ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦଙ୍କୁ ବାଚସ୍ପତିଙ୍କ ଚିଠି

0

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ସାଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଗତ ବଜେଟ୍‍ ଅଧିବେଶନ ଭଳି ଏଥର ମଧ୍ୟ ବିରୋଧୀ ଦଳଗୁଡିକର ହଟ୍ଟଗୋଳ କାରଣରୁ ଅଧିବେଶନରେ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଙ୍ଗଳବାର ଏକ ଭାବପ୍ରବଣ ଚିଠି ଲେଖି ମୌସୁମୀ ଅଧିବେଶନ ସୁରୁଖୁରୁରେ ସମ୍ପାଦନ କରିବାରେ ସାଂସଦମାନଙ୍କ ସହଯୋଗ ଲୋଡିଛନ୍ତି। ଦୁଇ ପୃଷ୍ଠା ସମ୍ବଳିତ ଉକ୍ତ ଚିଠିରେ ସେ ସାଂସଦମାନଙ୍କୁ ସେମାନଙ୍କ ନୈତିକ ଦାୟିତ୍ୱ ସ୍ମରଣ କରାଇଛନ୍ତି। ସେ ଲେଖିଛନ୍ତି, ବିଗତ ଦିନରେ ଅନ୍ୟ ଦଳଗୁଡିକ କିଭଳି ଆଚରଣ କରିଥିଲେ ତାହା ଦର୍ଶାଇ ଯଦି ବର୍ତ୍ତମାନ ବିରୋଧୀ ଦଳଗୁଡିକ ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ତା’ହେଲେ ସଂସଦରେ ଏଭଳି ଅଚଳାବସ୍ଥାର ଚକ୍ର ଲାଗିରହିବ। ଏଣୁ ସଂସଦ ଏବଂ ଗଣତନ୍ତ୍ରର ଭାବମୂର୍ତ୍ତି କିଭଳି ହେବା ଉଚିତ ସେ ବିଷୟରେ ଆତ୍ମଚିନ୍ତନ କରିବାର ସମୟ ଆସିଛି। ଗଣତନ୍ତ୍ରର ମନ୍ଦିର ‘ସଂସଦ’ର ମର୍ଯ୍ୟାଦା ରକ୍ଷା କରିବା ଏକ ସାମୂହିକ ଦାୟିତ୍ୱ। ସମ୍ମାନସ୍ପଦ ସଂସଦର ସଦସ୍ୟ ହେବା ମଧ୍ୟ ବିଶେଷ ଅଧିକାର। ଅନ୍ୟପଟେ ସାଂସଦମାନଙ୍କ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ଖୁବ୍‍ ବେଶୀ। ସଂସଦରେ ସାଂସଦମାନେ କିଭଳି କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ଲୋକେ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ଗଣମାଧ୍ୟମ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରୁଛି। ଏଣୁ ନିଜ ନିର୍ବାଚନମଣ୍ଡଳୀ ତଥା ଦେଶବାସୀଙ୍କ ଆଶା ପୂରଣ ସହିତ ଦେଶର ଉନ୍ନତି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ନିମନ୍ତେ ସାଂସଦମାନେ ଯତ୍ନଶୀଳ ହେବା ଆବଶ୍ୟକ। ସଂସଦରେ ସଦସ୍ୟମାନଙ୍କ ଆଚରଣକୁ ନେଇ ଆମେ ନୀତିନିୟମର କଥା କହୁଛେ। ଏହି ନିୟମକୁ ପରବର୍ତ୍ତୀ ପିଢି ଯେଭଳି ପାଳନ କରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ସାଂସଦମାନେ କ୍ରମାଗତ ଭାବେ ଗୃହର ମଧ୍ୟଭାଗକୁ ଚାଲିଆସି ହୋହଲ୍ଲା କରୁଛନ୍ତି; କିନ୍ତୁ ପାର୍ଲାମେଣ୍ଟର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ମତପାର୍ଥକ୍ୟ ଉପସ୍ଥାପନ କରାଯିବା ଉଚିତ। ସଂସଦରେ ଅନୁଚିତ ଆଚରଣ ପ୍ରଦର୍ଶନ ପୂର୍ବକ ଯେଭଳି ଗୃହ କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି କରାଯାଉଛି ତାହା ଯଥାର୍ଥ କୁହାଯାଇପାରିବ କି ବୋଲି ବାଚସ୍ପତି ପ୍ରଶ୍ନ କରିଛନ୍ତି। ଯଦି ଏହି ଯୁକ୍ତିକୁ ଗ୍ରହଣ କରାଯାଏ ତା’ହେଲେ ସଂସଦ କାର୍ଯ୍ୟରେ ଏଭଳି ବିଭ୍ରାଟ ଲାଗିରହିବ ବୋଲି ସେ ଦର୍ଶାଇଛନ୍ତି। ବିଶେଷକରି ସାଂସଦମାନେ ସଂସଦୀୟ ଆଲୋଚନାରେ ଯେଭଳି ଅଂଶଗ୍ରହଣ କରୁଛନ୍ତି ତାହା ଯୁବପିଢି ଉପରେ ବିଶେଷ ପ୍ରଭାବ ପକାଇବ। ଗୀତାର ଏକ ଶ୍ଲୋକ ଉଲ୍ଲେଖ କରି ବାଚସ୍ପତି ଦର୍ଶାଇଛନ୍ତି, ବିଦ୍ୱାନ ବ୍ୟକ୍ତି ଯେଭଳି କାର୍ଯ୍ୟ କରନ୍ତି, ଅନ୍ୟମାନେ ମଧ୍ୟ ସେହିଭଳି କାମ କରନ୍ତି। ସେମାନେ ଯେଉଁ ମାନଦଣ୍ଡ ସ୍ଥାପନ କରନ୍ତି ସାରା ବିଶ୍ୱ ତାହାକୁ ଅନୁକରଣ କରେ। ଆଗାମୀ ଅଧିବେଶନରେ ସାଂସଦମାନେ ରାଜନୈତିକ ଲଢେଇ ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ ରଖି ସଂସଦରେ ଗଣତାନ୍ତ୍ରିତକ ଦାୟିତ୍ୱ ନିର୍ବାହ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ରେ ଶେଷ ହେବ।

Leave A Reply