ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଫଳାଫଳ ଘୋଷଣା ହେବା ପରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜେ.ଡି. ଭାନ୍ସ ମଧ୍ୟ ବିଜୟୀ ହୋଇଛନ୍ତି। ଗତ ଥରର ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଥିବାବେଳେ ଚଳିତଥର ଉପରାଷ୍ଟ୍ରପତି ହୋଇଥିବା ଜେ.ଡି. ଭାନ୍ସଙ୍କର ବି ଭାରତ ସହିତ ବଡ଼ ସମ୍ପର୍କ ରହିଛି। କାରଣ ସମ୍ପର୍କରେ ଦେଖିବାକୁ ଗଲେ ଜେ.ଡି. ଆନ୍ଧ୍ରପ୍ରଦେଶ ତଥା ଭାରତର ଜ୍ବାଇଁ ହେବେ। ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ। ତାଙ୍କର ପ୍ରକୃତ ନାମ ହେଉଛି ଉଷା ଚିଲୁକୁଡି ଭାନ୍ସ। ଆନ୍ଧ୍ରର ନିଡାଡାଭୋଲୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଲୁରୁ ଗ୍ରାମର ପୂର୍ବ ବାସିନ୍ଦା ହେଉଛନ୍ତି ଉଷା। ଉଷାଙ୍କ ସ୍ଵାମୀ ଜେ.ଡି. ଭାନ୍ସ ବିଜୟୀ ହେବା ପରେ ଏହି ଗାଁରେ ଖେଳିଯାଇଛି ଖୁସିର ଲହରୀ। ଏହା ସହିତ ଉଷା ଏଣିକି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସେକେଣ୍ଡ ଲେଡି ବା ଦ୍ଵିତୀୟ ମହିଳା ଭାବେ ବିବେବିତ ହେବେ।
ଗ୍ରାମର ଜଣେ ବାସିନ୍ଦା ରମନା କୁହନ୍ତି, ଆମେ ଆଶା ରଖିଥିଲୁ ଟ୍ରମ୍ପ ବିଜୟୀ ହେବେ ବୋଲି। ସାରା ବିଶ୍ଵରେ ଆମେରିକା ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି। ଟ୍ରମ୍ପ ରାଷ୍ଟ୍ରପତି ହେଲେ ଭାରତ ସହିତ ଆମେରିକାର ସମ୍ପର୍କ ମଜଭୁତ ହେବ। ଆମ ଗାଁର ଝିଅର ସ୍ଵାମୀ ଉପରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ।
ରମନା ଆହୁରି କହିଛନ୍ତି, ଉଷାଙ୍କ ପରିବାର ୫୦ ବର୍ଷ ତଳେ ଗାଁରୁ ଚାଲିଯାଇଥିଲେ। କିନ୍ତୁ ଗାଁ ସହିତ ସେମାନଙ୍କ ସମ୍ପର୍କ ନିବିଡ଼ ରହିଛି। କାରଣ ଏଠାରୁ ସେମାନେ ଯିବା ପରେ ବି ଗାଁର ଉନ୍ନତି କଥା ସବୁବେଳେ ଚିନ୍ତା କରନ୍ତି। ଗ୍ରାମବାସୀଙ୍କୁ ସେମାନେ ଶିକ୍ଷିତ କରାଇଛନ୍ତି। ସାଇବାବା ମନ୍ଦିର, ଲକ୍ଷ୍ମୀ ନରସିହ୍ମା ସ୍ଵାମୀ ଏବଂ ଦେମୀ ବାଲା ସୀତା ମନ୍ଦିର ନିର୍ମାଣ ଲାଗି ଉଷାଙ୍କ ପରିବାର ଗାଁକୁ ଜାଗା ଦେଇଛନ୍ତି।
୩୮ ବର୍ଷୀୟା ଉଷା ଭାନ୍ସ ୨୦୧୪ ମସିହାରେ ଜେ.ଡି. ଭାନ୍ସଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ୟେଲ୍ ଲା’ ସ୍କୁଲରେ ଉଷାଙ୍କର ଜେ.ଡିଙ୍କ ସହିତ ସାକ୍ଷାତ ହୋଇଥିଲା। ଉଭୟଙ୍କର ଏବେ ୩ଟି ସନ୍ତାନ ରହିଛନ୍ତି। ଉଷା ପେସାରେ ଜଣେ ଓକିଲ।



