ଫୁଲବାଣୀ:କନ୍ଧମାଳ ଜିଲାର ଅନେକ ଗ୍ରାମକୁ ଆଜି ବି ପହଞ୍ଚି ପାରିନି ବିଜୁଳି ଆଲୁଅ। ଯେଉଁଠିକୁ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇଛି, ଲାଇନ ଦିନେ ରହିଲେ ଚାରି ଦିନ ଗାଏବ। ସହରମାନଙ୍କରେ ସନ୍ଧ୍ୟା ହେଲେ ମିଞ୍ଜି ମିଞ୍ଜି ହୋଇ ଜଳୁଛି ବଲବ। କାରଣ ହେଲା ଅଧିକାଂଶ ଅଞ୍ଚଳକୁ ଯେତିକି ପରିମାଣର ବିଦ୍ୟୁତ ଶକ୍ତି ଆବଶ୍ୟକ ସେତିକି ଯୋଗାଇ ହେଉନାହିଁ। ଏପଟେ ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ୧୦୦ କୋଟି ଟଙ୍କାରେ ନିର୍ମିତ ୨୨୦/୩୩ ଗ୍ରୀଡ ସବଷ୍ଟେସନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ।
ସୂଚନାଯୋଗ୍ୟ, ଫୁଲବାଣୀ ଠାରେ ୧୯୮୦ ଦଶକରେ ସ୍ଥାପିତ ଜିଲ୍ଲାର ପ୍ରଥମ ୧୩୨ କେଭି ସବଷ୍ଟେସନରୁ ସମଗ୍ର ଜିଲାକୁ ବିଦ୍ୟୁତ ଯୋଗାଣ ହେଉଥିଲା। ଦୀର୍ଘ ବର୍ଷ ପରେ ୨୦୧୮ରେ ଜି ଉଦୟଗିରି ଠାରେ ଅନ୍ୟ ଏକ ୧୩୨/୩୩ କେଭି ସବଷ୍ଟେସନ ନିର୍ମିତ ହୋଇଥିଲା। ଇତି ମଧ୍ୟରେ ଆବଶ୍ୟକତା ଅନେକ ଗୁଣରେ ବଢି ଥିବାରୁ ଏହି ଦୁଇ ଗ୍ରୀଡ ପକ୍ଷରୁ ଚାହିଦା ମୂତାବକ ବିଦ୍ୟୁତ ଯୋଗାଇ ଦିଆଯାଇପାରୁନାହିଁ। ଏହି ସମସ୍ୟାର ସମାଧାନ ପାଇଁ କେ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ଏକ ନୂତନ ୨୨୦/୩୩ କେଭି ସବଷ୍ଟେସନ ପାଇଁ ଯୋଜନା ପ୍ରସ୍ତୁତ କରା ଯାଇଥିଲା। ଉଦ୍ଦେଶ୍ୟ ଥିଲା, ବାଲିଗୁଡା, ଦାରିଙ୍ଗବାଡି, କୋଟଗଡ଼, ରାଇକିଆ, କେ.ନୂଆଗାଁ, ତୁମୁଡିବନ୍ଧ ବ୍ଲକକୁ ଆବଶ୍ୟକ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଇପାରିବ। ୨୦୧୬ ମସିହା ଫେବୃୟାରୀ ମାସରେ ତତ୍କାଳୀନ ଶକ୍ତିମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବ୍ୟୟ ଅଟକଳ ଥିଲା ୧୦୨ କୋଟି ଟଙ୍କା।
ଯୋଜନା ଅନୁଯାୟୀ, କଳାହାଣ୍ଡି ଜିଲା କେସିଙ୍ଗା ଗ୍ରୀଡରୁ ଏଠାକୁ ବିଦ୍ୟୁତ ଆସି ବାଲିଗୁଡା ଉପଖଣ୍ଡକୁ ଯୋଗାଣ ହୋଇ ଥାଆନ୍ତା। ୨୦୧୮ ମାର୍ଚ୍ଚ ମାସରୁ ଉକ୍ତ ଗ୍ରୀଡରୁ ବିଦ୍ୟୁତ ଯୋଗାଇ ଦେବାର ଲକ୍ଷ୍ୟ ରହିଥିଲା। ଧ୍ୟାର୍ଯ୍ୟ ସମୟ, ଅର୍ଥାତ ୨୦୧୮ ମସିହାରୁ ସବଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। ସମସ୍ତ ଯନ୍ତ୍ରପାତି ସ୍ଥାପନ ସହିତ କୋଠାବାଡି କାମ ବି ସରିଛି। କିନ୍ତୁ ଇତି ମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିନି।
ସୂଚନା ମୁତାବକ, କେସିଙ୍ଗା ଠାରୁ ସିର୍ତ୍ତିଗୁଡା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ପାଇଁ ୩୮୨ଟି ଟାଓାରର ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ୩୨୪ଟିର କାମ ସରିଛି। ବାକି ୫୮ଟି ଟାଓାର ନିର୍ମାଣ କାର୍ଯ୍ୟରେ ବାଟ ଓଗାଳିଛି ବନ ବିଭାଗ। ଏ ସମସ୍ତ ଟାଓ୍ବାର କଳାହାଣ୍ଡି ଜିଲ୍ଲାରେ ରହିଥିବା ଜଣାପଡ଼ିଛି। ତେବେ ଟାଓ୍ବାର ପାଇଁ ନିର୍ଦ୍ଧାରିତ ସ୍ଥାନ ରିର୍ଜଭ ଫରେଷ୍ଟ ମଧ୍ୟରେ ରହିଥିବାରୁ ଅଟକି ରହିଛି କାମ। ଏଥିପାଇଁ ମିଳୁନି ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି। ଟାଓ୍ବାର ସ୍ଥାପନ ପାଇଁ ୧୯ କିମି ଲମ୍ବା ଓ ୩୫ ମିଟର ଓସାରରେ କରିଡର ଆବଶ୍ୟକ ରହିଛି। ଏଥିପାଇଁ ପ୍ରାୟ ୫୦ ହଜାର ଗଛ କଟାଯିବ ବୋଲି ଆକଳନ କରାଯାଇଛି।ଗଛକଟା ପାଇଁ ମିଳି ପାରୁନି ବନବିଭାଗର ଅନୁମତି। ଆବେଦନ ପତ୍ର ଦୀର୍ଘ ଦିନ ହେଲା କେନ୍ଦ୍ର ଜଙ୍ଗଲ ଓ ପରିବେଶର ଫାଇଲ ଭିତରେ ପଡ଼ି ରହିଛି।
ଅପରପକ୍ଷରେ, କନ୍ଧମାଳ ଜିଲାରେ କିଛି ଟାଓ୍ବାର ବିନା ଅନୁମତିରେ ଜଙ୍ଗଲ ଜମିରେ ବସା ଯାଇ ଥିବାରୁ ଓପିଟିସିଏଲର ତିନି ଜଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ବନବିଭାଗ। ଏମାନେ ଏବେ ଜାମିନରେ ଥିବା ଜଣାପଡ଼ିଛି। ଏହି କାରଣରୁ ଓପିଟିସିଏଲ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏପଟେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ରାଜନେତା ବି ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ମଧ୍ୟ କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା ଦେଖାଦେଇଛି।
ଏପଟେ ଦୀର୍ଘ ଦିନ ଧରି ଅବ୍ୟବହୃତ ହୋଇ ପଡ଼ି ରହିବାରୁ ଏଠାରେ ଲାଗିଥିବା ଯନ୍ତ୍ରପାତି ସବୁ ନଷ୍ଟ ହେବାକୁ ବସିଲାଣି। ଯଦି ଏବେ ଟାଓ୍ବାର କାମ ଆରମ୍ଭ ହୁଏ, ତେବେ ସରିବାକୁ ଦୁଇବର୍ଷ ଲାଗିବ ବୋଲି କହିଛନ୍ତି ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ। ସେତେବେଳକୁ ପୁରୁଣା ଯନ୍ତ୍ରପାତି ବଦଳାଇବାକୁ ପଡ଼ିବ କିମ୍ବା ନୂଆ ଲଗାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୨ ରେ ବାଲିଗୁଡା ଅଞ୍ଚଳରେ ୭ ମେଗାୱାଟ ବିଦ୍ୟୁତ ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୮ ମେଗାୱାଟରେ ପହଞ୍ଚିଛି। କିନ୍ତୁ ବିଦ୍ୟୁତ ଯୋଗାଣ ପାଇଁ ଆଜି ବି ବାଲିଗୁଡା ଅଞ୍ଚଳ ଫୁଲବାଣୀ ଗ୍ରୀଡ ଉପରେ ନିର୍ଭର କରୁଛି। ଏହି ଗ୍ରୀଡ କାର୍ଯ୍ୟକ୍ଷମ ହେଲେ ବାଲିଗୁଡା ବ୍ଲକ ସମେତ କୋଟଗଡ଼, ତୁମୁଡିବନ୍ଧ, କ.ନୁଆଗାଁ, ଦାରିଙ୍ଗବାଡି, ରାଇକିଆ ଆଦି ବ୍ଲକର ଅଞ୍ଚଳବାସୀ ଉପକୃତ ହୋଇପାରିବେ। ଲୋଭୋଲଟେଜ ଓ ବାରମ୍ବାର ବ୍ରେକଡାଉନରୁ ନିସ୍ତାର ମିଳନ୍ତା।
ସେହିଭଳି, ରାୟଗଡ଼ା ଜିଲ୍ଲା ଡଙ୍ଗା ସୋରଡାରୁ କୋଟଗଡ଼ ପର୍ଯ୍ୟନ୍ତ ଅନ୍ୟ ଏକ ୩୩ କେଭି ବିଦ୍ୟୁତ ଲାଇନ ପାଇଁ ସରକାରଙ୍କ ଅନୁମୋଦନ ମିଳିଥିବା ପ୍ରକାଶ କରିଛନ୍ତି ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଏଥିପାଇଁ ୬ କୋଟି ଟଙ୍କାର ଅନୁଦାନ ବି ମିଳିଥିଲା। କିନ୍ତୁ ଏହାକୁ ହାତୀ କରିଡର କହି ପ୍ରକଳ୍ପକୁ ଅଟକାଇ ଦେଇଛି ବନ୍ୟପ୍ରାଣୀ ବିଭାଗ। ଫଳରେ ଅନୁଦାନ ଟଙ୍କା ସେମିତି ପଡ଼ି ରହିଛି। ଶୀଘ୍ର ବନବିଭାଗର ଅନୁମତି ନ ମିଳିଲେ ଅନୁଦାନ ଟଙ୍କା ଫେରି ଯିବାର ଆଶଙ୍କା ରହିଛି ବୋଲି ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
ଏଭଳି ସ୍ଥିତିରେ ଏବେ ୧୦୦ କୋଟି ଖର୍ଚ୍ଚରେ ନିର୍ମିତ ସିର୍ତ୍ତିଗୁଡା ଗ୍ରୀଡ ସବଷ୍ଟେସନର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଝୁଲି ରହିଛି। କୋଟି କୋଟି ଟଙ୍କା ପାଣିରେ ପଡ଼ିବାକୁ ଯାଉଥିଲେ ବି କେହି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ବିଶେଷ କରି ସ୍ଥାନୀୟ ଜନ ପ୍ରତିନିଧି ଏଥି ପ୍ରତି ଦୃଷ୍ଟି ଦେଇ କାମକୁ ଆଗେଇ ନେବା ପାଇଁ ପ୍ରୟାସ କଲେ ସମଗ୍ର କନ୍ଧମାଳ ଜିଲାର ବିଦ୍ୟୁତ ସମସ୍ୟା ଦୂର ହୋଇ ପାରନ୍ତା ବୋଲି ମତପ୍ରକାଶ ପାଉଛି।
ତେବେ ପୂର୍ବ ସରକାର ଅନୁଦାନ ଯୋଗାଇଥିଲେ ମଧ୍ୟ କାମ ଶେଷପରେ ପୂର୍ବ ସରକାର ଏହାକୁ କାର୍ଯ୍ୟକାରି କରିବା ଦିଗରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ବର୍ତ୍ତମାନ ରାଜ୍ୟର ନୂଆ ସରକାର ଏହି ଆବଶ୍ୟକ ହୋଇ ପଡ଼ିଥିବା ସିର୍ତ୍ତିଗୁଡ଼ା ଗ୍ରିଡ଼୍କୁ କାର୍ଯ୍ୟକାରି କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁଛି ନା ପୂର୍ବ ସରକାର ଭଳି କେବଳ ନିବରଦ୍ରଷ୍ଟା ସାଜି ରହିବ ତାହା ଦେଖିବାର ବାକି ରହିଛି ବୋଲି ପ୍ରକାଶ କରିଛନ୍ତି ବାଲିଗୁଡ଼ା , କୋଟଗଡ଼଼ , ତୁମୁଡ଼ିବନ୍ଧ , ରାଇକିଆ , କ.ନୂଆଗାଁ ଏବଂ ଦାରିଙ୍ଗବାଡ଼ି ଆଦି ବ୍ଳକର ହଜାର ହଜାର ବିଦ୍ୟୁତ୍ ଉପଭୋକ୍ତା।



