ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲରେ ବ୍ୟାପୁଛି ନିଆଁ

ପୋଡି ପାଉଁଶ ହେଉଛି ବହୁମୂଲ୍ୟବାନ ଗଛ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରାଷ୍ମ ତାପ। ଅସହାୟ ହେଉଛି ଜନ ଜୀବନ। ପାଣି ଟିକକ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏଭଳି ସ୍ଥିତିରେ କଲମପୁର ଓ ଥୁଆମୁଳ ରାମପୁର ଅଂଚଳରେ ସୋମବାର ସୁଦ୍ଧା ପାରଦ ୪୦ ଡିଗ୍ରୀ ଅତିକ୍ରମ କରି ସାରିଥିବା ବେଳେ ନିକଟରେ ଥିବା ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲରେ ରିତିମତ ନିଆଁ ଲାଗୁଥିବାରୁ ବନାଗ୍ନିର ପ୍ରଭାବରେ ଗ୍ରୀଷ୍ଣ ତାପ ଆହୁରି ବୃଦ୍ଧି ପାଉଛି । ଦିନ ତମାମ ସୂର୍ଯ୍ୟଙ୍କ ତାପ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହେଉଥିବା ବେଳେ ରାତିରେ ବନାଗ୍ନିର ଧାସ ଆହୁରି ଅସହ୍ୟ କରୁଛି। ବନ ବିଭାଗ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ କରୁଥିଲେ ମଧ୍ୟ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ସଫଳ ହେଉନଥିବାରୁ ଅନେକ ମୂଲ୍ୟବାନ ଗଛ ସମତେ ବହୁ ଔଷଧିୟ ଗଛ ଲତା ଜଳି ପୋଡି ପାଉଁଶ ହେଇଯାଉଛି। କିଏ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଉଛି ତ କିଏ ପୋଡୁ ଚାଷ ପାଇଁ ନିଆଁ ଲଗାଉଛି । ପୁଣି କେଉଁ କାଠୁରିଆ ଜାଳେଣି ସଂଗ୍ରହ କରିବା ବେଳେ ଅସାବଧାନତା ଯୋଗୁଁ ନିଆଁ ଲାଗଇ ଦେଉଛି ଯାହା ହେକ୍ଟର ହେକ୍ଟର ଅଂଚଳକୁ ବ୍ୟାପିଯାଉଛି। ଗତ ବର୍ଷ ଏହି ଅଂଚଳରେ ସ୍ୱଭାବିକ ବର୍ଷା ଠାରୁ ବହୁ କମ୍ ପରିମାଣର ବର୍ଷା ହେଇଥିଲା । ଯାହା ଫଳରେ ବହୁ ପ୍ରକୃତିକ ଜଳ ଉତ୍ସ ସବୁ ଶୁଷ୍କ ହେଇ ସାରିଲାଣି। ଝରଣା ସବୁ ଶୁଖି ଯାଇଥିବାରୁ ଜଙ୍ଗଲର ନିଆଁ ଧାସରୁ ସୁରକ୍ଷା ସହ ପାଣି ଟିକକ ପାଇବା ପାଇଁ କୁଟୁରା ବାରହା, ବଜ୍ରକାପ୍ତା ସମେତ ମୟୁର ଭଳି ଜଙ୍ଗଳୀ ଜନ୍ତୁ ଓ ପକ୍ଷୀ ଜଳ ଉତ୍ସ ଖୋଜି ଖୋଜି ଜନ ବସତି ମୂହାଁ ହେଉଛନ୍ତି। ଯାହା ଫଳେରେ ଶିକାରୀଙ୍କ ହାବୁଡରେ ପଡୁଛନ୍ତି।

ଚଳିତ ବର୍ଷ ଥୁଆମୁଳ ରାମପୁର ଅଂଚଳରେ ମଧ୍ୟ ଗ୍ରୀଷ୍ମ ତାପର ପ୍ରଭାବ ବୃଦ୍ଧି ପାଉଥିବା ଅଂଚଳବାସୀ କହୁଛନ୍ତି। ଏଭଳି କେବେ ଗ୍ରୀଷ୍ଣ ତାପ ଅନୁଭୁତ ହେଇନଥିବା କହନ୍ତି ଥୁଆମୁଳ ରାମପୁର ଅଂଚଳର ପ୍ରଦୀପ ପଣ୍ଡା। ବଣ ପାହାଡ ଘେରା ସମୂଦ୍ର ପତନ ଠାରୁ ପ୍ରାୟ ୩ହଜାର ଫୁଟ ଉଚ୍ଚରେ ଥିବାରୁ ଥୁଆମୁଳ ରାମପୁର ଅଂଚଳରେ ମାତ୍ର ୩୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ସୀମିତ ରହିଥାଏ କିନ୍ତୁ ଚଳିତ ବର୍ଷ ଦିନ ୧୨ଟାରୁ ୩ ଟା ମଧ୍ୟରେ ୪୦ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହୁଥିବା ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି। ଏହା ତାଙ୍କ ଜୀବନ କାଳ ମଧ୍ୟରେ ପ୍ରଥମ ଅନୁଭବ ବୋଲି କହିଛନ୍ତି ।

Comments are closed.