ସୋନିଆଙ୍କୁ ତିନି ଘଣ୍ଟା ଇଡି ଜେରା
ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ, ବହୁ ବରିଷ୍ଠ ନେତା ଅଟକ, କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ ଅଭିଯୋଗ କରି ୧୩ ଦଳଙ୍କ ମିଳିତ ବିବୃତି
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ପତ୍ରିକା ସମ୍ପର୍କିତ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିଛି। ଗୁରୁବାର ମଧ୍ୟାହ୍ନ ୧୨ଟା ୩୦ରେ ସୋନିଆ କରୋନାରୁ ସୁସ୍ଥ ପ୍ରମାଣପତ୍ର ସହ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଗହଣରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସୋନିଆଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ପ୍ରିୟଙ୍କାଙ୍କୁ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଅନୁମତି ମିଳିଥିଲା। ପରେ ଜଣେ ଅତିରିକ୍ତ ନିର୍ଦେଶକ ପାହ୍ୟାର ମହିଳା ଅଧିକାରୀଙ୍କ ସମେତ ୫ଜଣିଆ ଦଳ ତାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ଅପରାହ୍ଣ ୫ଟା ପର୍ଯ୍ୟନ୍ତ ପଚରାଉଚୁରା କରିଥିଲେ। ସେମାନେ ୫୦ଟି ପ୍ରଶ୍ନ ପ୍ରସ୍ତୁତ କରିଥିଲେ ମଧ୍ୟ ସେଥିରୁ ୩୬ଟି ପଚରାଯାଇଥିବା ସୂଚନା ମିଳିଛି। ଅାବଶ୍ୟକ ପଡ଼ିଲେ ତାଙ୍କୁ ପୁନର୍ବାର ହାଜର ହେବାକୁ ପଡ଼ିବା ସମ୍ଭାବନା ରହିଛି। ସୂଚନାନୁଯାୟୀ, ସୋନିଆଙ୍କୁ ଆଉ କିଛି ପଚାରିବାର ନାହିଁ ବୋଲି ଇଡି ଅଧିକାରୀମାନେ କହିବା ସହ ଫେରିବାକୁ ଅନୁମତି ଦେଇଥିଲେ; କିନ୍ତୁ ସୋନିଆ ଅସୁସ୍ଥତା କାରଣରୁ ଆଉ ଉତ୍ତର ଦେଇପାରିବେ ନାହିଁ ବୋଲି କହିଥିବା ପ୍ରଚାର ହୋଇଥିଲା। ଏହାର ଜବାବରେ ସୋନିଆ କହିଛନ୍ତି ଯେ ସେ ରାତି ୯ଟା ପର୍ଯ୍ୟନ୍ତ ଇଡି ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଇଥିଲେ। କଂଗ୍ରେସ ନେତା ଜୟରାମ ରମେଶ ଏହି ପରିପ୍ରେକ୍ଷୀରେ ଅପପ୍ରଚାରର ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଜୁନ ୮ ଓ ୨୩ରେ ଦୁଇ ଥର ସୋନିଆଙ୍କୁ ହାଜର ପାଇଁ ଇଡି ସମନ କରିଥିଲେ ମଧ୍ୟ ଅସୁସ୍ଥତା କାରଣରୁ ସେ ହାଜର ହୋଇପାରି ନ ଥିଲେ। ଗତ ମାସରେ ରାହୁଲ ଗାନ୍ଧୀଙ୍କୁ ଇଡି ଏହି ମାମଲାରେ ୫ ଦିନ ଧରି ପ୍ରାୟ ୫୦ଘଣ୍ଟା ଜେରା କରିଥିଲା।
ଅପରପକ୍ଷରେ ସୋନିଆଙ୍କୁ ଜେରାର ପ୍ରତିବାଦରେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀ ସମେତ ଦେଶ ତମାମ ସେମାନେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଇଡି ତାଙ୍କୁ ଜେରା କରୁଥିବା ଏବଂ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରୁଥିବା ନେତାମାନେ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ନିଜର ଶତ୍ରୁ ବୋଲି ଭାବୁଥିବା ସେମାନେ କହିଥିଲେ। ବିକ୍ଷୋଭରେ ସାମିଲ ପି. ଚିଦମ୍ବରମ୍, ଶଶୀ ତରୁର, ଜୟରାମ ରମେଶ, ଅଶୋକ ଗେହଲତ, ସଚିନ ପାଇଲଟ, ଅଜୟ ମାକେନ ପ୍ରମୁଖଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ୟୁପିଏ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ସାମିଲ ହୋଇଥିଲେ। ଏହା ପୂର୍ବରୁ ୧୩ ବିରୋଧୀ ଦଳ ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁଥିବା ସେମାନେ ଅଭିଯୋଗ କରିବା ସହ ଏ ସଂକ୍ରାନ୍ତ ମିଳିତ ବିବୃତି ଜାରି କରିଥିଲେ। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ବିକ୍ଷୋଭ ହିଂସାତ୍ମକ ହୋଇଥିଲା। ବିଭିନ୍ନ ସ୍ଥାନରେ ରେଳରୋକ କରାଯିବା ସହ ଜଳାପୋଡ଼ା କରାଯାଇଥିଲା। ବେଙ୍ଗାଲୁରୁରେ ଏକାଧିକ ଗାଡ଼ି ପୋଡ଼ାଯାଇଥିବାବେଳେ ପୁଲିସ ବହୁ ବରିଷ୍ଠ ନେତାଙ୍କ ସହ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା। କଂଗ୍ରେସର ଏଭଳି ଶକ୍ତି ପ୍ରଦର୍ଶନକୁ ନିନ୍ଦା କରିଛି ବିଜେପି। ଏହା ଗାନ୍ଧୀ ପରିବାରକୁ ସୁରକ୍ଷା ଦେବା ପାଇଁ କଂଗ୍ରେସର ‘ଦୁରାଗ୍ରହ’ ବା ଅବାଞ୍ଛିତ ଉଦ୍ୟମ ବୋଲି କହିଛନ୍ତି ବରିଷ୍ଠ ନେତା ରବିଶଙ୍କର ପ୍ରସାଦ।
Comments are closed.