ପିପିଲି : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଦାଣ୍ଡମୁକୁନ୍ଦପୁର ଠାରେ ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଶ୍ରୀରାମ ନବମୀ ଉତ୍ସବ କମିଟି ଓ ବିଶ୍ୱହିନ୍ଦୁ ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ରଥଯାତ୍ରା ପ୍ରଭୁ ଶ୍ରୀଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପରିସରରୁ ଆରମ୍ଭ ହୋଇଥିଲା। ସକାଳ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ସମସ୍ତ ପ୍ରକାର ନୀତି ନିର୍ଘଣ୍ଟ ଅନୁସାରେ ପୂଜା କରାଯାଇ ଶଙ୍ଖ ଓ ଘଣ୍ଟଧ୍ୱନୀ ମଧ୍ୟରେ ସଂକୀର୍ତ୍ତନ ସହିତ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ପରମଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହକୁ ରଥାରୁଢ କରାଯିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁ ମାନେ ପ୍ରବଳ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ, ମହୁରୀ ବାଦ୍ୟ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା।
ଏହି ରଥ ଦାଣ୍ଡମୁକୁନ୍ଦପୁରଶାସନ, ମୁଖ୍ୟବଜାର, କରଣସାହି, ସଠସ, ବାବଜା, ବାସୁଦେଇପୁର, ମାନସିଂହପାଟଣା, ରାଣପୁର, ମାଳିବରାହି ପ୍ରଭୃତି ଗ୍ରାମ ପରିକ୍ରମା କରିଥିଲା। ବିଭିନ୍ନ ଗ୍ରାମରେ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା। ଶ୍ରୀରାମଙ୍କ ଏହି ରଥଯାତ୍ରାରେ ଭକ୍ତି ସଙ୍ଗୀତ ପରିବେଷଣ ସହ ବିଜୟ ସାହୁଙ୍କ ହନୁମାନ ବେଶ ସାଧାରଣରେ ଉତ୍ସାହ ସୃଷ୍ଟି କରିଥିଲା। ଗ୍ରାମରେ ଏକତା, ସଂହତି ଓ ପରସ୍ପର ସହଯୋଗ ତଥା ସାମାଜିକ ସମରସତା ରକ୍ଷା କରିବା ଏହି ରଥଯାତ୍ରାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଶ୍ରୀରାମ ନବମୀ ଉତ୍ସବ କମିଟି, ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଜନସ୍ୱାର୍ଥ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବଂଶୀଧର ସାହୁ, କମଳେଶ ଦାଶ, ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର, ପ୍ରସନ୍ନ ଦାସ, ଅଭିଷେକ ଲେଙ୍କା, ତାପସ ଦାଶ, ରଣଜିତ ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର, ରଜନିକାନ୍ତ ପଣ୍ଡା,ନବକିଶୋର ସାହୁ, ଚିତ୍ତରଞ୍ଜନ ମହାରଣା ପ୍ରମୁଖ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ କରାଯାଇଥିଲା।



