ଦାଦନ ଶ୍ରମିକଙ୍କ ରହସ୍ୟ ଜନକ ମୃତ୍ୟୁ; ରୋଜଗାରିଆ ପୁଅକୁ ହରାଇ ଅସହାୟ ୪ପ୍ରାଣୀ
ସିମୁଳିଆ: ପରିବାରକୁ ଦେଉଥିଲେ ଆହର । ହେଲେ ହଠାତ୍ ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡ଼ିଛନ୍ତି ଗୋଟିଏ ପରିବାରର ୪ପ୍ରାଣୀ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଂଚାୟତ ହାତୁଆରୀ ଗ୍ରାମର ସୁଶାନ୍ତ ଦାସ, ମୁମ୍ବାଇରେ ରହି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ଏକ ବର୍ଷ ହେବ ଘରକୁ ଆସି ନଥିଲେ । ସେଠାରେ ଦେହ ଖରାପ ହେବାରୁ ସେଠାରେ ଥିବା ଜଣେ ସହକର୍ମୀ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ମାତ୍ର ଅବସ୍ଥା ଅଣାୟତ୍ତ ହେବାରୁ ତାଙ୍କୁ ମଙ୍ଗଳବାର ଦିନ ଟ୍ରେନରେ ଟିକେଟ କାଟି ଘରକୁ ପଠାଇ ଦେଇଥିଲେ ।
ହେଲେ ସୁଶାନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଗୁରୁବାର ଦିନ ସାଇବର ଥାନାରେ ଅଭିଯୋଗ କରିଥିଲେ । ଶେଷରେ ସୁଶାନ୍ତକୁ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାରେ ଥିବାର ଖବର ପାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବିଧବା ମାଆ ଭାଙ୍ଗି ପଡ଼ିଛନ୍ତି । ସୁଶାନ୍ତର ଦୁଇଟି ଝିଅ ରହିଛନ୍ତି । ଜଣେ ୫ବର୍ଷ ର ହୋଇଥିବା ବେଳେ ଅନ୍ୟ ଜଣେ ଦେଢ ବର୍ଷର ଝିଅ ରହିଥିବା ଜଣାପଡ଼ିଛି ।
ବିଧବା ସ୍ତ୍ରୀ ଦୁଇଟି ଛୋଟ ଝିଅକୁ ନେଇ କିପରି ସଂସାର ଚଳାଇବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏପରି ସମୟରେ ପରିବାରକୁ ସରକାରୀ ତଥା କୌଣସି ସୁହୃଦୟ ବ୍ୟକ୍ତି ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।
Comments are closed.