ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ମଶାରୀ ବଣ୍ଟନ
ଗୁରୁଡିଝାଟିଆ : ଘଣ୍ଟିଖାଲ ଚନ୍ଦ୍ରାବଳୀଶ୍ୟାମପୁର ଠାରେ ପ୍ରତିଷ୍ଠିତ ଶ୍ରୀ ସିମେଣ୍ଟ କାରଖାନା ପକ୍ଷରୁ ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଜରିଆରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ମାଗଣା ମଶାରୀ ବଣ୍ଟନ କରାଯାଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘଣ୍ଟିଖାଲ ଶବରସାହିରେ ୪୭ଟି, ଶିତୁଳିଆସାହିରେ ୫୧ ଓ ଚନ୍ଦ୍ରବଳୀଶ୍ୟାମପୁରର ସମସ୍ତ ୧୮ଟି ପରିବାରକୁ ମଶାରୀ ବାଣ୍ଟି ଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଜରିଆରେ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ଅଭାବୀ ଅନୁସୂଚିତ ଜାତି ଓ ଜନଜାତି ପରିବାରଙ୍କୁ ମଶାରୀ ପ୍ରଦାନ କରିଥିବାରୁ ସାଧୁବାଦ ଜଣାଇବା ସହିତ ଆଗାମୀ ଦିନରେ କାରଖାନା କର୍ତ୍ତୃପକ୍ଷ ଘଣ୍ଟିଖାଲ ପଞ୍ଚାୟତ ସହିତ ପାଖ ପଞ୍ଚାୟତମାନଙ୍କରେ ପାରିପାର୍ଶ୍ବିକ ଉନ୍ନୟନ ଜରିଆରେ ଅଞ୍ଚଳର ବିକାଶ ଦିଗରେ ପ୍ରମୁଖ ଭୁମିକା ତୁଲାଇବା ପାଇଁ ଆଶାବ୍ୟକ୍ତ କରିଥିଲେ। ଶ୍ରୀ ସିମେଣ୍ଟ ୟୁନିଟ ମୁଖ୍ୟ ସର୍ବେଶ୍ୱର ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ଆଗାମୀ ଦିନରେ କାରଖାନା କର୍ତ୍ତୃପକ୍ଷ ପଞ୍ଚାୟତର ଅନ୍ୟ ଅନୁସୁଚିତ ଜାତି ଓ ଜନଜାତି ଅଭାବୀ ଜନସାଧାରଣଙ୍କୁ ମଶାରୀ ସହିତ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିବ । ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସରପଞ୍ଚ ସୁଜାତା ମଞ୍ଜରୀ ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜାନକୀଲତା ନାଏକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। କାରଖାନାର ମାନବ ସମ୍ବଳ ବିଭାଗର ଏଜିଏମ ପ୍ରଦୀପ କୁମାର ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ପୁଜାରୀଙ୍କ ସହିତ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ। ସରପଞ୍ଚଙ୍କ ପ୍ରତିନିଧି ସୁବାଷ ବିଶ୍ୱାଳ ,ରବିନ୍ଦ୍ର ବରାଳ, ସନ୍ତୋଷ ବେହେରା ଓ ସରୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.