ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଶାଲିମାର ବାଗରେ ଜଣେ ବ୍ୟକ୍ତି ନିଜର ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାମ ହେଉଛି ମଧୁର। ସେ ପ୍ରଥମେ ୧୪ ବର୍ଷିୟ ଝିଅ ସମୀକ୍ଷା ଏବଂ ୬ ବର୍ଷିୟ ପୁଅ ଶ୍ରୀୟାଂସକୁ ଘରେ ଗଳା ଚିପି ହତ୍ୟା କରିଥିଲେ। ପରେ ମେଟ୍ରୋ ଷ୍ଟେସନକୁ ଯାଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଛି। ଟ୍ରେନ୍ ଧାରଣାରେ ମୃତଦେହ ପଡି ରହିଥିବା କାରଣରୁ କିଛି ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ପୁଲିସ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ୬ଟାର ୪୫ରେ ଶାଲିମାର ବାଗ ଅଞ୍ଚଳରୁ କେହି ଫୋନ କରି ଏହି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ମଧ୍ୟରେ ଅଲଗା ଅଲଗା ଖଟରେ ପଡିଥିବା ୨ଟି ପିଲାଙ୍କ ମୃତଦେହକୁ ଜବତ କରିଥିଲା। ପରେ ମେଟ୍ରୋ ଷ୍ଟେସନ ପୁଲିସ ଠାରୁ ପିତା ମଧୁରଙ୍କ ଆତ୍ମହତ୍ୟା ବିଷୟରେ ଜଣାପଡିଥିଲା। ଏହି ଅଘଟଣ ଘଟିବା ସମୟରେ ମଧୁରାଙ୍କ ପତ୍ନୀ ରୂପାଲି ଘରେ ନଥିଲେ। ସେ ବଜାରରେ ଥିଲେ ବୋଲି ତଦନ୍ତର ଜଣାପଡିଛି। ପୁଲିସ ସମସ୍ତ ମୃତଦେହକୁ ଜବତ କରିଥିଲା। କିନ୍ତୁ ମୃତଦେହ ନିକଟରୁ ଏବଂ ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ମଧୁରଙ୍କ ମୋବାଇଲ ଫୋନ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ପୁଲିସ ଏହି ଘଟଣା ବିଷୟରେ ଜାଣିବାକୁ ଚେଷ୍ଟା କରୁଛି।
ସୂଚନାଯୋଗ୍ୟ, ମୃତକ ମଧୁରଙ୍କ ଏକ କାରଖାନା ଥିଲା। ଯାହା ୬ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା। ସେବେଠାରୁ ସେ ମାନସିକ ଚିନ୍ତାରେ ଥିଲେ ବୋଲି ପତ୍ନୀ ରୂପାଲି କହିଛନ୍ତି। ମଧୁର ପୁଅ-ଝିଅକୁ ଡାକ୍ତର ଏବଂ ଇଂଜିନିୟର କରିବାକୁ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ ଫି ବା ଦରମା ଦେବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା ଏହାକୁ ନେଇ ସେ ବିଚଳିତ ଥିଲେ। ଗତକାଲି ସନ୍ଧ୍ୟାରେ ମଧ୍ୟ ମଧୁର ନିଜ ପରିବାର ସହ ଜଳଖିଆ କରିଥିବା ତାଙ୍କ ପତ୍ନୀ କହିଛନ୍ତି।



