ପାକିସ୍ତାନ ନିର୍ବାଚନ: ଲାହୋରରୁ ହାରିଲା ୨୬/୧୧ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ପୁଅ
ଡେସ୍କ: ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ମହମ୍ମଦ ହାଫିଜ୍ ସୟିଦଙ୍କ ପୁଅ ତାଲହା ସୟିଦ ଲାହୋରର ଏନ୍ଏ ୧୨୨ ଆସନରୁ ପାକିସ୍ତାନ ତେହରିକ-ଏ-ଇନସାଫ ସମର୍ଥିତ ଲତିଫ୍ ଖୋସାଙ୍କଠାରୁ ପରାସ୍ତ ହୋଇଛି।
ଲତିଫ ଖୋସା ୧ ଲକ୍ଷ ୧୭ ହଜାର ୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଲହା ସୟିଦଙ୍କୁ ମାତ୍ର ୨ ହଜାର ୨୪ ଖଣ୍ଡ ଭୋଟ୍ ମିଳିଛି। ପାକିସ୍ତାନ ମୁସଲିମ୍ ଲିଗର ନେତା ଖ୍ୱାଜା ସାଦ୍ ରଫିକଙ୍କୁ ୭୭ ହଜାର ୯୦୭ ଖଣ୍ଡ ଭୋଟ୍ ମିଳିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ପ୍ରତିଷ୍ଠାତା ହାଫିଜ ସୟିଦ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଅନେକ ମାମଲାରେ ଭାରତରେ ୱାଣ୍ଟେଡ୍ ରହିଛି।
ହାଫିଜ୍ ସୟିଦଙ୍କ ରାଜନୈତିକ ସଂସ୍ଥା ପିଏମଏମଏଲ ଫେବ୍ରୁଆରି ୮ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନର ପ୍ରତ୍ୟେକ ଜାତୀୟ ଓ ପ୍ରାଦେଶିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଥିଲା। ପ୍ରାରମ୍ଭିକ ଆକଳନ ଅନୁଯାୟୀ ପାକିସ୍ତାନ ମୁସଲିମ୍ ଲିଗ୍ – ନୱାଜ ୧୨ଟି ଆସନରେ ବିଜୟୀ ହୋଇଥିଲା। ପାକିସ୍ତାନ ନିର୍ବାଚନ ଆୟୋଗର ଅସ୍ଥାୟୀ ଫଳାଫଳକୁ ନେଇ ଡ଼ନ ଖବରକାଗଜ କହିଛି ଯେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୯ଟି ଆସନରେ ବିଜୟୀ ହୋଇଛନ୍ତି। ଇତିମଧ୍ୟରେ ପାକିସ୍ତାନ ପିପୁଲ୍ସ ପାର୍ଟି ୧୧ଟି ଆସନରେ ବିଜୟୀ ହୋଇଛି।
ତେବେ ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜା ମୁଖ୍ୟ ଶାସନ ସଚିବ, ଡିଆରଓ ଏବଂ ପ୍ରାଦେଶିକ ନିର୍ବାଚନ କମିଶନରଙ୍କ ସହ ଯୋଗାଯୋଗ କରି ତୁରନ୍ତ ଫଳାଫଳ ଘୋଷଣା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏନଏ-୧୩୦ ନିର୍ବାଚନ ମଣ୍ଡଳୀରେ ନୱାଜ ସରିଫ ୧ ଲକ୍ଷ ୭୧ ହଜାର ୨୪ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନୱାଜ ସରିଫଙ୍କ ଭାଇ ଶେହବାଜ ସରିଫ ଏନଏ-୧୨୩ ଆସନରେ ୬୩ ହଜାର ୯୫୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ତେହରିକ-ଏ-ଇନସାଫ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଅଫଜଲ ଅଜିମ ୪୮ ହଜାର ୪୮୬ ଖଣ୍ଡ ଭୋଟ୍ ପାଇଛନ୍ତି।
ସେହିପରି ଲାହୋର ପିପି-୧୫୮ ଆସନରେ ଶେହବାଜ ସରିଫ ୩୮ ହଜାର ୬୪୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୟୁସୁଫ ଅଲ୍ଲୀ ୨୩ ହଜାର ୮୪୭ ଖଣ୍ଡ ଭୋଟ ପାଇ ଉପବିଜେତା ହୋଇଛନ୍ତି। ତାଙ୍କ ପୁଅ ମହମ୍ମଦ ହମ୍ଜା ଶେହବାଜ ସରିଫ୍ ଲାହୋରର ଏନଏ-୧୧୮ ଆସନରୁ ୧ ଲକ୍ଷ ୫ ହଜାର ୯୬୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।
ଲାହୋରର ପିପି-୧୮୯ ଆସନରେ ପିଏମଏଲ-ଏନର ମୁଖ୍ୟ ସଂଗଠକ ମରିୟମ ନୱାଜ ୨୩ ହଜାର ୫୯୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସମସ୍ତ ମତଦାନ କେନ୍ଦ୍ରରୁ ମିଳିଥିବା ଅନୌପଚାରିକ ଫଳାଫଳ ଅନୁଯାୟୀ, ହମଜା ଶେହବାଜ ପାକିସ୍ତାନ ତେହରିକ-ଏ-ଇନସାଫ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଆଲିଆ ହମ୍ଜାଙ୍କ ଠାରୁ ୧ ଲକ୍ଷ ୮୦୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ପିଟିଆଇ ନେତା ବାରିଷ୍ଟର ଗୋହର ଅଲ୍ଲୀ ଦାବି କରିଛନ୍ତି ଯେ ପିଟିଆଇ ୧୫୦ଟି ଆସନରେ ଆଗୁଆ ରହିଛି ଏବଂ ଏହା ପାକିସ୍ତାନରେ ସରକାର ଗଠନ କରିବ।
Comments are closed.