ସାଉଦି ଆରବ, ୟୁଏଇରେ ଅଟକ ଅଛନ୍ତି ୨୭ ଜଣ ପଞ୍ଜାବୀ

0

ଚଣ୍ଡୀଗଡ଼ : ଇରାକ୍‌ର ଆତଙ୍କବାଦୀ ସଂଗଠନ ଆଇଏସ୍‌ ଦ୍ୱାରା ନିହତ ୩୯ ଭାରତୀୟଙ୍କ ଦେହାବଶେଷ ଭାରତ ଫେରିବାର ଏକ ସପ୍ତାହ ପରେ ଭାରତୀୟଙ୍କୁ ଅଟକ ରଖାଯିବାର ଆଉ ଏକ ଘଟଣା ପଦାକୁ ଆସିଛି। ପଞ୍ଜାବର ୨୭ ଜଣ ଲୋକ ପରିବହନ ଏଜେଣ୍ଟଙ୍କ ପ୍ରଲୋଭନରେ ପଡି ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ (ୟୁଏଇ)ରେ ଅଟକ ରହିଥିବା ଜଣାପଡିଛି। ଆପ୍‌ ବିଧାୟକ ଜୟ କିଶାନ ସିଂହ ଏବଂ ଦଳୀୟ ମୁଖପାତ୍ର ହରଜୋତ୍‌ ସିଂହ ବେନ୍‌ସ ଏ ସମ୍ବନ୍ଧୀୟ ସମସ୍ତ ସୂଚନା ବୈଦେଶିକ ମନ୍ତ୍ରଣାଳୟକୁ ପ୍ରଦାନ କରି ସହାୟତା ଲୋଡିଛନ୍ତି। ଅଟକ ଲୋକମାନେ ଜୀବିକା ଅନ୍ୱେଷଣରେ ପଶ୍ଚିମ ଏସୀୟ ରାଷ୍ଟ୍ର ଦ୍ୱୟକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବହନ ଏଜେଣ୍ଟଙ୍କ କବଳରେ ପଡିଯାଇଥିଲେ। ସମ୍ପୃକ୍ତ ଏଜେଣ୍ଟ ସେମାନଙ୍କ ପାସ୍‌ପୋର୍ଟ ନେଇଯାଇଛନ୍ତି। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବିନା ଅଟକ ପଞ୍ଜାବୀମାନେ ସ୍ୱଦେଶ ଫେରିବା ସମ୍ଭବ ହେବ ନାହିଁ ବୋଲି ବିଧାୟକ ଦର୍ଶାଇଛନ୍ତି। ଏପରିକି ବିଭିନ୍ନ ଦେଶରେ ୩୦୦ରୁ ଊର୍ଦ୍ଧ୍ବ ପଞ୍ଜାବୀ ଅଟକ ରହିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଟକ ଲୋକଙ୍କ ପରିବାର ଲୋକେ ଆର୍ଥିକ ଅନଟନ ମଧ୍ୟରେ ରହିଥିବା ବେଳେ ନିଜ ପ୍ରିୟଜନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। କିନ୍ତୁ କୌଣସି ପ୍ରକାର ସହଯୋଗ ମିଳୁ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply