ଭାରତର ନିର୍ବାଚନରେ ଆମେରିକାର ହସ୍ତକ୍ଷେପ ଉଦବେଗର ବିଷୟ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ପ୍ରକ୍ରିୟାରେ ଆମେରିକା ହସ୍ତକ୍ଷେପ କରିଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗ ପରେ ନୂଆଦିଲ୍ଲୀ ପ୍ରତିକ୍ରିୟାଶୀଳ ହୋଇଛି। ଶକ୍ରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଟ୍ରମ୍ପଙ୍କ ଅଭିଯୋଗ ଆଧାରରେ ଭାରତ ସରକାରଙ୍କ ସମ୍ପୃକ୍ତ ବିଭାଗ ଓ ଏଜେନ୍ସି ଏହା ଉପରେ ଅନୁଧ୍ୟାନ କରୁଛନ୍ତି। ଏପରି ଅଭିଯୋଗକୁ ଭାରତ ଗମ୍ଭୀରତାର ସହ ନେଇଛି। କାରଣ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଆନ୍ତର୍ଜାତିକ ହସ୍ତକ୍ଷେପ ଉଦ୍‌ବେଗର ବିଷୟ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଭାରତର ନିର୍ବାଚନ ପ୍ରକ୍ରିୟାରେ ଆମେରିକାର କିଛି ତତ୍ତ୍ବ ହସ୍ତକ୍ଷେପ କରିବା ସହିତ ଏଥିପାଇଁ ପାଣ୍ଠି ଯୋଗାଣ ହୋଇଥିବାର ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଉପରେ ଅନୁଧ୍ୟାନ କରାଯାଉଥିବାବେଳେ ଏ ସମ୍ପର୍କରେ ଏବେ ମତାମତ ଦେବା ଠିକ୍ ନୁହେଁ। ଗୁରୁବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଭାରତରେ କ୍ଷମତାସୀନ ସରକାରକୁ ହରାଇବା ଲାଗି ଜୋ ବାଇଡେନଙ୍କ ନେତୃତ୍ବାଧୀନ ଆମେରିକା ପ୍ରଶାସନ ବିପୁଳ ପାଣ୍ଠି ଯୋଗାଇଥିଲା। ଭାରତରେ ମତଦାନ ହାର ବୃଦ୍ଧି ନାମରେ ବାଇଡେନ ପ୍ରଶାସନ ୨୧ ନିୟୁତ ଡଲାର ପାଣ୍ଠି ଯୋଗାଇଥିଲା। ବାଇଡେନ ପ୍ରଶାସନ ଯେଉଁ ପାଣ୍ଠି ଯୋଗାଇଥିଲା ତାହା ସହାୟତା ରାଶି ନୁହେଁ ବରଂ ଏକ ଲାଞ୍ଚ (କିକ୍‌ବ୍ୟାକ୍) ଥିଲା। ଗୁରୁବାର ରିପବ୍ଲିକାନ ଗଭର୍ଣ୍ଣର ଆସୋସିଏସନର ଏକ ବୈଠକରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଥିଲେ। ଟ୍ରମ୍ପଙ୍କ ଅଭିଯୋଗ ପରେ ଭାରତକୁ ପାଣ୍ଠି ଯୋଗାଇଥିବା ଆମେରିକାର ଅନ୍ତର୍ଜାତୀୟ ଉନ୍ନୟନ ଏଜେନ୍ସି ଏହା ଉପରେ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇନାହିଁ। ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ପରେ ଭାରତରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି ଯେ ଭାରତର ନିର୍ବାଚନ ପ୍ରକ୍ରିୟାରେ ବିଦେଶ ରାଷ୍ଟ୍ରର ହସ୍ତକ୍ଷେପ ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଏହା ଭାରତର ଗଣତନ୍ତ୍ର ଉପରେ ଏକ ଆକ୍ରମଣ। ତେଣୁ ଏହା ଉପରେ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ। ଭାରତ ମଣ୍ଡପମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କାଳରେ ଧନକଡ କହିଛନ୍ତି ଯେ, ଆମେରିକା ପ୍ରେରିତ ସହାୟତା ରାଶି ଭାରତରେ ଦୁରୁପଯୋଗ ନେଇ ଟ୍ରମ୍ପ ଯେଉଁ ଅଭିଯୋଗ କରିଛନ୍ତି ତାହା ଚିନ୍ତାର ବିଷୟ। ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ ଆମେରିକା ଯେଉଁ ଲାଞ୍ଚ ଦେଇଥିଲା ସେଥିରୁ ରାହୁଲ ଗାନ୍ଧୀ ଓ ତାଙ୍କ ଦଳ କଂଗ୍ରେସ ଲାଭ ପାଇଛନ୍ତି କି ନାହିଁ ତା’ର ତଦନ୍ତ ହେବା ଦରକାର।

Comments are closed.