ଗୁଜରାଟ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜର ସ୍ଥିତି ସୁଧାରିବା ପରିବେର୍ତ୍ତ କାଶ୍ମୀର ପ୍ରସଙ୍ଗରେ ଅଯଥା ମୁଣ୍ଡ ପୂରାଇ ଭାରତ ବିରୋଧୀ ଷଡ଼ଯନ୍ତ୍ର ଜୋରଦାର କରୁଥିବା ଜଣାପଡିଛି। ଗୋଟିଏ ପଟେ ଶତାଧିକ ଆତଙ୍କବାଦୀ ସୀମା ଆରପଟୁ ଭାରତରେ ଅନୁପ୍ରବେଶ ଅପେକ୍ଷାରେ ଥିବାବେଳେ ଅନ୍ୟପଟେ ସମୁଦ୍ର ପଥ ଦେଇ ପାକିସ୍ତାନର କିଛି ସାମୁଦ୍ରିକ କମାଣ୍ଡୋ ଭାରତରେ ପଶିବା ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି। ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ଅଥବା ଆତଙ୍କବାଦୀ ଆକ୍ରମଣ ଘଟାଇବା ଏମାନଙ୍କ ଉଦ୍ଦେଶ୍ୟ। କ୍ଷୁଦ୍ର ବୋଟ୍ ଯୋଗେ ଗୁଜରାଟର କଚ୍ଛ ଉପକୂଳ ଦେଇ ସେମାନେ ଭାରତରେ ଅନୁପ୍ରବେଶ କରିବାର ଆଶଙ୍କା ରହିଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ରିପୋର୍ଟ ମିଳିବା ପରେ ଏଠାକାର କାଣ୍ଡଲା ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି। ସୀମା ସୁରକ୍ଷା ବାହିନୀ(ବିଏସଏଫ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଗୁଡିକୁ ସତର୍କ କରାଯାଇଛି। ଏଥିସହ ଉକ୍ତ ସାମୁଦ୍ରିକ ଅଞ୍ଚଳ ଉପରେ କଡ଼ା ଦୃଷ୍ଟି ରଖାଯିବା ସହ ପାଟ୍ରୋଲିଂ ବଢାଇ ଦିଆଯାଇଛି।
ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ) ଭାରତରେ ଆକ୍ରମଣ ଘଟାଇବା ଲାଗି ଉଗ୍ରବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ନିକଟରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ସଙ୍କେତ ଦେଇଥିଲେ। ସମୁଦ୍ରପଥ ଦେଇ ଯେଭଳି କୌଣସି ଆତଙ୍କବାଦୀ ଅନୁପ୍ରବେଶ ନ କରନ୍ତି ସେଥିନେଇ ସମ୍ପୂର୍ଣ୍ଣ ସତର୍କ ରହିବାକୁ ସମସ୍ତ ସୁରକ୍ଷା ବାହିନୀକୁ ସେ ଏବେ କଡ଼ା ନିର୍ଦେଶ ଦେଇଛନ୍ତି। ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ୍ ପକ୍ଷରୁ କୁହାଯାଇଛି ଯେ ହରମି ନାଳ ଦେଇ କଚ୍ଛରେ ପ୍ରବେଶ କରିବାକୁ ଯୋଜନା ରଖିଥିବା ଏହି କମାଣ୍ଡୋମାନେ ଜଳସ୍ତର ଭିତରେ ଆକ୍ରମଣ କରିବା ସମ୍ବନ୍ଧରେ ପାକିସ୍ତାନରେ ପ୍ରଶିକ୍ଷଣ ଲାଭ କରିଛନ୍ତି। ଏଣୁ ସେମାନଙ୍କର ଉଚିତ ମୁକାବିଲା ପୂର୍ବକ ଗୁଜରାଟରେ କୌଣସି ପ୍ରକାରର ଅଘଟଣ ରୋକିବା ଲାଗି ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ଆଗକୁ ପଶ୍ଚିମାଞ୍ଚଳର ବଡ଼ ପର୍ବ ଗଣେଶ ଚତୁର୍ଥୀ ପାଳନ ହେବାକୁ ଯାଉଥିବାରୁ ବିଶେଷ ସତର୍କ ରହିବାକୁ ସୁରକ୍ଷାବାହିନୀକୁ କୁହାଯାଇଛି।
ଗୋଆ ଏକ ପର୍ୟ୍ୟଟନସ୍ଥଳ ହୋଇଥିବାରୁ ସେଠାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଏଣୁ ଗୋଆ ପୁଲିସକୁ ମଧ୍ୟ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବା ପୁଲିସ ଡିଆଇଜି ପରମାଦିତ୍ୟ କହିଛନ୍ତି। ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁରେ ଅନୁପ୍ରବେଶ କରିଥିବା ନେଇ କିଛି ଦିନ ପୂର୍ବେ ଗୁଇନ୍ଦା ପକ୍ଷରୁ ସୂଚନା ମିଳିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିଲା। କେରଳରେ ମଧ୍ୟ ସୁରକ୍ଷା ବାହିନୀ ତଟବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ଦୃଷ୍ଟି ରଖିଛି। କେରଳ-ତାମିଲନାଡୁ ସୀମାନ୍ତବର୍ତ୍ତୀ ଅଞ୍ଚଳ ବିଶେଷକରି ପାଲାକ୍କଡ, ତ୍ରିସୂର ଏବଂ ଏର୍ଣ୍ଣାକୁଲମ୍ ଜିଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
Comments are closed.