ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଦାୟିତ୍ୱରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ଦୁଇ ଓଡ଼ିଆଙ୍କୁ ମିଳିଛି ପ୍ରଧାମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ୱ। ପୂର୍ବରୁ ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ୱ ପଦରେ ନିଯୁକ୍ତି ହୋଇଥିବାବେଳେ ଆଜି ଆଉ ଜଣେ ଓଡ଼ିଆ ଏହି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି । ପି.କେ. ମିଶ୍ରଙ୍କ ସହ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ଶକ୍ତିକାନ୍ତ ଦାସ ଦାୟିତ୍ୱ ତୁଲାଇବେ ବୋଲି କୁହାଯାଇଛି। ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ସମ୍ପର୍କରେ କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ ଦେଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ୱରେ ରହିଛନ୍ତି।
ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ୧୯୮୦ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇଏଏସ ଅଫିସର ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଅବସର ଗ୍ରହଣ କରିଛନ୍ତି। ଶକ୍ତିକାନ୍ତ ଦାସ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଏବଂ ଖର୍ଚ୍ଚ ବିଭାଗର ଯୁଗ୍ମ ସଚିବ, ତାମିଲନାଡୁ ସରକାରଙ୍କ ସ୍ୱତନ୍ତ୍ର ରାଜସ୍ୱ କମିଶନର, ଶିଳ୍ପ ବିଭାଗର ସଚିବଙ୍କ ସହ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ଏହି ଓଡ଼ିଆ ପୁଅଙ୍କ ପାଠପଢା ରାଜଧାନୀ ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ଥିବା ଶ୍ରୀ ଦାସଙ୍କ ଭୁବନେଶ୍ୱର ଡିଏମ୍ ସ୍କୁଲରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପର୍ଯ୍ୟନ୍ତ ଯାତ୍ରା ବେଶ ସଫଳ ରହିଛି।
Comments are closed.