ରିକେଲଟନଙ୍କ ଶତକ; ଦକ୍ଷିଣ ଆଫ୍ରିକାର ବୃହତ୍‌ ବିଜୟ

କରାଚି: ପ୍ରଥମ ସଂସ୍କରଣର ଚମ୍ପିଆନ ଦକ୍ଷିଣ ଆଫ୍ରିକା ବୃହତ୍‌ ବିଜୟ ସହ ଚମ୍ପିଆନ୍‌ସ ଟ୍ରଫି କ୍ରିକେଟ ନବମ ସଂସ୍କରଣ-୨୦୨୫ରେ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର କରାଚିର ନ୍ୟାଶନାଲ ଷ୍ଟାଡ଼ିୟମରେ ଗ୍ରୁପ-ବି ର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୦୭ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ରିୟାନ ରିକେଲଟନଙ୍କ ଶତକ ୧୦୩ରନ ବଳରେ ୩୧୫ରନ କରିଥିଲା। ଜବାବରେ ଆଫଗାନିସ୍ତାନ ରେହମତ ଶାହଙ୍କ ୯୦ରନ ବଳରେ ୨୦୮ରନ କରିବାକୁ ସକ୍ଷମ ହୋଇଥିଲା।
୩୧୬ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ପ୍ରାରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଦଳ ୩୮ରନ ମଧ୍ୟରେ ଦୁଇ ଓପନରଙ୍କୁ ହରାଇଥିଲା। ରେହମାନଉଲ୍ଲା ଗୁର୍‌ବାଜ୍‌ ୧୦ ଓ ଇବ୍ରାହିମ ଜର୍ଡାନ ୧୭ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟର ପତନ ୫୦ରନରେ ଘଟିଥିଲା। ସାଦିଉଲ୍ଲା ଅଟଳ ୧୬ରନ କରି ଆଊଟ୍‌ ହୋଇଥିଲେ। ଚତୁର୍ଥ ୱିକେଟର ପତନ ମଧ୍ୟ ୫୦ରନରେ ଘଟିଥିଲା। ଅଧିନାୟକ ହାସମାତୁଲ୍ଲା ସାହିଦି ଖାତା ଖୋଲି ପାରିନଥିଲେ। ପଞ୍ଚମ ୱିକେଟରେ ରେହମତ ଶାହ ଓ ଆଜ୍‌ମାତୁଲ୍ଲା ଓମାରଜାଇ ସ୍କୋରକୁ ୮୯ରନରେ ପହଞ୍ଚାଇଥିଲେ। ଓମାରଜାଇ ୧୮ରନ କରି ଆଉଟ୍‌ ହୋଇଥିଲେ। ରେହମତ ଶାହଙ୍କ ଲଢୁଆ ୯୦ରନ ବଳରେ ଦଳ ୪୩.୩ ଓଭରରେ ୨୦୮ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡ଼ା ୩ଟି, ଲୁଙ୍ଗି ଏନ୍‌ଗିଡ଼ି ଓ ୱିୟାନ ମୁଲଡର ୨ଟି ଲେଖାଏଁ, ମାର୍କୋ ୟାନସେନ ଗୋଟିଏ ୱିକେଟ ନେଇଥିଲେ।
ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ୱିକେଟରେ ଟୋନି ଡି ଜର୍ଜି ଓ ରିୟାନ ରିକେଲଟନ ୨୮ରନ ଭାଗିଦାରୀ କରିଥିଲେ। ଟୋନି ଡି ଜର୍ଜି ୧୧ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଅଧିନାୟକ ତାମ୍ବେ ବଭୁମା ଓ ରିକେଲଟନ୍‌ ୧୨୯ରନ ଭାଗିଦାରୀ କରିଥିଲେ। ସ୍କୋର ୧୫୭ରନ ଥିବାବେଳେ ବଭୁମା ୫୮ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ରାଶି ଭାନ ଡାର ଡୁସେନ ଓ ରିକେଲଟନ ୪୪ରନ ସଂଗ୍ରହ କରିଥିଲେ। ୨୦୧ରନ ସ୍କୋର ଥିବାବେଳେ ରିକେଲଟନ ୧୦୩ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଭାନ ଡାର ଡୁସେନ ଓ ଏଡେନ ମାର୍କରାମ ୪୭ରନ ସଂଗ୍ରହ କରିବା ସହ ସ୍କୋରକୁ ୨୪୮ରନରେ ପହଞ୍ଚାଇଥିଲେ। ଡୁସେନ ୫୨ରନ କରି ଆଉଟ୍‌ ହୋଇଥିଲେ। ​ଶେଷ ଆଡକୁ ମାର୍କରାମଙ୍କ ୩୬ଟି ବଲରୁ ଅପରାଜିତ ୫୨ରନ ବଳରେ ଦଳ ୬ ୱିକେଟ ହରାଇ ୩୧୫ରନ କରିବାକୁ ସକ୍ଷମ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍‌ ମିଲର ୧୪ରନ କରି ଆଉଟ୍‌ ହୋଇଥିବାବେଳେ ୱିୟାନ ମୁଲଡର ୧୨ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ୨ଟି, ଫାଜଲହକ୍‌ ଫାରୁକି, ଆଜ୍‌ମାତୁଲ୍ଲା ଓମାରଜାଇ ଓ ନୂର ଅହମ୍ମଦ ପ୍ର‌େତ୍ୟକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।ରିୟାନ ରିକେଲଟନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Comments are closed.