତ୍ରା ବୃଦ୍ଧି ଆଗକୁ ଜଟିଳ ରୂପ ଧାରଣ କରିବାକୁ ଯାଉଥିବା ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ‘ନାସା’ ଚେତାଇ ଦେଇଛି। ଆସନ୍ତା ପ୍ରାୟ ୮୦ ବର୍ଷ; ଅର୍ଥାତ୍ ୨୧୦୦ ଶତାବ୍ଦୀ ବେଳକୁ ବରଫ ଖଣ୍ଡ (ଗ୍ଲାସିୟର) ତରଳିବା ଯୋଗୁଁ ଭାରତ ଉପକୂଳରେ ଥିବା ୧୨ଟି ସହରକୁ ୩ଫୁଟ ପାଣି ମାଡ଼ି ଯିବାର ସମ୍ଭାବନା ରହିଛି ବୋଲି ‘ନାସା’ କହିଛି। ଏହି ସହରଗୁଡ଼ିକ ହେଲା- ଗୁଜୁରାଟର ଓଖା, କାଣ୍ଡଲା ଓ ଭାବନଗର, ଗୋଆର ମୋରମୁଗାଓ, ମହାରାଷ୍ଟ୍ରର ମୁମ୍ବଇ, କର୍ଣ୍ଣାଟକର ମାଙ୍ଗାଲୁରୁ, ତାମିଲନାଡ଼ୁର ଚେନ୍ନଇ ଓ ଟୁଟିକୋରିନ୍, ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, କେରଳର କୋଚି, ଓଡ଼ିଶାର ପାରାଦ୍ବୀପ ଓ ପଶ୍ଚିମବଙ୍ଗର ଖିଦିରପୁର। ତେଣୁ ଭବିଷ୍ୟତରେ ଏହି ସହର ଉପକୂଳରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନ ଛାଡ଼ିବାକୁ ପଡ଼ିପାରେ। ଜଳବାୟୁ ପରିବର୍ତ୍ତନ ନ ରୋକିଲେ ୨୧୦୦ ଶତାବ୍ଦୀ ବେଳକୁ ବିଶ୍ବର ତାପାମାତ୍ରା ଯଥେଷ୍ଟ ବୃଦ୍ଧି ପାଇପାରେ। ଜନସାଧାରଣ ଭୀଷଣ ଗରମରେ ଅତିଷ୍ଠ ହେବେ। ଅଙ୍ଗାରକାମ୍ଳ ନିର୍ଗମନ ଓ ପ୍ରଦୂଷଣ ନ ରୋକିଲେ ଏବେକାର ତାପମାତ୍ରାଠାରୁ ୨୧୦୦ ମସିହା ବେଳକୁ ବିଶ୍ବର ତାପମାତ୍ରା ପ୍ରାୟ ୪.୪ଂ ସେଲସିୟସ ବୃଦ୍ଧି ପାଇପାରେ। ଆସନ୍ତା ଦୁଇ ଦଶକ ମଧ୍ୟରେ ବିଶ୍ବର ତାପମାତ୍ରା ୧.୫ଂ ସେଲସିୟସ ବୃଦ୍ଧି ପାଇପାରେ ବୋଲି ‘ନାସା’ ସୂଚନା ଦେଇଛି। ତାପମାତ୍ରା ବୃଦ୍ଧି ହେତୁ ଗ୍ଲାସିୟର ତରଳିବା ଆରମ୍ଭ କରିବ। ଏହାଦ୍ବାରା ସମୁଦ୍ର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବ। ଏପରି ହେଲେ ଭାରତର ଉପରୋକ୍ତ ୧୨ଟି ସହର ମଧ୍ୟକୁ ୩ ଫୁଟ ଉଚ୍ଚତାର ସମୁଦ୍ର ଜଳ ମାଡ଼ିଯିବ; ଯାହାକି ଚିନ୍ତାର ବିଷୟ। ‘ନାସା’ର ପ୍ରଶାସନିକ ଅଧିକାରୀ ବିଲ୍ ନେଲସନ୍ କହିଛନ୍ତି, ଆଗାମା ଶତାବ୍ଦୀ ସୁଦ୍ଧା ବିଶ୍ବର ସମୁଦ୍ର ତଟବର୍ତ୍ତୀ ଅଧିକାଂଶ ଦେଶର କ୍ଷେତ୍ରଫଳ ହ୍ରାସ ପାଇପାରେ। ସମୁଦ୍ର ଜଳ ଏପରି ମାଡ଼ିବ ଯେ ତାହାକୁ ରୋକିବା କଷ୍ଟକର ହୋଇ ପଡ଼ିବ। ଏ ପର୍ଯ୍ୟନ୍ତ ଅନେକ ଦ୍ବୀପ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। ଆଗକୁ ଆହୁରି ଅଧିକ ଦ୍ବୀପ ସମୁଦ୍ରରେ ଡୁବିଯିବ ବୋଲି ସେ କହିଛନ୍ତି।
ବିଶ୍ବ ତାପମାତ୍ରା ବୃଦ୍ଧିର କୁପ୍ରଭାବ ଏସିଆ ତଥା ଭାରତ ଉପରେ ଅଧିକ ପଡ଼ିପାରେ। ହିମାଳୟ ପର୍ବତ ଶୃଙ୍ଖଳାର ଗ୍ଲାସିୟର ତରିଳିବା ଆରମ୍ଭ କଲାଣି। ଏହି ପର୍ବତରୁ ନିର୍ଗତ ଝରଣା ଓ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ା ଅତୀତରେ ଉତ୍ତରାଖଣ୍ଡରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ଦେଶରେ ଏବେ ଯେତେ ପରିମାଣରେ ବର୍ଷା ହେଉଛି ଆଗକୁ ଏହାଠାରୁ ଅଧିକ ବର୍ଷା ହୋଇପାରେ। ବିଶେଷକରି ଦକ୍ଷିଣରେ ଥିବା ରାଜ୍ୟଗୁଡ଼ିକରେ ଅଧିକ ବର୍ଷା ହୋଇପାରେ। ଆଗକୁ ଯେଉଁ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ସେଥିପାଇଁ ମାନବ ସମାଜ ହିଁ ଦାୟୀ। ଗତ ଦୁଇ ହଜାର ବର୍ଷ ମଧ୍ୟରେ ବିଶ୍ବ ଜଳବାୟୁରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ସଭିଙ୍କୁ ଚକିତ କରିଛି। ୧୭୫୦ ମସିହା ପରଠାରୁ ବିଶ୍ବରେ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଇ ଆସୁଛି। ୨୦୧୯ ମସିହାରେ ବିଶ୍ବରେ ସର୍ବାଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୋଇଥିବା ରେକର୍ଡ କରାଯାଇଥିଲା। ଏହି ବର୍ଷ ଅଙ୍ଗାରକାମ୍ଳ ସହ ମିଥେନ, ଓ ନାଇଟ୍ରିକ୍ ଅକସାଇଡ୍ ପରିମାଣ ଗତ ୮୦ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଥିଲା। ୧୯୭୦ ମସିହାଠାରୁ ବିଶ୍ବତାପମାନ ବୃଦ୍ଧି ପାଇବା ପରିଲକ୍ଷିତ ହୋଇଥିଲା। ୫୦ ବର୍ଷ ମଧ୍ୟରେ ବିଶ୍ବରେ ଉତ୍ତାପ ଯେତେ ବୃଦ୍ଧି ପାଇଛି ଗତ ଦୁଇ ହଜାର ବର୍ଷ ମଧ୍ୟରେ ସେତିକି ବୃଦ୍ଧି ପାଇ ନଥିଲା। ୧୯୫ଟି ଦେଶର ୨୩୪ ଜଣ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି, ଭାରତୀୟ ଉପମହାଦେଶରେ ୧୮୫୦ ରୁ ୧୯୦୦ ମଧ୍ୟରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ହିମାଳୟ ପର୍ବତ ଶୃଙ୍ଖଳାରେ ଥିବା ଗ୍ଳାସିୟର ତରଳିବା ଯୋଗୁଁ ପର୍ବତର ଉଚ୍ଚତା ହ୍ରାସ ପାଇଛି। ଆଗକୁ ପର୍ବତ ପାଦ ଦେଶରେ ଥିବା ଅଞ୍ଚଳଗୁଡ଼ିକରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଦେଖାଦେବ।
ଆଗାମୀ କିଛି ଦଶକ ମଧ୍ୟରେ ପ୍ରବଳ ଲୁ (ଉଷ୍ଣ ବାୟୁ) ବହିବା ସହ ଭୀଷଣ ବର୍ଷା, ସାମୁଦ୍ରିକ ଝଡ଼ ଓ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବ। ଦେଶର ବିଭିନ୍ନ ସ୍ଥାନରେ ମରୁଡ଼ି ଦେଖାଦେବା ସାଙ୍ଗକୁ ବର୍ଷାର ସମୟ ପରିବର୍ତ୍ତନ ହେବ। ବାୟୁ ପ୍ରଦୂଷଣର ପ୍ରଭାବ ମୌସୁମି ବାୟୁ ଉପରେ ପଡ଼ିବ। ଏବେ ପ୍ରାୟତଃ ଜୁନ୍ ମାସ ଆରମ୍ଭରେ ମୌସୁମି ବାୟୁ ଭାରତ ଉପକୂଳକୁ ଛୁଇଁଥାଏ। ଆଗକୁ ଏଥିରେ ପରିବର୍ତ୍ତନ ଦେଖାଦେଇପାରେ। ଦେଖିବାକୁ ଗଲେ ଗତ ୫୦ ବର୍ଷ ମଧ୍ୟରେ ଅନ୍ୟ ମହାସାଗରଠାରୁ ଭାରତ ମହାସାଗରର ଜଳପତ୍ତନ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆରେ ୪ଂ ତାପମାତ୍ରା ବୃଦ୍ଧି ପାଇଛି। ଆଗକୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗିବା ସହ ଅଧିକ ବନ୍ୟା ଓ ମରୁଡ଼ି ଦେଖାଦେବ। ଅଙ୍ଗାରକାମ୍ଳ ଗ୍ୟାସ୍ ଉତ୍ସର୍ଜନ ଯଦି ହ୍ରାସ ପାଆନ୍ତା ଆଗକୁ ଏପରି ପରିସ୍ଥିତି ଉପୁଜନ୍ତା ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭୂତଳ ଜଳ ହ୍ରାସ ଯୋଗୁଁ ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିବ। ଭବିଷ୍ୟତରେ ବିଶ୍ବ ଯେଉଁ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛି ଏଥିପାଇଁ ମନୁଷ୍ୟ ହିଁ ଦାୟୀ। ଜଙ୍ଗଲ ଧ୍ବଂସ କରି କଳକାରଖାନା ପ୍ରତିଷ୍ଠା କରିବା ପାଇଁ ବିଶ୍ବର ଦେଶଗୁଡ଼ିକ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏହାକୁ ରୋକା ନଗଲେ ଆଗକୁ ବିନାଶ ନିଶ୍ଚିତ।


