nua o banner

ଭଙ୍ଗା ଚାଳିଆରେ ୮ ବର୍ଷ ହେବ ଚାଲିଛି ଭଦୁବାହାଳି ପ୍ରାଥମିକ ବିଦ୍ୟାଳୟ

BJD Bijuli 480×75 Mob

ଠାକୁରମୁଣ୍ଡା :  ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କଥା କହୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ପଞ୍ଚାୟତ ଭଦୁବାହାଳି ଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ସରକାର ଶିକ୍ଷାର ମାନ ବଢାଇବା ପାଇଁ କେତେ କଣ ଯୋଜନା କରୁଛନ୍ତି। ୫- ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ  ଚାଲୁଛି। କିନ୍ତୁ ଦିର୍ଘ ୮ ବର୍ଷ ହେଲା ଭଙ୍ଗା ଚାଳିଆ ତଳେ ଚାଲୁଛି ପ୍ରାଥମିକ ବିଦ୍ୟାଳୟ। ପିଲା ମାନେ ଏହି ଭଙ୍ଗା ଚାଳିଆ ତଳେ ବସି ପାଠ ପଢୁଛନ୍ତି। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମପାୟତ ଅନ୍ତର୍ଗତ ଭଦୁବାହାଳି ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳୁଛି ।


ଗତ ୨୦୧୪ ମସିହା ଠାରୁ ଭଦୁବାହାଳି ଗ୍ରାମରେ ସରକାରଙ୍କ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ସ୍ଥାପନ ହେବା ପରେ ପ୍ରଥମେ ବିଦ୍ୟାଳୟ ପରିସରରେ ଏକ ଚାଳିଆ ତଳେ ପିଲାଙ୍କୁ ପାଠ ପଢା ଯାଉଥିଲା । ପ୍ରତିଷ୍ଠା ହେବାର ଗୋଟିଏ ବର୍ଷ ପରେ ୨୦୧୫-୧୬ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନରେ ଶ୍ରେଣୀ ଗୃହ ପାଇଁ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଗୃହ ମଞ୍ଜୁର ହୋଇ ନିର୍ମାଣ ହୋଇଥିଲା। ଗୃହ ନିର୍ମାଣରେ ୪ ଲକ୍ଷ ଟଙ୍କା ବ୍ୟୟ ହେବା ପରେ ଗୃହର ଛାତ ପଡିବା ପୂର୍ବରୁ ଏହି ଯୋଜନାରୁ ଟଙ୍କା ନଆସିବା କାରଣରୁ ଗୃହ କାମ ବନ୍ଦ ହୋଇ ଗୃହ ଅସମ୍ପୂର୍ଣ୍ଣ ହୋଇ ରହି ଯାଇଥିଲା । ପରେ ଏହି ବିଦ୍ୟାଳୟକୁ ବ୍ଲକ ମାଧ୍ୟମରେ ଶ୍ରେଣୀ ଗୃହ ନିମନ୍ତେ ୨୦୨୧-୨୨ବର୍ଷରେ ୪ ଲକ୍ଷ ଟଙ୍କା ବରାଦ ହୋଇ ଥିଲେ ମଧ୍ୟ ଗୃହ ନିର୍ମାଣ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ୨ଟି ଗୃହରେ ଛାତ ନଥିବାରୁ ପିଲା ମାନେ ୮ ବର୍ଷ ହେଲା ଚାଳିଆ ତଳେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀରେ ବର୍ତ୍ତମାନ ୩୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୫ ଟି ଶ୍ରେଣୀ ଥିବା ବେଳେ ଏଠାରେ ମାତ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବିଦ୍ୟାଳୟର ଗୃହ ନ ଥିବାରୁ ମଧ୍ୟାହ୍ନ ଭୋଜନ ପାଚିକା ଘରେ ରୋଷେଇ କରି ଆଣି ପିଲାଙ୍କୁ ଖାଇବାକୁ ଦିଆ ଯାଉଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଟୀକା ମହାନ୍ତ କହୁନ୍ତି ଯେ ଗୃହ ନଥିବାରୁ ପିଲା ମାନେ ଛଣ ଘରେ ବସି ପାଠ ପଢୁଛନ୍ତି। ବର୍ଷା ହେଲେ ପାଠ ପଢା ବନ୍ଦ ରୁହେ। ବ୍ଲକରୁ ଶ୍ରେଣୀ ଗୃହ କରୁଥିବା ଠିକାଦାରଙ୍କୁ କହିଲେ ଏବେ କାମ କରିଦେବା କଥା କହୁଛନ୍ତି ହେଲେ ସେ କାମ କରୁନାହାଁନ୍ତି । ସର୍ବଶିକ୍ଷା ଅଭିଯାନରେ ଅଧାପନ୍ତରିଆ ଗୃହ ସମ୍ପର୍କରେ ଠାକୁରମୁଣ୍ଡା ଏବିଓ ଭାଗ୍ୟରଥୀ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଡିପିଇପି ଯୋଜନାରୁ ନିର୍ମାଣ ଚାଲିଥିବା ଗୃହ ୪ ଲକ୍ଷ ଟଙ୍କା ଆସିବା ପରେ ଆଉ ଟଙ୍କା ନ ଆସିବାରୁ ଗୃହ କାମ ହୋଇ ପାରି ନଥିଲା। ସେହିପରି ବ୍ଲକ ମାଧ୍ୟମରେ ନିର୍ମାଣ ହେଉଥିବା ଅନ୍ୟ ଏକ ଅଧାପନ୍ତରିଆ ଶ୍ରେଣୀ ଗୃହ ବାବଦରେ ଠାକୁରମୁଣ୍ଡା ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁଙ୍କୁ ପଚାରିବାରୁ ସେ କହିଲେ କାହିଁକି କାମ ହୋଇ ପାରି ନାହିଁ ତାହା ଜାଣିବା ପରେ ପଦକ୍ଷପ ଗ୍ରହଣ କରିବେ ।

Comments are closed.