www.samajalive.in
Friday, December 12, 2025
14.1 C
Bhubaneswar

ସାମାଜିକ ଗଣମାଧ୍ୟମ ଓ ଆଜିର ସମାଜ

ଭାରତର ମୋଟ ଜନସଂଖ୍ୟାର ଶତକଡ଼ା ୭୯ ଭାଗ ଲୋଙ୍କ ହାତରେ ଏବେ ମୋବାଇଲ ଫୋନ। ଶତକଡ଼ା ୪୧ ଭାଗ ଇଣ୍ଟରନେଟ ସହ ଯୋଡ଼ି ହୋଇଛନ୍ତି। ୩୨.୩ ଭାଗ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏଥିରୁ ଅନୁମାନ କରାଯାଇପାରେ ଆମ ସାଂପ୍ରତିକ ସମାଜରେ ସାମାଜିକ ଗଣମାଧ୍ୟମର ଗଭୀରତା କେତେ। ପିଲାଠାରୁ ବୁଢ଼ାଯାଏ ସଭିଏଁ ଫେସ୍‌ବୁକ, ହ୍ୱାଟ୍‌ସଆପ୍‌, ୟୁଟ୍ୟୁବ, ଟୁଇଟର ଭଳି ମାଧ୍ୟମ ସହ ଅଭ୍ୟସ୍ତ ହୋଇଗଲେଣି। ଆଧୁନିକ ଜୀବନ ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲାଣି ସୂଚନା ପ୍ରଯୁକ୍ତି ଓ ସାମାଜିକ ଗଣମାଧ୍ୟମ। ଏବେ ହାତ ପାଆନ୍ତାରେ ସୂଚନା, ଘଟଣା, ଖବର ଓ ତଥ୍ୟ। ଯେ କୌଣସି ପ୍ରସଙ୍ଗରେ ନିଜର ମତ ସାବ୍ୟସ୍ତ କରିବାରେ କେହି ଆଉ ପଛରେ ନାହାନ୍ତି। ଘଟଣାଟିଏ ଘଟୁଘଟୁ ତା’ ଉପରେ ଭଲମନ୍ଦ ମତମନ୍ତବ୍ୟ ସ​‌େ​‌ଙ୍ଗସଙ୍ଗେ ଛାଇ ଯାଉଛି ସାମାଜିକ ଗଣମାଧ୍ୟମରେ। ଏହାଦ୍ୱାରା ଆମର ଦୈନନ୍ଦିନ ଜୀବନଶୈଳୀ ଖୁବ ପ୍ରଭାବିତ ହେଉଛି। ନିଜସ୍ୱ ମୌଳିକ ଚିନ୍ତା ଚେତନା ଅପେକ୍ଷା ଆମର ନିଷ୍ପତ୍ତି ସାମାଜିକ ଗଣମାଧ୍ୟମର ବିଚାରଧାରା ଦ୍ୱାରା ଅଧିକ ପ୍ରଭାବିତ ହେବାରେ ଲାଗିଛି। ଏଣୁ ବେଳେବେଳେ ଅସୁବିଧା ସୃଷ୍ଟି ହେଉଛି। ଆମର ଅଜାଣତରେ ଆମେ ଏକ ନିର୍ଦ୍ଦିଷ୍ଟ ମତବାଦର ଅନ୍ଧ ସମର୍ଥକ ସାଜୁଛେ।

ସମୟ ଥିଲା କୌଣସି ପ୍ରସଙ୍ଗରେ ବିଦ୍ୱାନଗଣ ସଭାସମିତି ମାଧ୍ୟମରେ ନିଜର ମତାମତ ରଖୁଥିଲେ। ସେ ସଂପର୍କରେ ସମ୍ବାଦପତ୍ରରେ ରିପୋର୍ଟମାନ ପ୍ରକାଶିତ ହେଉଥିଲା। ଲୋକେ ପଢ଼ୁଥିଲେ ଓ ଜାଣୁଥିଲେ। ଅନେକ ବିଶେଷଜ୍ଞ ବହି ମାଧ୍ୟମରେ ନିଜର ବିଚାରଧାରା ପ୍ରକାଶିତ କରୁଥିଲେ। ସମୟ ବଦଳୁଛି। ଏବେ ୨୪x୭ ଶହଶହ ଟିଭି ଚାନେଲ। ଗଦାଗଦା ସମ୍ବାଦପତ୍ର, ପତ୍ରିକା ଓ ପୁସ୍ତକ। ତହିଁରେ ପୁଣି ଗତ କିଛି ବର୍ଷ ହେଲା ଟୁଇଟର, ଫେସବୁକ୍‍, ହ୍ୱାଟ୍‌ସଆପ୍‌, ୟୁଟ୍ୟୁବ୍‍ ଭଳି ସାମାଜିକ ଗଣମାଧ୍ୟମ ବିଛେଇ ହେଇ ରହିଛି। ସୁଲଭତା ଓ ସହଜତା ଦୃଷ୍ଟିରୁ ପ୍ରତିଟି ପ୍ରସଙ୍ଗର ଭଲମନ୍ଦ ଉପରେ ହଜାରହଜାର ପ୍ରତିକ୍ରିୟା ତୁରନ୍ତ ଓ ତୀବ୍ର ବେଗରେ ପ୍ରସାରିତ ହେଉଛି। ଲୋକେ ଆଉ ଖବରକାଗଜ ବା ଟିଭିକୁ ଅପେକ୍ଷା କରୁ ନାହାନ୍ତି ଖବର ଜାଣିବାପାଇଁ। ଘଟଣାଟି ଘଟିବା ମାତ୍ରେ ବା ପ୍ରସଙ୍ଗଟିଏ ଉପସ୍ଥାପିତ ହେଉହେଉ ତୀବ୍ର ବେଗରେ ସାମାଜିକ ଗଣମାଧ୍ୟମରେ ଖେଳି ବୁଲୁଛି ସୂଚନା। ରାଜନୈତିକ ନେତାଙ୍କ ପାଟିରୁ କଥାଟିଏ ବାହାରୁବାହାରୁ ତା ଉପରେ ଲୋକଙ୍କ ମନ୍ତବ୍ୟ ଦେବା ଆରମ୍ଭ ହୋଇ ଯାଉଛି। ସମସ୍ତ ରାଜନୈତିକ ଦଳର ‘ଆଇଟି ସେଲ୍‌’ ଏଥିପାଇଁ କାମ କରୁଛି। ‘ଟ୍ରୋଲ୍‌’ କରିବା ପାଇଁ ପ୍ରଶିକ୍ଷିତ ସମର୍ଥକ ତୟାର ଅଛନ୍ତି। ସୁନିୟୋଜିତ ଓ ସୁସଂଗଠିତ ଭାବେ ଚାଲିଛି ସାମାଜିକ ଗଣମାଧ୍ୟମ ଜରିଆରେ ନିଜସ୍ୱ ବିଚାରଧାରାର ପ୍ରଚାରପ୍ରସାର।

- Advertisement -

ଆଜିର ସମାଜରେ ସାମାଜିକ ଗଣମାଧ୍ୟମ ବାକ୍‍ ସ୍ୱାଧୀନତା ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଛି। ସହଜତା ଓ ତୀବ୍ରତା ଯୋଗୁଁ ମୁଖ୍ୟଧାରାର ଗଣମାଧ୍ୟମକୁ ପଛରେ ପକାଇ ସାମାଜିକ ଗଣମାଧ୍ୟମ ବେଶ୍‍ ଆଗକୁ ମାଡିଚାଲିଛି; କିନ୍ତୁ ଏହାର ଛତ୍ରଛାୟା ତଳେ ବେଳେବେଳେ ଭ୍ରାନ୍ତ ସୂଚନା, ଭ୍ରମାତ୍ମକ ପରିସଂଖ୍ୟାନ, ବିଦ୍ୱେଷପୂର୍ଣ୍ଣ ମନ୍ତବ୍ୟମାନ ପ୍ରସାରିତ ହେଉଛି। ଫଳରେ ସାମାଜିକ ସଦ୍‍ଭାବ, ଶାନ୍ତିମୈତ୍ରୀ ଓ ଭାଇଚାରା ନଷ୍ଟ ହେଉଛି। ଏଭଳି ଅପପ୍ରଚାରରେ ପ୍ରଭାବିତ କିଛି ଅବିବେକୀ ହିଂସା, ଦଙ୍ଗା ଭଳି ଅମାନବୀୟ କର୍ମ କରିବସୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ସଂଗଠିତ କ୍ୟାପିଟାଲ ହିଲ ବିକ୍ଷୋଭ, ଦିଲ୍ଲୀ ଦଙ୍ଗା, କୃଷକ ଆନ୍ଦୋଳନ ଭିତରେ ଲାଲ୍‌କିଲା ହିଂସା ଏ ସବୁର ଏକ ଏକ ଉଦାହରଣ। ହିଂସାକୁ କୌଣସି ମତେ ସମର୍ଥନ କରାଯାଇ ନପାରେ। ସୁସ୍ଥ ସାମାଜିକ ସହାବସ୍ଥାନ ପାଇଁ ଏହା ଏକ ବିପଦ। ନିର୍ଭୀକ ଓ ଚାପଶୂନ୍ୟ ହୋଇ ନିଜର ସ୍ୱାଧୀନ ମତ ପ୍ରକାଶ କରିବା ଅଥବା ଅସହମତିକୁ ବ୍ୟକ୍ତ କରିବାର ଅଧିକାର ଆମ ସମ୍ବିଧାନ ଦେଇଛି; କିନ୍ତୁ ପ୍ରତିବାଦ ନାଁରେ ହିଂସା ସର୍ବାଦୌ ନିନ୍ଦନୀୟ।

ସାମାଜିକ ଗଣମାଧ୍ୟମର ଏଭଳି ଅପପ୍ରୟୋଗ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ସୂଚନା ପ୍ରଯୁକ୍ତି ଆଇନ ୨୦୦୦ ମସିହାରୁ ପ୍ରଣୀତ ହୋଇଥିଲେ ମଧ୍ୟ ଏହି ଆଇନ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିବାରେ ବିଫଳ ହେଉଥିବା ଦେଖାଯାଉଛି। ସେଥିପାଇଁ କେନ୍ଦ୍ର ସରକାର ଗତ ଫେବୃଆରୀ ଶେଷ ସପ୍ତାହରେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିବା ପାଇଁ ଏକ ନିୟମାବଳୀ ଜାରି କରିଛନ୍ତି। ଆଶା କରାଯାଉଛି ଏଭଳି ପ୍ରୟାସ ଦ୍ୱାରା ତଥ୍ୟ ବିନିମୟ, ମତମନ୍ତବ୍ୟ ପ୍ରସାରଣ ଓ ବାର୍ତ୍ତା ପ୍ରେରଣରେ କିଛିଟା ଶାଳୀନତା ଆସିବ। ବିଦ୍ୱେଷ ସୃଷ୍ଟିକାରୀ ବିଷୟବସ୍ତୁର ଉତ୍ସକୁ ଚିହ୍ନିତ କରିହେବ ଓ ତା’ର ପ୍ରସାରଣକୁ ରୋକା ଯାଇପାରିବ।

ବାକ୍‍ ସ୍ୱାଧୀନତାକୁ ଭିନ୍ନ ଦୃଷ୍ଟିରେ ତର୍ଜମା କରୁଥିବା କିଛି ଗୋଷ୍ଠୀ ଏ ନିୟମାବଳୀର ଘୋର ବିରୋଧ କରୁଛନ୍ତି। ଏଭଳି ନିୟମକାନୁନ ସ୍ୱାଧୀନ ମତ ସାବ୍ୟସ୍ତ କରିବାର ଅଧିକାରକୁ ସଙ୍କୁଚିତ କରିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ସରକାର ଏହି ନିୟମାବଳୀ ମାଧ୍ୟମରେ ଭିନ୍ନ ମତକୁ ଚପେଇ ଦେବାର ଚକ୍ରାନ୍ତ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ସେମାନଙ୍କ ଆଶଙ୍କା ମଧ୍ୟ ଅମୂଳକ ନୁହେଁ। ନିକଟ ଅତୀତରେ ଟୁଲ୍‌କିଟ ମାମଲାରେ କେନ୍ଦ୍ର ସରକାରଙ୍କ ତତ୍ପରତା ଓ ଗିରଫଦାରୀ ଏ ଦୃଷ୍ଟିରୁ ଗୁରୁତ୍ୱପୁର୍ଣ୍ଣ। ସରକାର କେବେ ବି ରାଷ୍ଟ୍ର ନୁହେଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଆସେ ଓ ଯାଏ। ସରକାର ବଦଳିଲେ ସରକାରୀ ନିଷ୍ପତ୍ତି ବଦଳିଯାଏ। ସମସ୍ତ ସରକାରୀ ନିଷ୍ପତ୍ତି ଯେ ରାଷ୍ଟ୍ରହିତ ପାଇଁ ଉଦ୍ଦିଷ୍ଟ ଏହା କୁହାଯାଇ ପାରିବ ନାହିଁ। ଏଣୁ ସୁସ୍ଥ ଗଣତାନ୍ତ୍ରିକ ସମାଜରେ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ୱର ମଧ୍ୟ ନିଷ୍ପ୍ରଭ ହେବା ଉଚିତ ନୁହେଁ। ସାମାଜିକ ଗଣମାଧ୍ୟମ ଏଭଳି କ୍ଷେତ୍ରରେ ଅଧିକ ଉପଯୋଗୀ ମନେହୁଏ। ସମାଜର ନିମ୍ନସ୍ତରର ସ୍ୱରକୁ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସାରା ବିଶ୍ୱରେ ପ୍ରସାରିତ କରାଯାଇ ପାରୁଛି। ପୃଥିବୀରେ ଯେ କୌଣସି ଅଞ୍ଚଳରେ ଘଟୁଥିବା ଘଟଣା ଉପରେ ସମଗ୍ର ପୃଥିବୀରୁ ପ୍ରତିକ୍ରିୟା ଆସୁଛି। ଭୌ‌େଗାଳିକ ସୀମା ସରହଦକୁ ସାମାଜିକ ଗଣମାଧ୍ୟମ ଚୁରମାର କରିଦେଇଛି। ସାଂପ୍ରତିକ ସମାଜ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବକୁ ରୋକାଯାଇ ପାରିବ ନାହିଁ। ସତର୍କତା, ସଂଯମ ଓ ସହିଷ୍ଣୁତା ଯଦି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଧ୍ୟେୟ ହୁଏ, ତେବେ ଏହି ପ୍ରଭାବଶାଳୀ ଗଣମାଧ୍ୟମ ଏକ ଉନ୍ନତ ସମାଜ ଗଠନରେ ନିଶ୍ଚିତରୂପେ ସହାୟକ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories