ନିଦ୍ରାହୀନ ରାତି, ତାରାହୀନ ଆକାଶ

 

ମୃଣାଳ ଚାଟାର୍ଜୀ
ସଂଚାରମାର୍ଗ, ଢେଙ୍କାନାଳ
ଦୂରଭାଷ:୯୪୩୭୦୨୬୧୯୪

ସମ୍ପ୍ରତି ବିଜ୍ଞାନ ପତ୍ରପତ୍ରିକାରୁ ଦୁଇଟି ଖବର ମୋତେ ବଡ଼ ଆଚମ୍ବିତ କଲା। ନିଦ୍ରାକୁ ନେଇ ଗବେଷଣା କହୁଛି ଲୋକେ କ୍ରମଶଃ କମ୍‍ ଶୋଉଛନ୍ତି । ବିଶେଷ କରି ରାତିରେ ଲୋକେ ଯେତେ ସମୟ ଶୋଉଥିଲେ ତାହା କମିଯାଇଛି ।
ଡାକ୍ତରୀ ଦୃଷ୍ଟିକୋଣରୁ ନିଦ୍ରାହୀନତାକୁ ଦୁଇଟି ଭାଗରେ ଦେଖାଯାଏ: ଇନ୍‍ସୋମ୍‍ନିଆ ଆଉ ସ୍ଲିପ୍‍ ଆପ୍‍ନିଆ । ଇନ୍‍ସୋମ୍‍ନିଆ ହେଲା- ଜଣେ ଶୋଇବାକୁ ଚାହୁଁଥିବ, ଶୋଇବାର ସବୁ ବ୍ୟବସ୍ଥା ବି ଥିବ ହେଲେ ତାକୁ ନିଦ ହେଉନଥିବ । ଏହାର ବିଭିନ୍ନ କାରଣ ଥାଇପାରେ: ମାନସିକ ଚାପ, ଉତ୍‍କଣ୍ଠା, ହତାଶ ଭାବ (ଡିପ୍ରେସନ୍‍)ଅଧିକ କାମର ଚାପ (ଷ୍ଟ୍ରେସ୍‍) କିମ୍ବା ଅନ୍ୟାନ୍ୟ କିଛି। ସ୍ଲିପ୍‌ ଆପ୍‍ନିଆ ହେଲା ନିଦ ହେବାରେ ସମସ୍ୟା ନାହିଁ, ହେଲେ ନିଦ ବେଳେ ବିଭିନ୍ନ କାରଣରୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଫଳରେ ବାରମ୍ବାର ନିଦ ଭାଙ୍ଗିଯିବା । ଗୋଟେ ହିସାବ କହୁଛି ଭାରତରେ ପାଖାପାଖି ତିନି କୋଟି ଲୋକ ସ୍ଲିପ୍‍ ଆପ୍‍ନିଆରେ ଭୋଗୁଛନ୍ତି। ଇନ୍‍ସୋମ୍‍ନିଆରେ କେତେ ଲୋକ ଭୋଗୁଛନ୍ତି ତା’ର କୌଣସି ନିର୍ଭରଯୋଗ୍ୟ ପରିସଂଖ୍ୟାନ ନାହିଁ । ତେବେ ଏହା ଯେ କ୍ରମଶଃ ଆଶଙ୍କାଜନକ ଭାବେ ବଢ଼ୁଛି- ତାହା ବିଭିନ୍ନ ସନ୍ଦର୍ଭରେ କରାଯାଇଥିବା ପରୀକ୍ଷା ନିରୀକ୍ଷାରେ ସ୍ପଷ୍ଟ । ଆଉ ନିଦ୍ରାହୀନତା ଭୋଗନ୍ତୁ ବା ନ ଭୋଗନ୍ତୁ- ଅଧିକ ରାତି ଯାଏ ଚେଇଁ ରହିବାର ଚଳଣି ବି ବଢ଼ୁଛି । ଦଶ-କୋଡ଼ିଏ ବର୍ଷ ତଳେ ଗାଁଗହଳରେ ଲୋକେ ସାଧାରଣତଃ ଯେଉଁ ସମୟରେ ଶୋଇପଡ଼ୁଥିଲେ- ଏବେ ତାଠୁଁ ବହୁ ବିଳମ୍ବରେ ଶୋଉଛନ୍ତି ।
ଆଲୋକ ପ୍ରଦୂଷଣକୁ ନେଇ ହେଉଥିବା ଗବେଷଣା କହୁଛି; କ୍ରମଶଃ ରାତିର ଆକାଶରେ ଅନ୍ଧକାର ସାନ୍ଧ୍ରତା କମିଯାଉଛି । ରାତିର ଆକାଶ କ୍ରମଶଃ ଅଧିକ ଉଜ୍ଜ୍ୱଳ ହୋଇଉଠୁଛି । ଅର୍ଥାତ୍‍ ଯେତିକି ଅନ୍ଧାର ରହିବା କଥା କ୍ରମଶଃ ତାହା ରହୁ ନାହିଁ । ଆଲୋକ ପ୍ରଦୂଷଣ ଏହାର ମୁଖ୍ୟ କାରଣ ବୋଲି ସେମାନେ ଅନୁମାନ କରୁଛନ୍ତି । ତେଣୁ ଅନେକ ତାରା ଦିଶୁନାହାନ୍ତି। କେବଳ ସେତିକି ନୁହେଁ; ଆଲୋକ ପ୍ରଦୂଷଣର ବିରୂପ ପ୍ରଭାବ ଚଢ଼େଇ ଏବଂ ପଶୁମାନଙ୍କ ଉପରେ ପଡ଼ୁଛି । ଏହା ଫଳରେ ପରିଯାୟୀ ଚଢ଼େଇମାନେ ସେମାନଙ୍କ ବାଟ ଭୁଲିଯିବାର ଆଶଙ୍କା ରହୁଛି। ମଣିଷର ସ୍ୱାସ୍ଥ୍ୟ ଉପରେ ବି ଏହାର ବିରୂପ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।
ଏ ଦୁଇଟି କଥା ଭିତରେ କିଛି ସମ୍ପର୍କ ଅଛି କି ନାହିଁ- ତାହା ମଧ୍ୟ ଏକ ବୈଜ୍ଞାନିକ ଗବେଷଣାର ଅପେକ୍ଷା ରଖେ । ତେବେ ଲୋକେ ଯେ କ୍ରମଶଃ ରାତିର ଆକାଶକୁ ଦେଖିବା କମ୍‍ କରିଦେଇଛନ୍ତି ବା ରାତିର ଆକାଶ ପୂର୍ବ ଭଳି ଆଉ କିଶୋର-ତରୁଣମାନଙ୍କୁ ଆକର୍ଷଣ କରି ପାରୁ ନାହିଁ- ଏହା ସତ୍ୟ। ମୟୂରଭଞ୍ଜରୁ ଅନୁପମ ଜେନା ସମ୍ପ୍ରତି ଖବରକାଗଜର ସମ୍ପାଦକଙ୍କ ପାଖକୁ ଗୋଟେ ଚିଠି ଲେଖି ଏହି ସ୍ଥିତି ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ପିଲାମାନେ ଆଉ ରାତିରେ ଆକାଶର ତାରା ଦେଖୁନାହାନ୍ତି।
ସେ ଲେଖିଥିଲେ, ସହରରେ ରହୁଥିବା ଅନେକ ପିଲା ରାତିର ତାରା ଦେଖି ନଥିବା ଖୁବ୍‍ ସମ୍ଭବ । ଏହାର କାରଣ ହୁଏତ ହୋଇପାରେ ଯେ ସେମାନଙ୍କ ପାଖରେ ରାତି ଆକାଶକୁ ଚାହିଁବା ଭଳି ଅବସର ନାହିଁ। ସେମାନେ ପାଠରେ ବ୍ୟସ୍ତ । ତା’ ପରେ ଯାହା ସମୟ ବଳିଲା, ସ୍ମାର୍ଟଫୋନ୍‍ ବା କଂପ୍ୟୁଟର ଗେମ୍‍ସରେ କଟେ । ବାପା, ମା’ ଭାବନ୍ତି ଯେ ପାଠର ବୋଝରେ ଭାରାକ୍ରାନ୍ତ ପିଲା ସ୍ମାର୍ଟଫୋନ ଦେଖି ବା କଂପ୍ୟୁଟର ଗେମ୍‍ ଖେଳି ଯଦି ମନ ଟିକେ ହାଲୁକା କରୁଛି ତ କରୁ ।
ଆଉ ଗୋଟେ କାରଣ ହୋଇପାରେ, ସହରରେ ବିଜୁଳି ଆଲୋକର ରୋଶଣି ହୁଏତ ତାରାମାନଙ୍କୁ ନିଷ୍ପ୍ରଭ କରିଦେଲାଣି । ସେମାନେ ଆଉ ଦିଶୁନାହାନ୍ତି । ତୃତୀୟ କାରଣ ହୋଇପାରେ, ବହୁତଳ ଫ୍ଲାଟ୍‍ଘରେ ରହୁଥିବା ପିଲାଙ୍କ ଲାଗି ଆକାଶକୁ ଚାହିଁବା ପାଇଁ ଛାତ ନାହିଁ; ବାଲକୋନି ଯାହା ଅଛି ସେଠୁ ଆକାଶ ଦିଶୁ ନ ଥାଇପାରେ ।
କାରଣ ଯାହା ହେଉ ନା କାହିଁକି- ପିଲାମାନେ ରାତି ଆକାଶ ଦେଖିବାର, ତା’ ଦ୍ୱାରା ବିମୋହିତ ହେବାର ଏବଂ ରାତି ଆକାଶରେ ଉଲ୍‍କାପାତ, ବାଦଲ ଓ ଜହ୍ନ ଭିତରେ ଲୁଚକାଳି ଖେଳ ଭଳି ଦୃଶ୍ୟରେ ରୋମାଂଚିତ ହେବାର ଅନୁଭୂତିରୁ ବଞ୍ଚିତ ହେଉଛନ୍ତି ।
ଚିଠି ଶେଷରେ ସେ ପିଲାମାନଙ୍କୁ ରାତିର ଆକାଶ ଦେଖିବାକୁ ପରାମର୍ଶ ଦେଇଛନ୍ତି । ଆଉ ଅଭିଭାବକମାନଙ୍କୁ କହିଛନ୍ତି, ରାତିର ଆକାଶ ପିଲାଙ୍କ ମନକୁ ଖୋଲି ଦେଇଥାଏ। ରାତିର ଆକାଶ ଅନେକଙ୍କୁ ସାହିତ୍ୟିକ, ଚିତ୍ରକାର, ବୈଜ୍ଞାନିକ କରିଛି। ଚାପଗ୍ରସ୍ତ ପିଲାଙ୍କ ମନକୁ ହାଲୁକା କରିବା ଲାଗି ଏକ ଖୋଲା ସ୍ଥାନରେ ରାତିର ଆକାଶ ଦେଖିବା ଭଲ । ଏ ଦିଗରେ ବାପା, ମା’, ଅଭିଭାବକ ବା ଶିକ୍ଷକ ସେମାନଙ୍କୁ ପ୍ରେରିତ କରନ୍ତୁ ।
ମୋତେ ଯେଉଁ କଥାଟି ବଡ଼ ଆଚମ୍ବିତ କରୁଛି ଲୋକେ ଯଦି ରାତିରେ ଆଗ ଭଳି ଶୋଉନାହାନ୍ତି, ବହୁ ସମୟ ଧରି ଚେଇଁରହୁଛନ୍ତି, ପୁଣି ରାତିର ଆକାଶକୁ ବି ଦେଖୁନାହାନ୍ତି, କୋଟି କୋଟି ତାରା, ଉଲ୍‍କାପାତ, ଚନ୍ଦ୍ରମା, ଜ୍ୟୋତ୍ସ୍ନା – ସେମାନଙ୍କୁ ଆକର୍ଷିତ କରି ପାରୁ ନାହିଁ- ତେବେ ସେମାନେ କରୁଛନ୍ତି କ’ଣ?
ଉତ୍ତର ପାଇଁ ଖୁବ ଦୂରକୁ ଯିବାକୁ ପଡ଼ିବ ନାହିଁ । ଆମ ନିଜ ଘରକୁ ଦେଖିଲେ ହିଁ ଉତ୍ତର ମିଳିବ । କୈଶୋରଠୁଁ ଯୁବ ବୟସ ପାଠ ଏବଂ ବିଭିନ୍ନ ପ୍ରକାର ଶାଠ ପାଇଁ ମୋବାଇଲ୍‍କୁ ଆଉ ବୟସ୍କମାନେ ଟେଲିିଭିଜନ ପରଦାକୁ ଚାହିଁଛନ୍ତି। ମଝିବୟସର ଲୋକେ ସଂସାରର ଯାବତୀୟ ଦରକାରୀ ଏବଂ ଅଦରକାରୀ ଟେନ୍‍ସନ୍‍କୁ ମୁଣ୍ଡରେ ଭର୍ତ୍ତି କରି ବିନିଦ୍ର ରଜନୀ ବିତଉଛନ୍ତି । କେହି କିନ୍ତୁ ଖୋଲା ଆକାଶରେ ଝଟକୁଥିବା କୋଟି କୋଟି ତାରାମାନଙ୍କୁ ଦେଖୁନାହାନ୍ତି। ଜହ୍ନ ରୁପା ରଙ୍ଗ ଜ୍ୟୋତ୍ସ୍ନା ବିଞ୍ଚି ବିଞ୍ଚି ଫେରିଯାଉଛି- କେହି ସେଥିରେ ଅବଗାହନ କରୁନାହାନ୍ତି । ଆଲୋକିତ ପରଦା ଆମର ପ୍ରକୃତିରୁ ଖୁସି ସାଉଁଟିବାର ସାମର୍ଥ୍ୟକୁ ନିଃଶେଷ କରିଦେଇଛି ।

Comments are closed.