‘ଜ୍ଞାନ ଆହରଣର ଜିଜ୍ଞାସା ଶିକ୍ଷାର ମୂଳମନ୍ତ୍ର ହେବା ଜରୁରୀ’
ଆଠଗଡରେ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ
ଆଠଗଡ : ଆଠଗଡରେ ଫୋରମ ଅଫ ଏକାଡେମିକ୍ସ ଆନୁକୁଲ୍ୟରେ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ଶୁକ୍ରବାର ୯ମ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଫୋରମର ସଭାପତି ଶିକ୍ଷାବିତ୍ ଡଃ ଦାମୋଦର ମହାପାତ୍ରଙ୍କ ପୌରୋହିତ୍ୟରେ ଏବଂ ସିନେ କଳାକାର ଓ ଘୋଷକ ଶରଣାରବିନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଶିକ୍ଷାହିଁ ବ୍ୟକ୍ତିତ୍ୱ ବିକାଶର ପୂର୍ଣ୍ଣତା ଆଣିଥାଏ ଏବଂ ଶିକ୍ଷାର ଆଲୋକ ଅଜ୍ଞାନର ଅମା ଅନ୍ଧକାରକୁ ଦୂରେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଆଠଗଡକୁ ଶିକ୍ଷାରେ ସମୃଦ୍ଧ କରିବା ଏବଂ ଶିକ୍ଷାର୍ଥୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ଲକ୍ଷ ରଖି ୨୦୧୪ ମସିହାରୁ ଶିକ୍ଷାଜ୍ୟୋତି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ବିଗତ ବର୍ଷଗୁଡିକରେ ଏଠାରେ ଶିକ୍ଷାଜ୍ୟୋତି ସମ୍ମାନ ପାଇ ପ୍ରୋତ୍ସାହିତ ହୋଇଥିବା ବହୁ ବିଦ୍ୟାର୍ଥୀ ଦେଶ ତଥା ବିଦେଶରେ ଉଚ୍ଚ ପ୍ରତିଷ୍ଠିତ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସଫଳତାର ଉଚ୍ଚତର ସୋପାନରେ ପହଞ୍ଚାଇବା ଲାଗି ଶିକ୍ଷାଜ୍ୟୋତି ସମ୍ମାନ ଅନୁପ୍ରାଣିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏଥିରେ ମୁଖ୍ୟବକ୍ତାରୂପେ ଜାତୀୟସ୍ତରର ସୁନାମଧନ୍ୟ ଐତିହାସିକ, ଲେଖକ, ସ୍ତମ୍ଭକାର ଏବଂ ବହୁ ପୁସ୍ତକର ରଚୟିତା ଅଶୋକ କୁମାର ପାଣ୍ଡେ ଯୋଗଦେଇ ଜ୍ଞାନ ଆହରଣର ଜିଜ୍ଞାସା ଶିକ୍ଷାର ମୂଳମନ୍ତ୍ର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କେବଳ ଡିଗ୍ରୀ ପାଇଁ ଅବା ଚାକିରି ପାଇଁ ଶିକ୍ଷାଗ୍ରହଣ ନକରି ଜ୍ଞାନ ଆହରଣ ପାଇଁ ଶିକ୍ଷା ଗ୍ରହଣ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସଂପ୍ରତି ଦେଶରେ ଲାଗୁ ହୋଇଥିବା ନୂଆ ଶିକ୍ଷାନୀତି ବାସ୍ତବିକ ମୂଳ ଭାରତୀୟ ଶିକ୍ଷା ବ୍ୟବସ୍ଥାର ସତ୍ୟାନାଶ କରିବା ଭଳି ଅନୁଭବ ହେଉଥିବା ଶ୍ରୀ ପାଣ୍ଡେ ପ୍ରକାଶ କରିବା ସହ ଶିକ୍ଷାର ଘରୋଇକରଣ ଦ୍ୱାରା ଗରିବ ମେଧାବୀ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ମତପୋଷଣ କରିଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସମସ୍ତ ସୂଚନା ସତ୍ୟ ଉପରେ ଆଧାରିତ ନୁହେଁ। ତେଣୁ ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମକୁ ସଂପୂର୍ଣ୍ଣ ବିଶ୍ୱାସ ନକରି ଏହାର ସତ୍ୟତା ଅନୁସନ୍ଧାନ କରିବା ଉଚିତ ବୋଲି ଶ୍ରୀ ପାଣ୍ଡେ କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ଓଡିଆ ସିନେ କଳାକାର ବିରେନ ମିଶ୍ର ଯୋଗଦେଇ ମେଧାବୀଙ୍କୁ ଶିକ୍ଷାଜ୍ୟୋତି ସମ୍ମାନ ଉଚ୍ଚକୁ ଉଠିବା ଲାଗି ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ଫୋରମର ସଂପାଦକ ଡଃ ଶଶିଭୂଷଣ ମିଶ୍ର ବିବରଣୀ ଉପସ୍ଥାପନ କରିଥିଲେ। ସଂଯୋଜକ ଲଳିତ ମୋହନ ନାୟକ ଫୋରମ ପକ୍ଷରୁ ଓଡିଆ ଭାଷା ସାହିତ୍ୟର ପ୍ରସାର ପ୍ରଚାର ପାଇଁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାର ଆଠଗଡ ନିର୍ବାଚନ ମଣ୍ଡଳିର ସମସ୍ତ ହାଇସ୍କୁଲରେ ଏ-୧ ଗ୍ରେଡ ପାଇଥିବା ୭୬ଜଣ ବିଦ୍ୟାର୍ଥୀ ଏବଂ ବିଭିନ୍ନ କଲେଜରେ +୨ ଓ +୩ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୧୦ଜଣ ବିଦ୍ୟାର୍ଥୀଙ୍କୁ ଲ୍ୟାପଟପ୍ କମ୍ପ୍ୟୁଟର ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ଏଥି ସହିତ ୧୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ହାସଲ କରିଥିବା ୩୪ଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାଛଡା ବହୁ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଫୋରମର ମୁଖ୍ୟ ସଂଯୋଜକ ଅଧ୍ୟାପକ ଡଃ ରାମଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.