ସୌରଭ ବର୍ମା ରୁଷିଆ ଓପନ ବ୍ୟାଡମିଣ୍ଟନ ଚମ୍ପିଆନ

0

ଭ୍ଲାଡିଭୋଷ୍ଟକ୍‍(ରୁଷିଆ) : ଭାରତର ସୌରଭ ବର୍ମା ଏଠାରେ ଚାଲିଥିବା ରୁଷିଆ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ହୋଇଛନ୍ତି। ମିକ୍ସଡ ଡବଲ୍‍ସରେ ଭାରତୀୟ ଯୋଡି କୁହୁ ଗର୍ଗ ଓ ରୋହନ କପୁରଙ୍କୁ ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଛି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ୮ମ ସିଡ୍‍ ମାନ୍ୟତାପ୍ରାପ୍ତ ସୌରଭ ୧୮-୨୧, ୨୧-୧୨, ୨୧-୧୭ ଗେମରେ ଜାପାନର କୋକି ୱାତାନାବେଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ଗେମରେ ୱାତାନାବେ ଏକଦା ୧୧-୫ ପଏଣ୍ଟରେ ଆଗୁଆ ରହିଥିଲେ। ସୌରଭ ଏହି ବ୍ୟବଧାନ ୧୧-୧୨କୁ ହ୍ରାସ କରିଥିଲେ ସୁଦ୍ଧା ୱାତାନାବେ ପୁଣି ୧୮-୧୩ ପଏଣ୍ଟରେ ଆଗୁଆ ରହିଥିଲେ। ସୌରଭ କ୍ରମାଗତ ୫ ପଏଣ୍ଟ ହାସଲ କରି ଗେମକୁ ୧୮-୧୮ ସ୍ଥିତିକୁ ଆଣିଥିଲେ ସୁଦ୍ଧା ୱାତାନାବେ ଏହାକୁ ୨୧-୧୮ରେ ଜିତି ୧-୦ର ଆଗୁଆ ରହିଥିଲେ। ପ୍ରଥମ ଗେମ ହାରିବାପରେ ସୌରଭ ନିଜର ଏକାଗ୍ରତାକୁ ପୁଞ୍ଜିକରି ଏକଦା ୧୧-୬ ପଏଣ୍ଟରେ ଆଗୁଆ ରହିବା ସହ ଏହି ଗେମକୁ ୨୧-୧୨ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ।
ନିର୍ଣ୍ଣାୟକ ୩ୟ ଗେମରେ ସୌରଭ ଉନ୍ନତ ପ୍ରଦର୍ଶନ ଜାରି ରଖି ଏକଦା ୯-୩ ପଏଣ୍ଟରେ ଆଗୁଆ ରହିଥିଲେ। ୱାତାନାବେ ଲଢୁଆ ଖେଳ ଜରିଆରେ କ୍ରମାଗତ ପଏଣ୍ଟ ହାସଲ କରିବା ସହ ଗେମକୁ ୧୫-୧୫, ୧୭-୧୭ ସ୍ଥିତିକୁ ଆଣିଥିଲେ। ତେବେ ଅନ୍ତିମ ଲଗ୍ନରେ ସୌରଭ ଶକ୍ତିଶାଳୀ ସ୍ମାସ୍‍ ଓ କ୍ରସକୋର୍ଟ ଡ୍ରପ୍‍ ସଟ୍‍ ଜରିଆରେ ପ୍ରତିପକ୍ଷ ଖେଳାଳିଙ୍କୁ ଚକିତ କରି ଏହି ଗେମକୁ ୨୧-୧୭ରେ ଜିତିବା ସହ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ। ସୌରଭ ୨୦୧୬ରେ ଚାଇନିଜ୍‍ ତାଇପେ ଗ୍ରାଁପ୍ରିରେ ଚମ୍ପିଆନ ହୋଇଥିବାବେଳେ ବିଟ୍‍ବର୍ଗର ଓପନରେ ରନର୍ସଅପ୍‍ ହୋଇଥିଲେ। ଅପରପକ୍ଷରେ ମିକ୍ସଡ ଡବଲ୍‍ସ ଫାଇନାଲରେ ଭ୍ଲାଡିମିର ଇଭାନୋଭ (ରୁଷିଆ) ଓ ମିନ୍‍ କ୍ୟୁଙ୍ଗ୍‍ କିମ୍‍ (କୋରିଆ) ସିଧାସଳଖ ୨୧-୧୯, ୨୧-୧୭ ଗେମରେ ୨ୟ ସିଡ୍‍ କୁହୁ ଗର୍ଗ ଓ ରୋହନ କପୁରଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ଏହି ମୁକାବିଲା ୩୭ ମିନିଟ ମଧ୍ୟରେ ଶେଷ ହୋଇଥିଲା।

 

Leave A Reply