ସମାଜ ଡିଜିଟାଲ ଡେସ୍କ: ଦେଶର ଏହା ଏପରି ଏକ ମନ୍ଦିର। ଯେଉଁଠାରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ମନ୍ଦିରରେ ଅଲଗା ରୁହନ୍ତି। ଏଠାରେ ପ୍ରଥମେ ଦେବୀ ଲକ୍ଷ୍ମୀଙ୍କ ଆଳତି କରାଯାଇଥାଏ। ଏହାପରେ ଭଗବାନ ନାରାୟଣଙ୍କୁ ପୂଜା କରାଯାଏ। ମନ୍ଦିରଟି ରାଜସ୍ଥାନର ସିକରରେ ଅବସ୍ଥିତ ହୋଇଥିବା ବେଳେ ଏହାର ନାମ ଶ୍ରୀକଲ୍ୟାଣ ଜୀ ମନ୍ଦିର। ଏହି ମନ୍ଦିରଟି ସିକର ସହରର ଏକ ପ୍ରମୁଖ ଧାର୍ମିକ ସ୍ଥାନ ଏବଂ ଭକ୍ତମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ ଭାବେ ପରିଚିତ। ଶ୍ରୀକଲ୍ୟାଣ ଜି ମନ୍ଦିର ୧୯୨୧ ମସିହାରେ ସିକରର ରାଜା କଲ୍ୟାଣ ସିଂହଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ମନ୍ଦିର ନିର୍ମାଣ ହେବାର ୧୦୨ବର୍ଷ ବିତିଗଲାଣି। ହେଲେ ମନ୍ଦିରର ଇତିହାସ ଦେଶର ଅନ୍ୟ ପ୍ରମୁଖ ମନ୍ଦିରଠାରୁ ରୋଚକ ଅଟେ। ନିଜର ସ୍ୱତନ୍ତ୍ରତା ପାଇଁ ମନ୍ଦିରଟଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କୁହାଯାଏ ଯେ ଦେବୀ ଲକ୍ଷ୍ମୀ ନିଜେ ରାଜାଙ୍କୁ ସ୍ୱପ୍ନରେ ଦେଖାଦେଇ ନିଜର ଅଲଗା ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ରାଜା ଅନ୍ୟ ଏକ ସ୍ଥାନରେ ଲକ୍ଷ୍ମୀଙ୍କ ମନ୍ଦିର ନିର୍ମାଣ କରି ସେଠାରେ ପ୍ରତିମା ସ୍ଥାପନ କରିଥିଲେ। ମାତା ଲକ୍ଷ୍ମୀଙ୍କ ଏହି ମନ୍ଦିର ଗର୍ଭଗୃହଠାରୁ ୫୦ମିଟର ଦୂରରେ ନିର୍ମିତ ହୋଇଛି। ଏହି ମନ୍ଦିରରେ ଦେବୀ ଲକ୍ଷ୍ମୀଙ୍କୁ ଗୋଟିଏ ସ୍ଥାନରେ ପୂଜା କରାଯାଉଥିବା ବେଳେ ଅନ୍ୟ ଏକ ସ୍ଥାନରେ ଭଗବାନ ନାରାୟଣଙ୍କୁ ପୂଜା କରାଯାଏ।
ଏହି ମନ୍ଦିରର ପରମ୍ପରା ଅନୁସାରେ ରାତି ୯ଟା ପରେ ଅଷ୍ଟଧାତୁରେ ନିର୍ମିତ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଭଗବାନ ନାରାୟଣଙ୍କ ପାଖକୁ ଅଣାଯାଏ। ଫଳରେ ରାତିରେ ମାଲକ୍ଷ୍ମୀ ଓ ନାରାୟଣଙ୍କୁ ଏକତ୍ର ଦର୍ଶନ କରିବାର ସ୍ୱଭାଗ୍ୟ ଅର୍ଜନ କରନ୍ତି ଭକ୍ତ। ରାଜସ୍ଥାନର ଏହା ହେଉଛି ପ୍ରଥମ ମନ୍ଦିର, ଯେଉଁଠାରେ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଅଲଗା ଅଲଗା ରହିଥାନ୍ତି। ଦିନରେ ସର୍ବ ପ୍ରଥମେ ଦେବୀଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଓ ଆଳତି ପରେ ଭଗବାନଙ୍କ ଆଳତି କରାଯାଏ। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ସିକରର ଏହି ଲକ୍ଷ୍ମୀନାରାୟଣ ମନ୍ଦିରରେ ପୂଜା କରିବାକୁ ନିୟୋଜିତ ପୂଜକ ସ୍ଥାନୀୟ ବ୍ରାହ୍ମଣ ସମ୍ପ୍ରଦାୟର ଅଟନ୍ତି। ଏହି ପୁରୋହିତ ମାନେ ନିଜର ପାରମ୍ପାରିକ ଜ୍ଞାନ ଓ ଧାର୍ମିକ ଅଭିଜ୍ଞତା ସହିତ ମନ୍ଦିରରେ ପୂଜା କରିଥାନ୍ତି। ଏହାସହିତ ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନତା ଏବଂ ରକ୍ଷଣାବେକ୍ଷଣର ମଧ୍ୟ ଯତ୍ନ ନିଅନ୍ତି।



