ପୁଞ୍ଜି ବଜାରରେ ଝଡ

ଭୁବନେଶ୍ଵର: ବର୍ତ୍ତମାନ ଭାରତ ତଥା ଆମେରିକା ସହିତ ବିଶ୍ବର ବିଭିନ୍ନ ଦେଶର ଷ୍ଟକ୍ ମାର୍କେଟର ସୂଚକାଙ୍କରେ ହ୍ରାସ ଘଟୁଛି। ମାର୍ଚ୍ଚ ୧୧ ତାରିଖରେ ଆମେରିକା ଷ୍ଟକ୍ ବଜାରରେ ଯେଉଁ ଝଡ଼ ଉଠିଥିଲା ତାହାର ପ୍ରଭାବରେ ନାସ୍ଦାକ୍ ଓ ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁର୍ସ ୫୦୦ ସୂଚକାଙ୍କରେ ବ୍ୟାପକ ହ୍ରାସ ହୋଇଥିଲା। ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁର୍ସ ତାଲିକାଭୁକ୍ତ ହୋଇଥିବା ବୃହତ୍ତମ ୫୦୦ କମ୍ପାନୀଗୁଡ଼ିକର ସାମୂହିକ ମୂଲ୍ୟ ଗୋଟିଏ ଦିନରେ ୪ ଲକ୍ଷ କୋଟି ଡଲାର ହ୍ରାସ ପାଇଛି। ତାହା ବମ୍ବେ ଷ୍ଟକ୍ ବଜାରର ମୋଟ ମୂଲ୍ୟଠାରୁ ମଧ୍ୟ ଅଧିକ। ଏହାର ପ୍ରଭାବରେ ବିଶ୍ବର ବହୁ ନାମୀଦାମୀ କମ୍ପାନୀର ବଜାର ପୁଞ୍ଜି ହ୍ରାସ ପାଇଛି। ଭାରତରେ ଏହି ହ୍ରାସ ବ୍ୟାପକ ଓ ତୀବ୍ରତର। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନିଶ୍ଚିତ ଅର୍ଥନୈତିକ ନୀତି, ଶୁଳ୍କ ବୃଦ୍ଧି ଯୋଗୁଁଁ ଅନେକ ଦେଶ ଦ୍ୱାରା ଲଗାଯାଇଥିବା ପ୍ରତିଶୋଧମୂଳକ ଶୁଳ୍କ ଓ ଆମେରିକା ସମ୍ମୁଖୀନ ହେବାକୁ ଥିବା ବାଣିଜ୍ୟ ଯୁଦ୍ଧ, ଦରଦାମ୍ ବଢ଼ିବା ଆଶଙ୍କା, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବାର ଭୟ ଆଦି କାରଣରୁ ମାର୍ଚ୍ଚ ୧୧ ଓ ୧୨ରେ ଆମେରିକୀୟ ଷ୍ଟକ୍ ବଜାରରେ ନିବେଶକମାନେ ବିପୁଳ ପରିମାଣର ସେୟାର ବିକିଥିଲେ। ଭାରତୀୟ ଷ୍ଟକ୍ ବଜାରର ପତନର ପ୍ରମୁଖ କାରଣ ହେଲା ବୈଦେଶିକ ନିବେଶକ ପୁଞ୍ଜି ପ୍ରତ୍ୟାହାର କରିବା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସେମାନେ ପୁଞ୍ଜି ପ୍ରତ୍ୟାହାର କରିବାର କାରଣ ହେଉଛି କମ୍ପାନୀମାନଙ୍କ ଦୁର୍ବଳ ଆର୍ଥିକ ସ୍ଥିତି, ଆର୍ଥିକ ଅନିଶ୍ଚିତତା, ଚାହିଦା ଅଭାବରୁ କମ୍ପାନୀ ନିବେଶ ନକରିବା ଯୋଗୁଁଁ ବଳକା ଅର୍ଥ ବା କର୍ପୋରେଟ ସଞ୍ଚୟ ଜିଡିପିର ୧୦ % ପହଞ୍ଚିବା, ଡଲାର ତୁଳନାରେ ଟଙ୍କା ଅତ୍ୟଧିକ ଦୁର୍ବଳ ହେବା, ବ୍ୟାଙ୍କର ଦୁର୍ବଳ ରୋଜଗାର, ପ୍ରାଇସ ଅରର୍ନିଂ ରେସିଓ ଅଧିକ ରହିବା ଓ ଅଭିବୃଦ୍ଧି ମନ୍ଥର ହେବା। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ସେପ୍ଟେମ୍ବର ୨୭ରେ ଷ୍ଟକ୍ ବଜାରର ସୂଚକାଙ୍କ ସର୍ବାଧିକ ରେକର୍ଡ ସ୍ତରରେ ପହଞ୍ଚିବା ପରେ ହ୍ରାସ ପାଇ ଚାଲିଛି। ୨୦୨୪ ସେପ୍ଟେମ୍ବର ୨୭ରେ ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୭୯ ଲକ୍ଷ କୋଟି ଟଙ୍କା ଥିଲା। ମାର୍ଚ୍ଚ ୧୩ ରେ ହ୍ରାସ ପାଇ ୩୯୧. ୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ୧୬୭ ଦିନରେ ପ୍ରାୟ ୧ ଟ୍ରିଲିୟନ ଡଲାର ବା ୮୭.୨୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଅପର ପକ୍ଷରେ ଏହି ସମୟରେ ଚୀନକୁ ୨ ଟ୍ରିଲିୟନ ଡଲାର ପୁଞ୍ଜିଆସିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନ୍ସେକ୍ସ ୨୦୨୪ ସେପ୍ଟେମ୍ବର ୨୭ ଦିନ ମଝିରେ ରେକର୍ଡ ସର୍ବାଧିକ ୮୫୯୭୮ ଅଙ୍କ ଛୁଇଁଥିଲା; କିନ୍ତୁ ୨୦୨୫ ମାର୍ଚ୍ଚ ୧୩ ସୁଦ୍ଧା ୭୩, ୮୨୮.୯୧ ପଏଣ୍ଟକୁ ହ୍ରାସ ପାଇଛି; ଅର୍ଥାତ୍ ୧୬୭ ଦିନରେ ୧୨, ୧୫୦ ଅଙ୍କ ବା ୧୪.୧୩. %ହ୍ରାସ ପାଇଛି। ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି ୨୬, ୨, ୭୭.୩୫ ପଏଣ୍ଟରୁ ୨୨, ୩୯୭.୨୦ ପଏଣ୍ଟକୁ ହ୍ରାସ ପାଇଛି। ଅର୍ଥାତ୍ ୩୮୮୦ପଏଣ୍ଟ ବା ୧୪.୭୬ % ହ୍ରାସ ପାଇଛି। କେବଳ ୨୦୨୫ ମସିହା ଫେବୃଆରୀ ୨୮ ତାରିଖ ବ୍ୟାପକ ବିକ୍ରୟ ମଧ୍ୟରେ ସେନସେକ୍ସ ୧୪୧୪.୩୩ ପଏଣ୍ଟ କିମ୍ବା ୧.୯୦%ହ୍ରାସ ପାଇଥିଲା ବେଳେ ନିଫ୍ଟି ୪୨୦.୩୫ ପଏଣ୍ଟ ବା ୧.୮୬ %ହ୍ରାସ ପାଇଥିଲା। ଅର୍ଥାତ୍ ନିବେଶକ ଗୋଟିଏ ଦିନରେ ୬, ୬୪, ୧୦୪ କୋଟି ଟଙ୍କା ନୋସନାଲ ବା କଳ୍ପିତ କ୍ଷତି ସହିଥିଲେ। ୧୯୯୨-୯୩ ରୁ ୨୦୨୪-୨୫ ମଧ୍ୟରେ ୫ ବର୍ଷ ବିଦେଶୀ ନିବେଶକ ବିନିଯୋଗ ଅପେକ୍ଷା ଅଧିକ ପ୍ରତ୍ୟାହାର କରିଛନ୍ତି। ୨୦୨୦-୨୧ରେ ସର୍ବାଧିକ ୨, ୭୪, ୦୩୨ କୋଟି ଟଙ୍କା ଓ ତା ପରେ ୨୦୨୩-୨୪ରେ ୨୦୮୨୧୨ କୋଟି ଟଙ୍କା ନିବେଶ କରିଲା ବେଳେ ୨୦୨୪-୨୫ମାର୍ଚ୍ଚ ୧୩ ସୁଦ୍ଧା ୧୫୩, ୦୮୩ କୋଟି ଟଙ୍କା ପ୍ରତ୍ୟାହାର କରିସାଲେଣି। ଅବଶ୍ୟ ଏହି କ୍ଷତି ବା ବୃଦ୍ଧି ଯୋଗୁଁଁ କେତେବେଳେ ଲାଭ ହୁଏ ତାହା ନୋସନାଲ ବା କଳ୍ପିତ। ଲାଭ ବା କ୍ଷତି ଜଣେ ଅନୁଭବ କରିବ ଯଦି ଜଣେ ତାର ସେୟାର ବିକ୍ରି କରେ। ଏକ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ଓ ହ୍ରାସ ତାହାର ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ। ଯେତେବେଳେ ଅଧିକ କିଣିବାକୁ ଚାହାଁନ୍ତି, ସେତେବେଳେ ତାହାର ମୂଲ୍ୟ ବୃଦ୍ଧି ପାଏ। ଯେତେବେଳେ ବେଶୀ ବିକିବାକୁ ଚାହାଁନ୍ତି ତାହାର ମୂଲ୍ୟ ହ୍ରାସ ପାଇଥାଏ। କ୍ଷୁଦ୍ର ନିବେଶକ ହ୍ରାସ ବେଳେ ନିବେଶ କରିବା ଓ ବୃଦ୍ଧି ବେଳେ ପ୍ରତ୍ୟାହାର କଲେ ଲାଭବାନ ହୋଇଥାନ୍ତି। ବାସ୍ତବରେ ବଡ ବଡ଼ ନିବେଶକ ବା ବିଦେଶୀ ନିବେଶକ ଉପରୋକ୍ତ ନୀତି ଆପଣାଇ ସର୍ବଦା ଲାଭ ଅର୍ଜନ କରିଥାନ୍ତି; କିନ୍ତୁ କ୍ଷୁଦ୍ର ବା ଖୁଚୁରା ନିବେଶକ ଠିକ୍ ଭାବେ ସତର୍କ ରହି ପ୍ରତ୍ୟାହାର ବା ନିବେଶ ନକରିପାରି କ୍ଷତି ସହିଥାନ୍ତି, ଏପରି କି ତଳିତଳାନ୍ତ ହୋଇଥାନ୍ତି। ବାସ୍ତବରେ ଷ୍ଟକ୍ ମାର୍କେଟର ପତନର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ; କିନ୍ତୁ ଏକ ଷ୍ଟକ୍ ମାର୍କେଟର ଉତ୍ଥାନ ବା ପତନରେ ବେଶୀ ଭୂମିକା ଥାଏ ବିଦେଶୀ ନିବେଶକଙ୍କର। କେତେବେଳେ ବିଦେଶୀ ନିବେଶକ ବିନିଯୋଗ କରିବେ ଓ ପ୍ରତ୍ୟାହାର କରିବେ କେହି କହିପାରିବ ନାହିଁ। ଏଥିପାଇଁ ପୁଞ୍ଜି ବଜାରର କାର୍ଯ୍ୟକାରିତା ଉପରେ ଜ୍ଞାନ ଆବଶ୍ୟକ। ଭାରତରେ ପୁଞ୍ଜି ବଜାରରେ ନିବେଶ କହିଲେ ଷ୍ଟକ୍ ମାର୍କେଟ ବ୍ୟତୀତ ଋଣ ବଜାର ବା ବଣ୍ଡ୍ ମାର୍କେଟ, ହାଇବ୍ରିଡ (ମିଉଚୁଆଲ ଫଣ୍ଡ ପରି ଇକ୍ୱିଟି ଓ ଋଣ) ଏବଂ ୧ ମାର୍ଚ୍ଚ ୨୦୧୯ରୁ କାର୍ଯ୍ୟକାରୀ ହେଉଥିବା ‘ସ୍ୱେଚ୍ଛାକୃତ ରିଟେନସନ୍ ରୁଟ୍’ ମାଧ୍ୟମରେ ଋଣ ବଜାରରେ ନିବେଶକୁ ବୁଝାଏ। ଷ୍ଟକ୍ ମାର୍କେଟ/ଇକ୍ୱିଟି /ଅଂଶଧନ ବଜାର ସର୍ବଦା ଅଧିକ ଅସ୍ଥିର। କାରଣ ପୁଞ୍ଜି ନିବେଶ ଓ ପ୍ରତ୍ୟାହାର ଉପରେ କୌଣସି କଟକଣା ନଥାଏ। ଷ୍ଟକ୍ ମାର୍କେଟରେ ଘରୋଇ ଓ ବିଦେଶୀ କ୍ଷୁଦ୍ର ନିବେଶକ ଏବଂ ସଂସ୍ଥାଗତ ନିବେଶକ ବିନିଯୋଗ କରିଥାନ୍ତି। ବିଦେଶୀ କ୍ଷୁଦ୍ର ନିବେଶକ ଏବଂ ସଂସ୍ଥାଗତ ନିବେଶକଙ୍କୁ ବିଦେଶୀ ପୋର୍ଟଫୋଲିଓ ନିବେଶକ କୁହାଯାଏ। ଏକ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ହେଉଛି ଏକ ନିବେଶକ କିମ୍ବା ନିବେଶ ପାଣ୍ଠି ଯାହା ଆମର ସେବିରେ ପଞ୍ଜିକୃତ ହୋଇ ନିବେଶ କରନ୍ତି। ଭାରତ ସରକାର ସମ୍ପ୍ରତି ଯୋଗ୍ୟ ବିଦେଶୀ ନିବେଶକଙ୍କୁ ଭାରତୀୟ ଇକ୍ୱିଟି ବଜାରରେ ସିଧାସଳଖ ନିବେଶ କରିବାକୁ ଅନୁମତି ଦେଇଛନ୍ତି, ଯେଉଁମାନେ ନିର୍ଦ୍ଧାରିତ ‘ଆପଣଙ୍କ ଗ୍ରାହକଙ୍କୁ ଜାଣ’ (କେୱାଇସି) ଆବଶ୍ୟକତା ପୂରଣ କରନ୍ତି; କିନ୍ତୁ ସମସ୍ୟା ହେଉଛି ପଞ୍ଜୀକୃତ ନହୋଇ ଭାଗୀଦାର ଭାବେ ନିବେଶ କରିଥାନ୍ତି। ଏହି ମାଧ୍ୟମରେ ମଧ୍ୟ ପ୍ରଚୁର କଳାଟଙ୍କା ନିବେଶ ହୋଇଥାଏ। ଯେତେବେଳେ ଅନ୍ୟ ଦେଶର ଷ୍ଟକ୍ ବଜାର ସୂଚକାଙ୍କ ପତନ ଘଟୁଛି, ଚୀନରେ ଏହା ବୃଦ୍ଧି ପାଉଛି। ସେପ୍ଟେମ୍ବର ୨୦୨୪ ପରଠାରୁ, ଚୀନ ଷ୍ଟକ୍ ବଜାରର ଏକ ପ୍ରମୁଖ ସୂଚକାଙ୍କ ସାଂଘାଇ କମ୍ପୋଜିଟ୍ ଇଣ୍ଡେକ୍ସ ୨୨% ବୃଦ୍ଧି ପାଇଛି। ଭାରତରେ ‘ଶେୟାର ବିକ ଓ ଚୀନରେ କିଣ’ ନୀତି ଯୋଗୁଁ ଏହି ଦେଶ ଲାଭବାନ ହୋଇଛି। ସେ ଯାହାହେଉ ଭାରତର ଖୁଚୁରା ନିବେଶକଙ୍କୁ ସୁରକ୍ଷା ଦେବା ଆବଶ୍ୟକ; ଅନ୍ତତଃ ସେମାନେ ମୂଳଧନ ନ ହରାନ୍ତୁ। ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ଟିକସ ଧାର୍ଯ୍ୟ କରିବା ଉଚିତ।
Comments are closed.