ଗଣଶିକ୍ଷା ବିଭାଗର ସଂସ୍କାର ଜାଲ୍‍ ; ୫ଲକ୍ଷ ଭୂତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛନ୍ତି ୧୫ହଜାର ଶିକ୍ଷକ

0

ଭୁବନେଶ୍ୱର  : ରାଜ୍ୟରେ ବର୍ଷବର୍ଷ ଧରି ହଜାର ହଜାର ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜାଲ୍‍ ଉପସ୍ଥାନ ଦର୍ଶାଇ ବିଦ୍ୟାଳୟ ଚଳାଇ ଆସୁଛନ୍ତି। ଶିକ୍ଷାନୁଷ୍ଠାନ ନାଁରେ କେବଳ ସରକାରୀ ଯୋଜନା ବାଟବଣା ହେଉନି ବରଂ ନିଜେ କିଭଳି ତିଷ୍ଠି ରହିବେ ସେଥିପାଇଁ ଫନ୍ଦିଫିକର କରୁଛନ୍ତି। ଚୋରର ଚୌକି ଟାଣ ନ୍ୟାୟରେ ଶିକ୍ଷାନୁଷ୍ଠାନ ବଞ୍ଚାଇବାପାଇଁ କେତେବେଳେ ଘରୋଇ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଆଣି ସ୍କୁଲ ପରିଦର୍ଶକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ତ ଆଉ କେତେବେଳେ ରାଜନେତା ଓ ସଂଘକୁ ହାତବାରିସି କରି ବିଦ୍ୟାଳୟ ଚଳାଇବା ପାଇଁ ପ୍ରୟାସ କରୁଛନ୍ତି। ଏହିଭଳି ବେଆଇନ କାର୍ଯ୍ୟ ଏବେ ଗଣଶିକ୍ଷା ବିଭାଗ ସ୍କାନରରେ ଧରା ପଡିଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଆଧାର କାର୍ଡ ସହିତ ସଂଯୋଗୀକରଣ କରାଯିବା ପରେ ରାଜ୍ୟରେ ବାସ୍ତବରେ କେତେ ବିଦ୍ୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଅନୁସାରେ ଚାଲୁଛି ତାହା ସ୍ପଷ୍ଟ ହୋଇଛି। ସରକାରଙ୍କ ନିକଟକୁ ଯେଉଁ ରିପୋର୍ଟ ଆସିଛି ତାହାକୁ ଲୋକଲୋଚନକୁ ଆଣିବାପାଇଁ ବିଭାଗ ଏବେ ସାହସ କୁଳାଇ ପାରୁନାହିଁ। ଏତେ ସଂଖ୍ୟକ ଜାଲ୍‍ ଛାତ୍ରଛାତ୍ରୀ କିଭଳି ପୂର୍ବରୁ ଦର୍ଶାଯାଉଥିଲା ଏବଂ ଏବାବଦ ବିଭିନ୍ନ ଯୋଜନା ଅର୍ଥ କୁଆଡେ ଯାଉଥିଲା କାଳେ ତାହା ଅଧିକ ଘଣ୍ଟାଚକଟା ହେବ ସେଥିପାଇଁ ବିଭାଗର ବରିଷ୍ଠ ପଦାଧିକାରୀ ଚୁପ୍‍ ରହୁଛନ୍ତି। ଅନୁସନ୍ଧାନ ପରେ ଜିଲାସ୍ତରରୁ ଶିକ୍ଷା ଅଧିକାରୀମାନେ ଦେଇଥିବା ରିପୋର୍ଟ ତର୍ଜମା ପରେ ବହୁ ଅନାଲୋଚିତ ତଥ୍ୟ ଏବେ ସରକାରଙ୍କୁ ଅଣନିଶ୍ୱାସୀ କରୁଛି। ସଂପୃକ୍ତ ଶିକ୍ଷକମାନଙ୍କୁ ବିଦା କରାଯିବ ନା ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରାଯିବ ସେନେଇ ସରକାରୀସ୍ତରରେ ବିଚାରବିମର୍ଶ ଚାଲିଥିବାବେଳେ ବିଭାଗ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟଗୁଡିକୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ ଗଞ୍ଜାମ ଓ ବଲାଙ୍ଗିର ଜିଲାରେ ଶତାଧିକ ଶିକ୍ଷାନୁଷ୍ଠାନ ବେଆଇନ ଭାବେ ଚାଲିଛି। ସରକାରଙ୍କ ଶିକ୍ଷା ନୀତି ଓ ସର୍ତ୍ତାବଳୀ ଅନୁଯାୟୀ ସେଠାରେ ଯେଉଁସବୁ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟକୁ ଖୋଲିବାପାଇଁ ଅନୁମତି ଦିଆଯାଇଛି ତାହା ପାଳନ ହେଉନାହିଁ। ହେଲେ ସେଠାରେ ପ୍ରତି ବିଦ୍ୟାଳୟରେ ୭ରୁ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏଭଳିକି ବିଦ୍ୟାଳୟରେ ସର୍ବନିମ୍ନ ୩୦ଜଣ ଛାତ୍ରଛାତ୍ରୀ ନଥିବା ଅନୁଧ୍ୟାନ ବେଳେ ଜଣାଯାଇଛି। ରାଜ୍ୟରେ ଜନଜାତି ଉପଯୋଜନା ବାହାରେ ପ୍ରାୟ ୧୨୫୦ଟି ବିଦ୍ୟାଳୟରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନାହିଁ। ମାତ୍ର ଶିକ୍ଷକ ମାଳ ମାଳ ରହିଛନ୍ତି। ଏହିସବୁ ବିଦ୍ୟାଳୟରେ ପ୍ରାୟ ୧୨ହଜାର ୫୦୦ ଶିକ୍ଷକ ଓ କର୍ମଚାରୀ ୪ଲକ୍ଷରୁ ଅଧିକ ଜାଲ୍‍ ଛାତ୍ରଛାତ୍ରୀ ରିପୋର୍ଟ ପ୍ରସ୍ତୁତ କରି ସରକାରୀ ଅର୍ଥ ହରିଲୁଟ୍‍ କରିବା ସହିତ ଶିକ୍ଷାନୁଷ୍ଠାନ ଓ ନିଜର ଅସ୍ଥିତ୍ୱ ବଞ୍ଚାଇ ରଖିଛନ୍ତି। ସେହିପରି ରାଜ୍ୟର ୨୭୦ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସରକାରଙ୍କ ଶିକ୍ଷାନୀତିକୁ ଜଳାଞ୍ଜଳି ଦେଇ ଶିକ୍ଷାନୁଷ୍ଠାନ ଚାଲିଛି। ଶିକ୍ଷକମାନେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଜାଲ୍‍ ଉପସ୍ଥାନ ଦର୍ଶାଇ ଚାକିରି ବଞ୍ଚାଇ ରଖିବା ସହିତ ସରକାରୀ ଯୋଜନା ବାଟମାରଣା କରୁଛନ୍ତି। ସବୁଠାରୁ ବଡ଼କଥା ହେଲା ୨୬୦୮ଟି ବ୍ଲକଗ୍ରାଣ୍ଟ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକମାନେ ନ୍ୟାଯ୍ୟ ଦାବି ହାସଲ କରିବାପାଇଁ ବିଭିନ୍ନ ସମୟରେ ସରକାରଙ୍କୁ ଟାର୍ଗେଟ କରି ଗାନ୍ଧୀମାର୍ଗରେ ଡେରା ପକାଉଛନ୍ତି। ଏମିତିକି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଢ଼ାଲ କରି ମାସ ମାସ ଧରି ଆନ୍ଦୋଳନ କରୁଛନ୍ତି। ହେଲେ ସେହି ବିଦ୍ୟାଳୟଗୁଡିକର ବାସ୍ତବତା ଏବେ ସରକାରଙ୍କ ହାତରେ ଲାଗିଛି। ସଂପୃକ୍ତ ଶିକ୍ଷକ-କର୍ମଚାରୀଙ୍କ ପ୍ରତି କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରି ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଥିବା ବିଭାଗର ଜନୈକ ପଦସ୍ଥ ଅଧିକାରୀ କହିଛନ୍ତି।

Leave A Reply