କେବେ ଏସ୍‌‌ସିବିରେ ଲାଗୁ ହେବ ‘ନିର୍ମଳ++’

କଟକ: କଟକ ବଡ ଡାକ୍ତରଖାନାର ବିଭିନ୍ନ କାର୍ଯ୍ୟ ସ୍ବଚ୍ଛତା ଏବଂ ବ୍ୟବସ୍ଥିତ ଢଙ୍ଗରେ କରାଯିବା ପାଇଁ ଏସ୍‌ସିବି ମେଡିକାଲକୁ ନିର୍ମଳ++ ଶ୍ରେଣୀରେ ସାମିଲ କରାଗଲା। ଏହି ଯୋଜନା ଦ୍ୱାରା ସଫେଇ ଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ଆଗାମୀ ଦିନରେ ସବୁ ଆଉଟସୋର୍ସିଂ ବ୍ୟବସ୍ଥା ଗୋଟିଏ ଟେଣ୍ଡର ମାଧ୍ୟମରେ ହେବ। ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ (ଓବିସିସି) ପକ୍ଷରୁ ଏକ ଅନୁଧ୍ୟାନ ରିପୋର୍ଟ ଦାଖଲ କରାଯିବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଏକ ଚିଠି ମଧ୍ୟ ଆସିଥିଲା। ଓବିସିସିର ରିପୋର୍ଟ ଉପରେ ଏସ୍‌ସିବି ଅଧୀକ୍ଷକ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ନିଜସ୍ବ ମତ ରଖିଥିଲେ; କିନ୍ତୁ ଅଦ୍ୟାବଧି ଉକ୍ତ ଯୋଜନା ଲାଗୁ ନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲରେ ବିଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଯେପରିକି ସଫେଇ କାର୍ଯ୍ୟ ପାଇଁ ପରିତୋଷ, ମେଡ଼ିକାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବା ପାଇଁ ମଞ୍ଜୁଶ୍ରୀ, ସୁରକ୍ଷା ବ୍ୟବସ୍ଥା ପାଇଁ ନିରାକାର, କମ୍ପ୍ୟୁଟର କାର୍ଯ୍ୟ ପାଇଁ ରେଡଟେକ ଭଳି ସଂସ୍ଥା କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ଅନ୍ୟ କାର୍ଯ୍ୟ ଲାଗି ମଧ୍ୟ ଆଉ କିଛି ଠିକା ସଂସ୍ଥା ରହିଛନ୍ତି। ନିର୍ମଳ ଯୋଜନା ଦ୍ୱାରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ। ଗୋଟିଏ ସଂସ୍ଥା ଟେଣ୍ଡର ମାଧ୍ୟମରେ ସମସ୍ତ ଦାୟିତ୍ବ ନେବ। ଏହାପରେ ଫ୍ରାଞ୍ଚାଇଜ ଦ୍ୱାରା ଉକ୍ତ ସଂସ୍ଥା ଅନ୍ୟ ଠିକା ସଂସ୍ଥାକୁ କାର୍ଯ୍ୟ ଦେଇପାରିବ। ତେବେ ଦଲାଲ ଦମନ ପାଇଁ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ହିଁ ଏକମାତ୍ର ବିକଳ୍ପ ହୋଇପାରେ ବୋଲି ଆଶା ସଞ୍ଚାର କରିଛି।

ସୂଚନାଯୋଗ୍ୟ, ଏସ୍‌ସିବି ମେଡିକାଲରେ ଦଲାଲ ଦମନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ମେଡିକାଲ ଭିତରେ ସାଦା ପୋଷାକରେ ପୁଲିସ କର୍ମଚାରୀ ଘୂରି ବୁଲୁଛନ୍ତି। ଦିନ ରାତି ବିଭିନ୍ନ ସ୍ଥାନରେ ଚଢ଼ଉ ହେଉଛି; କିନ୍ତୁ ଦଲାଲଙ୍କ ସଂଖ୍ୟା କମୁନି। ଜଣକ ପରେ ଜଣେ ଦଲାଲ ଗିରଫ ହେଉଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଧରାପଡ଼ୁଥିବା ଦଲାଲମାନେ କୌଣସି ବାହାରର ବ୍ୟକ୍ତିବିଶେଷ ନୁହନ୍ତି, ବରଂ ମେଡ଼ିକାଲରେ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାର କର୍ମଚାରୀ। ବିଭିନ୍ନ ସମୟରେ ଏମାନେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବା ବାହାନାରେ ଶୋଷଣ କରିଥାନ୍ତି। ଆଉ ସେବା ନାଁରେ ଠକେଇ କରିବାରେ ମଧ୍ୟ ଲିପ୍ତ ରହିଥାନ୍ତି। ଚଳିତ ବର୍ଷ ଭିତରେ ଏଭଳି ୧୦ରୁ ୧୨ ଜଣ ଦଲାଲ ପୁଲିସ ହାତରେ ଧରାପଡ଼ିଛନ୍ତି। ଠିକା କର୍ମଚାରୀଙ୍କ ଏଭଳି କାର୍ଯ୍ୟ ମେଡିକାଲ କର୍ତ୍ତୃପକ୍ଷଙ୍କର ମଧ୍ୟ ଚିନ୍ତା ବଢ଼ାଇ ସାରିଲାଣି। ଏହି ଯୋଜନା ଲାଗୁ ହେଲେ ହିଁ ଏହି ସମସ୍ୟାର ଏକମାତ୍ର ସମାଧାନ ବୋଲି ମେଡିକାଲର ବରିଷ୍ଠ ଅଧିକାରୀ କୁହନ୍ତି।

Comments are closed.