ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ
କେନ୍ଦୁଝରଗଡ : ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଗୈରିକ ଧ୍ୱଜ ତଳେ ପୁଷ୍ପ ପ୍ରଦାନ କରି ପୂଜାର୍ଚ୍ଚନା କରିଥିଲେ । ମୁକୁନା ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଗୋପୀନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହର୍ଷି ବ୍ୟାସଦେବ ଓ ଶ୍ରୀଗୁରୁ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମାଜରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ଗୁରୁପୂର୍ଣ୍ଣିମା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ-ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି କଲେଜରୋଡସ୍ଥିତ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ପବିତ୍ର ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡ.ଅନୀଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଟେଶ୍ୱର ମହାବିଦ୍ୟାଳୟ ଶୁଆକାଟୀର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଭାଗିରଥୀ ଗିରି ଓ ଉପସଭାପତି ହୃଦାନନ୍ଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଆଚାର୍ଯ୍ୟ ହେମନ୍ତ କୁମାର ମହାନ୍ତ ମହର୍ଷି ବ୍ୟାସଦେବଙ୍କ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ଶ୍ରୀ ଗୁରୁ ପୂର୍ଣ୍ଣିମା ପାଳନର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପ୍ରଧାନାଚାର୍ଯ୍ୟ ଦୁଃଶାସନ ମହାନ୍ତ ପ୍ରାରମ୍ଭରେ ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ରାଜୀବଲୋଚନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.