୮ ବର୍ଷରେ ପ୍ରାଣ ହରାଇଲେଣି ସାତ ହଜାର

ଭୁବନେଶ୍ବର : ବର୍ଷା ଋତୁରେ ରାଜ୍ୟରେ ସାପ କାମୁଡା ଭୟ ବଢିଛି। ରାଜ୍ୟରେ ପ୍ରତିବର୍ଷ ସାପ କାମୁଡା ଦ୍ବାରା ପ୍ରାୟ ୧୦୦୦ରୁ ଅଧିକ ଜୀବନ ଯାଉଛି। ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ସାପକାମୁଡାରେ ୭,୧୨୫ ପ୍ରାଣ ହରାଇଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ବିବିଧ କାର୍ଯ୍ୟକ୍ରମ ଜାରି ରହିଛି। ସାପକାମୁଡା ପରେ ଗୋଲଡେନ ଆୱାରକୁ ଗୁରୁତ୍ବ ଦିଆଯାଉଥିବାବେଳେ ଦେଶୀ ଚିକିତ୍ସାକୁ ବାରଣ କରାଯାଇଛି। ସାପ କାମୁଡି ଥିବା ବ୍ୟକ୍ତିବିଶେଷଙ୍କୁ  ଚଲାବୁଲା ନକରାଇ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟ ନେବା ଆବଶ୍ୟକ। ଏହାଦ୍ବାରା ଜୀବନ ବଞ୍ଚାଯାଇପାରିବ। ଚଳିତ ବର୍ଷ କେନ୍ଦ୍ର ସରକାର ଏଥିପାଇଁ ଜାତୀୟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଛନ୍ତି। ସେହିଭଳି ରାଜ୍ୟ ମଧ୍ୟରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ସିଡିଏମ୍‌ଓଙ୍କୁ ନିର୍ଦେଶନାମା ଜାରି କରାଯାଇଛି।

ଅନ୍ୟଦିନ ଅପେକ୍ଷା ବର୍ଷା ଦିନେ ଅଧିକ ସାପ ଦେଖାଦିଅନ୍ତି। ଓଡ଼ିଶାରେ ପ୍ରାୟ ୭୦ ପ୍ରତିଶତ ବିଷ ନଥିବା ସାପ ରହିଥିବାବେଳେ ୩୦ ପ୍ରତିଶତ ବିଷଧର ସାପ ଦେଖାଦେଇଥାନ୍ତି। ସେଥିମଧ୍ୟ‌ରୁ ୬ରୁ ୮ ପ୍ରକାର ବିଷଧର। ଯେଉଁଥିରେ ନାଗ, ଚିତି, ରଣା, ଧୂଳିଆ ବୋଡା, ଚନ୍ଦନ ବୋଡା, ନାଉଡଙ୍କିଆ ଅଛନ୍ତି। ଏହି ସାପ କାମୁଡିବା ଦ୍ବାରା ମୃତ୍ୟୁ ଘଟିବାର ଶତ ପ୍ରତିଶତ ସମ୍ଭାବନା ରହିଥାଏ। ସାପ କାମୁଡିବା ପରେ ସାପବିଷ ଅପେକ୍ଷା ଏଥିନେଇ ଥିବା ଡର ଅଧିକ ବିପଦ ସାଜିଥାଏ। ସେଥିପାଇଁ କେତେକ ହୃଦ୍‌ଘାତରେ ପ୍ରାଣ ହରାଇଥାନ୍ତି। ସେହିପରି ସାପ କାମୁଡିବା ପରେ ଚଲାବୁଲା ନକରି ଶରୀରକୁ ସ୍ଥିର ରଖି ତୁରନ୍ତ ଡାକ୍ତରଖାନା ନେବା ଆବଶ୍ୟକ। ସରକାରୀ ଡାକ୍ତରଖାନାଗୁଡ଼ିକରେ ପରୀକ୍ଷାରୁ ନେଇ ଆଣ୍ଟିଭେନମ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଦିଆଯାଉଛି। ତେଣୁ କୌଣସି ଝଡ଼ାଫୁଙ୍କା ବା ଗୁଣିଗାରେଡ଼ି  ଅବା ଦେଶୀ ଚିକିତ୍ସାରେ ସମୟ ନଷ୍ଟ ନକରି ଶୀଘ୍ର ହସ୍ପିଟାଲକୁ ନେବା ଦରକାର। ସେହିପରି ଆଣ୍ଟିଭେନମର ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ରହିଛି। ଅଭିଜ୍ଞ ଓ ପ୍ରଶିକ୍ଷଣ ନେଇଥିବା ଡାକ୍ତରଙ୍କ ହିଁ ଏହାକୁ ଦେଇପାରିବେ।

ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟ ପ୍ରଶମନ ପରିଚାଳନା ସହଭାଗିତାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ୨୦୨୩-୨୪ରେ ପ୍ରାୟ ୨୩୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କିଭଳି ଚିକିତ୍ସା କରିବେ ଏବଂ କ’ଣ ପଦକ୍ଷେପ ଗ୍ରହଣ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣରେ କୁହାଯାଇଛି। ଅସୁବିଧା ହେଲେ ବା ଅଧିକ ଗୁରୁତର ରୋଗୀ ହେଲେ ଜିଲା ତଥା ଭେଷଜ ମହାବିଦ୍ୟାଳୟକୁ ରେଫର କରିବେ। ଏହାଛଡା ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ ଭାଏଲ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ ଭାଏଲ ଆଣ୍ଟିଭେନମ ମହଜୁଦ ରହିବ। ଏହାସହିତ ସଦର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତା ଅନୁସାରେ ଆଣ୍ଟିଭେନମ ମହଜୁଦ ରହିବ। ଚଳିତ ବର୍ଷଠାରୁ ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗ ପରି ବର୍ଷ ତମାମ ସାପ କାମୁଡା ଚିକିତ୍ସା ଓ ନିରାକରଣ ଉପରେ କାର୍ଯ୍ୟକ୍ରମ କରାଯିବ। ସମସ୍ତ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ରହିବ। ସିଡିଏମ୍‌ଓ ସମ୍ପୃକ୍ତ ଜିଲାରୁ ତଥ୍ୟ ସଂଗ୍ରହ କରି ଏହାର ବିବରଣୀ ପ୍ରଦାନ କରିବେ। ଏନେଇ ରାଜ୍ୟ ଆକ୍ସନ ପ୍ଲାନ ତିଆରି ହେବ। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ଡାକ୍ତରଖାନାକୁ ନିର୍ଦେଶନାମା ଜାରି କରାଯାଇଛି। ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଆଣ୍ଟିଭେନମ ମଧ୍ୟ ମହଜୁଦ ରଖାଯାଇଛି।

ସ୍ନେକ ହେଳ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ବର୍ଷର ସବୁ ସମୟରେ ସାପ କାମୁଡା ମାମଲା ଆସିଥାଏ। କିନ୍ତୁ ବର୍ଷା ଦିନେ ଅଧିକ ରହିଥାଏ। ସାପ କାମୁଡିବା ପରେ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ଦରକାର। ସେହିପରି ସାପକାମୁଡା ପାଇଁ ଗୁଣିଗାରେଡି କରୁଥିବା ଗୁଣିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ବନ୍ୟପ୍ରାଣୀ ଭାବେ ବାଘ, ହାତୀ, ଭାଲୁ ଆକ୍ରମଣରେ ମୃତ୍ୟୁ ହେଲେ ୬ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି ମାତ୍ର ନିୟମ ଅନୁସାରେ ସାପ ବି ବନ୍ୟପ୍ରାଣୀରେ ଆସୁଥିବାବେଳେ ଏଥିପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି। ତେଣୁ ଏହାକୁ ବୃଦ୍ଧି କରାଯିବାକୁ ସେ ଦାବି କରିଛନ୍ତି।

ଭାରତରେ ଆତ୍ମହତ୍ୟା ଘଟଣା ବିଶ୍ବରେ ସର୍ବାଧିକ

Comments are closed.