ମୃତ୍ତିକା ପ୍ରଦୂଷଣ ଯୋଗୁଁ ବଢ଼ୁଛି ହୃଦ୍ରୋଗ ଆଶଙ୍କା ; ବିଶ୍ବରେ ବର୍ଷକୁ ମରୁଛନ୍ତି ୯୦ ଲକ୍ଷ
କଟକ : ମୃତ୍ତିକାରେ କୀଟନାଶକ ଏବଂ ଭାରୀ ଧାତୁର ଉପସ୍ଥିତି ଯୋଗୁଁ ମଣିଷର ହୃଦୟ ତଥା ରକ୍ତବାହିକାଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଜଳ, ବାୟୁ ଓ ମୃତ୍ତିକାର ପ୍ରଦୂଷଣ ଯୋଗୁଁ ବିଶ୍ବରେ ପ୍ରତିବର୍ଷ ୯୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁ ମଧ୍ୟରୁ ଅନ୍ୟୂନ ୬୦ଶତକଡ଼ା ହୃଦୟ(ହୃତ୍ପିଣ୍ଡ) ଓ ରକ୍ତବାହିକା ସମ୍ପର୍କିତ ସମସ୍ୟାରୁ ଉପୁଜିଥାଏ ବୋଲି ଏକ ନୂତନ ଗବେଷଣା ନିବନ୍ଧରୁ ଜଣାପଡିଥିବା ହୃଦବକ୍ଷ ଶଲ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକ କହିଛନ୍ତି।
ନିକଟରେ କରାଯାଇଥିବା ଗବେଷଣା ଅନୁଯାୟୀ ମୃତ୍ତିକା ପ୍ରଦୂଷଣଜନିତ ବିପଦ, ପ୍ରଦୂଷିତ ବାୟୁଜନିତ ପ୍ରଭାବଠାରୁ କମ୍ ଦୃଶ୍ୟମାନ୍। ମୃତ୍ତିକାରେ ଥିବା ପ୍ରଦୂଷକଗୁଡିକ ହୃଦୟ ଓ ରକ୍ତବାହିକା ସ୍ୱାସ୍ଥ୍ୟକୁ ଅଧିକ ମାତ୍ରାରେ ପ୍ରଭାବିତ କରିପାରେ। ପ୍ରଦୂଷଣ ପ୍ରବାହ ବା ଇନଫ୍ଲାମେସନ ତଥା ଶରୀରର ପ୍ରାକୃତିକ ଘଡ଼ିକୁ ନଷ୍ଟ କରିଦେବା ପରି ପ୍ରକ୍ରିୟାଗୁଡିକ ଯୋଗୁଁ ଏହା ଘଟିଥାଏ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି।
ମୃତ୍ତିକା ପ୍ରଦୂଷଣ ଯୋଗୁଁ ହୃଦୟ ରକ୍ତବାହିକା ସମ୍ପର୍କିତ ରୋଗ ରକ୍ତବାହିକା ଗୁଡିକରେ ଜାରଣଜନିତ ଚାପ ବଢ଼ିବା ଦ୍ୱାରା ଏହି ରୋଗ ଅଧିକ ବୃଦ୍ଧି ପାଇପାରେ। ମରୁଭୂମିର ଧୂଳି, ରାସାୟନିକ ସାରର ସୂକ୍ଷ୍ମ ଅଂଶ ବା ଅଣୁ ପ୍ଲାଷ୍ଟିକ୍ ମଣିଷ ଶରୀରରେ ଧୂଳି ଆକାରରେ ପ୍ରବେଶ କରିଥାଏ। କ୍ୟାଡମିୟମ୍ ଓ ସୀସା ପରି ଭାରୀ ଧାତୁ, ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍ ଏବଂ ଜୈବିକ ବିଷାକ୍ତ ଦ୍ରବ୍ୟ ଶରୀରରେ ପ୍ରବେଶ କରିପାରନ୍ତି।
ମୃତ୍ତିକାରେ ଥିବା ପ୍ରଦୂଷକଗୁଡ଼ିକ ପ୍ରବାହିତ ହୋଇ ନଦୀ ଜଳରେ ମିଶି ଦୂଷିତ କରିଦିଅନ୍ତି। କ୍ୟାଡମିୟମ ଏକ ଭାରୀ ଧାତୁଗୁଡ଼ିକ ମଣିଷର ସ୍ବାସ୍ଥ୍ୟ ପାଇଁ ଘାତକ ବିବେଚିତ ହେଉଛି। ଆର୍ସେନିକ୍ ସଂସ୍ପର୍ଶରେ ଆସିଲେ ତାହା ହୃଦୟ ଓ ରକ୍ତବାହିକା ସମ୍ପର୍କିତ ହୃଦ୍ରୋଗ ଯୋଗୁଁ ମୃତ୍ୟୁର ଆଶଙ୍କା ବଢ଼ାଇ ଦେଇଥାଏ। ଶିଳ୍ପ ପ୍ରକ୍ରିୟା ତଥା ପ୍ରଦୂଷିତ ଜଳରେ ଜଳସେଚନ କରାଗଲେ ଆର୍ସେନିକ୍ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ। ଏସ୍ସିବି ମେଡିକାଲ ହସ୍ପିଟାଲ ଓ କଲେଜର ହୃଦରୋଗ ବିଶେଷଜ୍ଞ ଡା. ନିହାର ରଞ୍ଜନ ପରିଡ଼ା କୁହନ୍ତି ନାନୋ ଓ ମାଇକ୍ରୋ ପ୍ଲାଷ୍ଟିକ କଣିକାଗୁଡ଼ିକ ମଣିଷର ରକ୍ତସ୍ରୋତରେ ମିଶି ସେଗୁଡ଼ିକୁ ବିଭିନ୍ନ ଅଙ୍ଗରେ ପହଞ୍ଚି ସେଠାରେ ପ୍ରବାହ ସୃଷ୍ଟି କରିବା, ଶରୀରର ପାଚନ ପ୍ରକ୍ରିୟା ତଥା ହୃଦୟ ସଂକ୍ରାନ୍ତୀୟ ସମସ୍ୟାମାନ ସୃଷ୍ଟି ଆଶଙ୍କା କରିବା ସମ୍ଭବ। ଭାରୀ ଧାତୁ, ପ୍ଲାଷ୍ଟିକ୍ ଏବଂ କୀଟନାଶକକୁ ଏଡ଼ାଇ ଦେଇ ଲୋକେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଆବଶ୍ୟକ ବୋଲି ଡାକ୍ତର ପରିଡ଼ା କହିଛନ୍ତି।
ଖାଦ୍ୟ ଉତ୍ପାଦନ ପାଇଁ ସୁସ୍ଥ ମୃତ୍ତିକା, ନିର୍ମଳ ବାୟୁ, ଜୈବ ବିବିଧତା ଏବଂ ପ୍ରଦୂଷଣମୁକ୍ତ ଜଳ ଆବଶ୍ୟକ। ଏହା ହୋଇପାରିଲେ ହୃଦରୋଗ ଭଳି ବିପଦକୁ ମଣିଷ ଏଡ଼ାଇ ପାରିବ ବୋଲି ଉଭୟ ଡାକ୍ତର ଗୁରୁତ୍ବ ଦେଇଛନ୍ତି। ପାରିବେଶିକ ସ୍ୱାସ୍ଥ୍ୟ, ବିଶେଷ କରି ମୃତ୍ତିକାର ସ୍ୱାସ୍ଥ୍ୟ ମଣିଷମାନଙ୍କ ସ୍ୱାସ୍ଥ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମୃତ୍ତିକାକୁ ଅଧିକ ସ୍ୱାସ୍ଥ୍ୟକର, ଦୀର୍ଘକାଳ ସ୍ଥାୟୀ, ପୁଷ୍ଟି ସମୃଦ୍ଧ ଏବଂ ଅପେକ୍ଷାକୃତ ଭାବେ କମ୍ ପ୍ରଦୂଷିତ କଲେ ଆମେମାନେ ମୃତ୍ତିକାର ବିଷକ୍ରିୟାର ପ୍ରଭାବ କମାଇ ପାରିବା ଏବଂ ହୃଦରୋଗରୁ ନିଜକୁ ସୁରକ୍ଷିତ ରଖିପାରିବା।
Comments are closed.