ଟିଟିଲାଗଡ଼ : ବଲାଙ୍ଗିର ଜିଲାରେ କରୋନା ମହାମାରି ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି। ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଂଚଳ ସମେତ ଜିଲା ମୁଖ୍ୟାଳୟ ବଲାଙ୍ଗିରରେ ପ୍ରତ୍ୟେହ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବୃଦ୍ଧି କରିଛି। ଟିଟିଲାଗଡ ସହରରେ ଏହି ନିକଟରେ କରୋନା ସଂକ୍ରମିତ ଚିହ୍ନିତ ହୋଇ ଚିକିତ୍ସା ପାଇଁ ବଲାଙ୍ଗିର କୋଭିଡ ଡାକ୍ତରଖାନାରେ ଜନୈକ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ପୁର୍ବରୁ ମଧ୍ୟ ଟିଟିଲାଗଡ ପୌରାଂଚଳ ତଥା ବ୍ଲକ ଅଂଚଳରେ ଅନେକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନିତ୍ୟ ଦେଶର ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରି ଟିଟିଲାଗଡ ଅଂଚଳରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହେଉଛନ୍ତି। ଅନେକ ହୋମ କ୍ୱାରେନ୍ଟିନରେ ମଧ୍ୟ ରହିଛନ୍ତି। ଟିଟିଲାଗଡ ସହରକୁ ବଲାଙ୍ଗିରରୁ ଯିବା ଆସିବା କରି କାର୍ଯ୍ୟ କରୁଥିବା ଜନୈକ ସରକାରୀ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଆଲୋଚନା ହୋଇଛି। ଏପରିପ୍ରେକ୍ଷୀରେ ବଲାଙ୍ଗିର ଜିଲାପାଳ ଗତ ୪ ଦିନ ଧରି ସଟଡାଉନ ଘୋଷଣା କରିଥିବା ବେଳେ ଜୁଲାଇ ପରି ଅଗଷ୍ଟ ମାସରେ ମଧ୍ୟ ସାନ୍ଧ୍ୟକାଳୀନ କର୍ଫ୍ୟୁକୁ ବଳବତର ରଖିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାମାଜିକ ଦୁରତା ରକ୍ଷା ତଥା ମାସ୍କ ପରିଧାନ ଟିଟିଲାଗଡ ସହରରେ ଫୁ ମାରିଥିବା ଆଲୋଚନା ହୋଇଛି। ଏପରିକି ଆଜି ଟିଟିଲାଗଡ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ ଜମୁଥିବା ଅଭିଯୋଗ ହେଉଛି। ଟିଟିଲାଗଡ ଅଂଚଳରେ କେବଳ ପ୍ରବାସୀ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ସ୍ୱାବ ପରୀକ୍ଷା ପାଇଁ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଛି। ଯଦି ଘରକୁ ଘର ସ୍କ୍ରିନିଂ ହେବ ତେବେ ଅନେକ ସଂକ୍ରମିତ ଚିହ୍ନଟ ହେବା ଆଶଙ୍କା ରହିଥିବା ଆଲୋଚନା ହୋଇଛି। ଏପରିପ୍ରେକ୍ଷୀରେ କରୋନା କଟକଣା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଟିଟିଲାଗଡ ଗରିବ ସେନା ପକ୍ଷରୁ ଦାବି ହୋଇଛି। ଏନେଇ ସଂଗଠନ ପକ୍ଷରୁ ଆଜି ଟିଟିଲାଗଡ ଉପଜିଲାପାଳଙ୍କ ଠାରେ ସତର୍କତା ଦୃଷ୍ଟିରୁ ସରକାରୀ ତଥା ବେସରକାରି କର୍ମଚାରୀଙ୍କ ଅବାଧ ନିତ୍ୟ ଯିବାଆସିବା ଉପରେ ଅଂକୁଶ ଲଗାଇବା ପାଇଁ ଲିଖିତ ଦାବି ଉପସ୍ଥାପନ କରାଯାଇଥିବା ଜଣାଯାଇଛି।



