bjd gruha runa

ଜାତୀୟ ରାଜପଥ-୫୫ ଓ ଅଇଁଠାପାଲି ଫ୍ଲାଇ ଓଭର ବ୍ରିଜ ନିର୍ମାଣର ପଥ ପରିଷ୍କାର, ନିର୍ବାଚନ ଆୟୋଗ ଦେଲେ ଅନୁମତି

BJD Bijuli 480×75 Mob

ସମ୍ବଲପୁର: ଜନତାଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଧ୍ୟାନରେ ରଖି ନିର୍ବାଚନ ଆୟୋଗ ଇତି ମଧ୍ୟରେ ଜାତୀୟ ରାଜପଥ – ୫୫ (ସମ୍ବଲପୁର – ଅନୁଗୁଳ ସେକ୍ସନର କିଛି କାର୍ଯ୍ୟ), ଅଇଁଠାପାଲି ଠାରେ ନିର୍ମାଣ ହେବାକୁ ଥିବା ୩.୫ କିମି ଦୀର୍ଘ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁରରେ ଜାତୀୟ ରାଜପଥ – ୫୩ ର ୨ ଲେନ ବିଶିଷ୍ଟ ରୋଡ ଓଭର ବ୍ରିଜ କାମ ପାଇଁ ଅନୁମତି ଦେଇଛନ୍ତି। ଫଳରେ ଏହି କାର୍ଯ୍ୟ ଗୁଡିକରେ ଥିବା ବାଧା ଗୁଡିକ ଦୂର ହୋଇଛି ଏବଂ ଖୁବ ଶୀଘ୍ର ରାସ୍ତା ଗୁଡିକର ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଜାତୀୟ ରାଜପଥ – ୫୫ ର ସମ୍ବଲପୁର – ଅନୁଗୁଳ ସେକ୍ସନର କିଛି କାର୍ଯ୍ୟ ପାଇଁ ୨୦୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ସମ୍ବଲପୁରର ଅଇଁଠାପାଲି ଠାରେ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲାରେ ଜାତୀୟ ରାଜପଥ – ୫୩ ରେ ୨ ଲେନ ବିଶିଷ୍ଟ ରୋଡ ଓଭର ବ୍ରିଜ କାର୍ଯ୍ୟ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇ ସାରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଜାତୀୟ ରାଜପଥ – ୫୩ ର ବରେଇପାଲି ଛକ ରୁ ଅଇଁଠାପାଲି ଛକ ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଥିବା ବେଳେ ଫ୍ଲାଏ ଓଭର ବ୍ରିଜର ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଣୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ। ଏଣୁ ଚିଠି ପାଇବା ପରେ ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗରେ ଅଇଁଠାପାଲି ଠାରେ ୩.୫ କିମି ଦୀର୍ଘ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ବ୍ରିଜ ଏବଂ ସମ୍ବଲପୁର ଜିଲାର ଜାତୀୟ ରାଜପଥ – ୫୩ (ସମ୍ବଲପୁର – କଟକ ଜାତୀୟ ରାଜପଥ) ରେ ୨ ଲେନ ବିଶିଷ୍ଟ ରୋଡ ଓଭର ବ୍ରିଜ ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ଏହା ପରେ ନିର୍ବାଚନ ପ୍ରକ୍ରିୟା ଦେଶରେ ଲାଗୁ ହୋଇ ଯାଇଥିବାରୁ ଏହି କାର୍ଯ୍ୟ ଗୁଡିକୁ କାର୍ଯ୍ୟାନ୍ୱୟନ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ବିଭାଗ ପକ୍ଷରୁ ଅନୁମତି ଲୋଡା ଯାଇଥିଲା। ନିର୍ବାଚନ ଆୟୋଗ ତରଫରୁ ଜନହିତକୁ ଧ୍ୟାନରେ ରଖି ଏହି ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜାତୀୟ ରାଜପଥ – ୫୫ ର ସମ୍ବଲପୁର – ଅନୁଗୁଳ ସେକ୍ସନ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ପ୍ରସ୍ତାବିତ ୫ ଲେନ ବିଶିଷ୍ଟ ଫ୍ଲାଏ ଓଭର ବ୍ରିଜ (ଅଇଁଠାପାଲି ଛକ) ଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବା ସହିତ ଏନଏଚ – ୫୩ରେ ଓଭର ବ୍ରିଜ ନାଗରିକଙ୍କ ଯାତାୟାତକୁ ଆହୁରୀ ସୁଗମ କରିବ।

ଏଥିସହ ଜନତାଙ୍କ ଯାତାୟାତ ସୁରକ୍ଷିତ ହେବା ସହ ସ୍ଥାନୀୟ ଅଞ୍ଚଳର ଶିଳ୍ପ କ୍ଷେତ୍ରର ବିକାଶରେ ସହାୟ ହୋଇ ଓଡିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୃତ ଅଭିବୃଦ୍ଧି ହେବ। ଦୀର୍ଘ ଦିନର ଦାବି ଇତି ମଧ୍ୟରେ ପୂରଣ ହେବାକୁ ଯାଉଥିବାର ଜନତାଙ୍କ ମଧ୍ୟରେ ଏହାକୁ ପ୍ରଶଂସା କରାଯିବା ସହିତ ଯଥାଶିଘ୍ର ପ୍ରକଳ୍ପ ଗୁଡିକୁ କାର୍ଯ୍ୟାନ୍ୱୟ କରି ଧନଜୀବନ ସୁରକ୍ଷା ସହିତ ଅଞ୍ଚଳର ବିକାଶ କରାଯାଉ ବୋଲି ମତ ପ୍ରକାଶ କରିଛନ୍ତି।

Comments are closed.