ଲାଞ୍ଚ ନେବା ମାମଲାରେ ମହିଳା ଏସଆଇ ନିଲମ୍ବିତ

ମୋହନା: ଗଞ୍ଜେଇ ମାମଲାରେ ଜବତ ଏକ ଅଟୋକୁ ଛାଡିବା ପାଇଁ ଲାଞ୍ଚନେବା ଏବଂ ପରେ ଦୋଷମୁକ୍ତ ହେବାପାଇଁ ଅଭିଯୋଗକାରୀଙ୍କୁ ଅପହରଣ କରିବା ଘଟଣାରେ ଗଜପତି ଜ଼ିଲ୍ଲା ମୋହନା ଥାନାର ପୂର୍ବତନ ମହିଳା ଏସଆଇ ଜ୍ୟୋତ୍ସ୍ନା ରଏଙ୍କୁ ନିଲମ୍ବନ କରିଛନ୍ତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍. କୁମାର। ସୂଚନାଯୋଗ୍ୟ, ମୋହନା ଥାନା ଅନ୍ତର୍ଗତ ନୁଣ୍ଡୁୁଜ୍‌ ଗ୍ରାମର ପ୍ରେରିତ ମାଝୀ ନାମକ ଜଣେ ଆଦିବାସୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଏକ ଅଟୋ ଗଞ୍ଜେଇ ଚାଲାଣ ମାମଲାରେ ଛନ୍ଦି ହୋଇ ମୋହନା ଥାନାରେ ଅଟକ ଥିଲା। ସେହି ଅଟୋକୁ ଛାଡିବା ପାଇଁ ମହିଳା ଏସଆଇ ଜଣକ ପ୍ରେରିତଙ୍କଠାରୁ ୨୦ ହଜାର ଟଙ୍କା ସହ କୁକୁଡ଼ା, ମାଛ ଆଦି ନେଇଥିଲେ। କିନ୍ତୁ ଅଟୋଟିକୁ ଛାଡି ନଥିଲେ। ଏନେଇ ପ୍ରେରିତ ଗତ ୨୫/୩/୨୩ରେ ମୋହନା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୁଣି ପ୍ରତିବାଦ କରିବା ପରେ ଏସଆଇ ଜଣକ ୨୦ ହଜାର ଟଙ୍କା ପ୍ରେରିତଙ୍କୁ ପ୍ରଦାନ କରିଥିଲେ। ଘଟଣା ବିଷୟରେ ଗଜପତି ଆରକ୍ଷୀ ଅଧିକ୍ଷକ ଅବଗତ ହେବାପରେ ମହିଳା ଏସଆଇଙ୍କୁ ପାରଳାଖେମୁଣ୍ଡି ଜ଼ିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ। କିନ୍ତୁ ଗତ ୨୬/୪/୨୩ରେ ଏକ ଦୁଷ୍କର୍ମ ମାମଲାର ସାକ୍ଷ୍ୟ ଦେବାପାଇଁ ମୋହନା ଆସିଥିବା ମହିଳା ଏସଆଇ ଜ୍ୟୋତ୍ସ୍ନା ଅଭିଯୋଗକାରୀ ପ୍ରେରିତଙ୍କୁ କିଛି ବ୍ୟକ୍ତିଙ୍କ ସହଯୋଗରେ ଅପହରଣ କରି ନେଇ ଏକ ସାଧା କାଗଜରେ ସ୍ଵାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ। ଭୟରେ ପ୍ରେରିତ ଉକ୍ତ କାଗଜରେ ସ୍ଵାକ୍ଷର କରିବା ପରେ ନିଜକୁ ନିର୍ଦୋଷ ପ୍ରମାଣିତ କରିବାର ଏକ ଲେଖା ନିଜେ ପ୍ରସ୍ତୁତ କରି ମୋହନା ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ପରେ ଏନେଇ ପ୍ରେରିତ ମାଝୀ ମୋହନା ଥାନାରେ ସମ୍ପୃକ୍ତ ଏସଆଇଙ୍କ ବିରୁଦ୍ଧରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଥିଲା। ୨୨/୫ରେ ଗଜପତି ଆରକ୍ଷୀ ଅଧିକ୍ଷକ ଏସ୍. ଆଇ ଜ୍ୟୋତ୍ସ୍ନା ରଏଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏଥିସହ ମହିଳା ଏସ୍. ଆଇଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଗଜପତି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Comments are closed.