ଉଚ୍ଚ ଅଟ୍ଟାଳିକା ନିର୍ମାଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ଇଡ଼କୋ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ଉଚ୍ଚ ଅଟ୍ଟାଳିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କୋଠା ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟର ମାନ ଉପରେ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରେ ପୂର୍ତ୍ତ ବିଭାଗ ଦ୍ୱାରା ୬ଟି ବୃହତ ଅଟ୍ଟାଳିକା ନିର୍ମାଣ କରାଯାଉଛି। ସାଧାରଣ ପ୍ରଶାସନ ବିଭାଗର ୯ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକାର କାର୍ଯ୍ୟ ଜୁଲାଇ ୨୦୧୮ରେ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏଥିପାଇଁ ପ୍ରାୟ ୧୨୪କୋଟି ଟଙ୍କା ବିନିଯୋଗ କରାଯାଉଛି। ସେହିପରି ୩୫କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କନଭେନସନ ସେଣ୍ଟର ୨୦୧୮ ସେପ୍ଟେମ୍ବରରେ ଶେଷ ହେବ। ଏହାର ମୁଖ୍ୟ ହଲରେ ୩୯୦ଜଣ ବ୍ୟକ୍ତି ବସିବାର କ୍ଷମତା ରହିଛି। ସେହିପରି ୧୯କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ରାଜଭବନର ନୂତନ ଅଭିଷେକ ହଲଟି ୨୦୧୮ ଡ଼ିସେମ୍ବରରେ ସମ୍ପୂର୍ଣ୍ଣ ହେବ। ଏହାର ମୁଖ୍ୟ ହଲର କ୍ଷମତା ହେଉଛି ୧୦୦୦ ଓ ସମ୍ମିଳନୀ କକ୍ଷର କ୍ଷମତା ୬୦। ୬କୋଟି ଟଙ୍କା ବିନିଯୋଗରେ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ୟୁନିଟ-୮ରେ ସରକାରୀ ନିବାସ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆର୍ଟସ ବ୍ଲକର ନିର୍ମାଣ ଖୁବ୍ଶୀଘ୍ର ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ଆଗାମୀ ଦିନରେ ପୂର୍ତ୍ତ ବିଭାଗ ଦ୍ୱାରା ହେବାକୁ ଥିବା କେତେକ ବିଲଡ଼ିଂ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏଥିମଧ୍ୟରେ ରହିଛି ନନ୍ଦନକାନନରେ ୩୦୦ କ୍ଷମତା ବିଶିଷ୍ଟ ଏକ ମଲ୍ଟି ଲେଭଲ କାର ପାର୍କିଂ, ଇନଷ୍ଟିଚ୍ୟୁଟ ଅଫ ମାଥମେଟିକ୍ସର ହଷ୍ଟେଲ ବିଲ୍ଡିଂ, ଭୁବନେଶ୍ୱରରେ ନୂଆ କୋର୍ଟ କମ୍ପେ୍ଲକ୍ସ , ଅନ୍ୟ କେତେକ ସରକାରୀ ନିବାସ ଓ ହଷ୍ଟେଲ।
ସେହିପରି ଇଡ଼କୋ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପ ମଧ୍ୟରେ ରହିଛି ରାଜ୍ୟ କୃଷି ଭବନ। ପ୍ରାୟ ୭୦.୫୯କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପଟି ୨୦୧୮ ଅଗଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟ କରିବ। ୧୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମଞ୍ଚେଶ୍ୱର ଟାଓାର ୨୦୧୮ ଜୁଲାଇରେ ସମ୍ପୂର୍ଣ୍ଣ ହେବ। ୧୦୫କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଚନ୍ଦକା ଇନକୁବେସନ ସେଣ୍ଟର କାମ ୨୦୨୦ ମେ’ରେ ସମ୍ପୂର୍ଣ୍ଣ ହେବ। ସେହିପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୫୦୦ଆସନ ବିଶିଷ୍ଟ ଠକ୍କରବାପା ହଷ୍ଟେଲର ନିର୍ମାଣ ଚଳିତବର୍ଷ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୨.୩୯କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ହଜ୍ ହାଉସ ଚଳିତବର୍ଷ ଡ଼ିସେମ୍ବରରେ ସମ୍ପୂର୍ଣ୍ଣ ହେବ। ଶକ୍ତି ବିଭାଗର ନୂଆ ଶକ୍ତି ଭବନ କମ୍ପେ୍ଳକ୍ସର ନିର୍ମାଣ ୨୦୧୯ ଜୁଲାଇ ସୁଦ୍ଧା ଶେଷ ହେବ ବୋଲି ଜଣାଯାଇଛି। ଦକ୍ଷତା ବିକାଶ ବିଭାଗ ପାଇଁ ଏକ ନୂଆ ଏକାଡ଼େମିକ ବିଲ୍ଡିଂ, ସଂସ୍କୃତି ବିଭାଗର ୨୦୦୦କ୍ଷମତା ବିଶିଷ୍ଟ ନୂଆ ଅଡ଼ିଟୋରିୟମ ‘କଳା ମଣ୍ଡଳ’, ପରିବେଶ ବିଭାଗର ପ୍ରକୃତି ଭବନ ଆଦିର ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ଇଡ଼କୋର ସିଏମଡ଼ି ଓ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।