କଟକ : କଟକ ବଡ଼ ଡାକ୍ତରଖାନାର ଇତିହାସରେ ଆଉ ଏକ ସଫଳତାର ଫର୍ଦ ଖୁବଶୀଘ୍ର ଯୋଡିହେବାକୁ ଯାଉଛି। ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ବଡ ଡାକ୍ତରଖାନା ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ଖୁବଶୀଘ୍ର ଫୁସ୍ଫୁସ୍ ଅସ୍ତ୍ରୋପଚାର ଆରମ୍ଭ ହେବ। ଏଥିନେଇ କେନ୍ଦ୍ର ସରକାର ସବୁଜସଙ୍କେତ ଦେଇଛନ୍ତି। କେବଳ ସେତିକି ନୁହେଁ, ଫୁସ୍ଫୁସ୍ ଅସ୍ତ୍ରୋପଚାର ପାଇଁ ଏକ ନେଗେଟିଭ ପ୍ରେସ ମଡୁଲାର ଅସ୍ତ୍ରୋପଚାର ଗୃହ ସ୍ଥାପନ ପାଇଁ ୫.୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଉକ୍ତ ଅର୍ଥରେ ଯକ୍ଷ୍ମା ଓ ଛାତି ରୋଗ ବିଭାଗ ସେଣ୍ଟର ଅଫ ଏକ୍ସଲେନ୍ସରେ ଏହି ଓଟି ନିର୍ମାଣ କରାଯାଇ ଅସ୍ତ୍ରୋପଚାର ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର କଟକ ବଡ଼ ଡାକ୍ତରଖାନା ଯକ୍ଷ୍ମା ଓ ଛାତି ରୋଗ ବିଭାଗକୁ ସେଣ୍ଟର ଅଫ ଏକ୍ସଲେନ୍ସ( ଉତ୍କୃଷ୍ଟ କେନ୍ଦ୍ର)ଭାବେ ଘୋଷଣା କରିଛନ୍ତି। ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା ହେବା ପରେ ଏଠାରେ ଫୁସ୍ଫୁସ୍ ଅସ୍ତ୍ରୋପଚାର ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ କାଗଜପତ୍ର ଯାଞ୍ଚ, ଭିତ୍ତିଭୂମି, ଡାକ୍ତର, ପାରାମେଡିକାଲ କର୍ମଚାରୀ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏଥିରେ ସନ୍ତୋଷ ପ୍ରକାଶ କରିବା ପରେ କେନ୍ଦ୍ରରେ ବଡ଼ ଡାକ୍ତରଖାନାରେ ଫୁସ୍ଫୁସ୍ ଅସ୍ତ୍ରୋପଚାର ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ଅନୁମତି ଦେବା ପରେ ବଡ଼ ଡାକ୍ତରଖାନା ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଯକ୍ଷ୍ମା ଓ ଛାତି ରୋଗୀଙ୍କ ସଂଖ୍ୟା ଅଧିକ। ଧୂମପାନ କରୁଥିବା ବ୍ୟକ୍ତିଙ୍କର ଫୁସ୍ଫୁସ ବିଶେଷଭାବେ ପ୍ରଭାବିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ୬୦ପ୍ରତିଶତ ଔଷଧ ଖାଇ ସୁସ୍ଥ ହୋଇଥାନ୍ତି। ୨୦ପ୍ରତିଶତ ରୋଗୀଙ୍କ ଫୁସ୍ଫୁସ୍ ୮୦ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିବାରୁ ତାହା ଔଷଧ ସେବନ ଦ୍ୱାରା ଭଲ ହୋଇନଥାଏ। ଏହି ରୋଗୀଙ୍କର ଫୁସ୍ଫୁସ୍ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ। ରାଜ୍ୟ ସମେତ ପୂର୍ବ ଭାରତରେ ଏହି ଅସ୍ତ୍ରୋପଚାର ପାଇଁ କୌଣସି ସରକାରୀ ଡାକ୍ତରଖାନାରେ ବିଶେଷ ସୁବିଧା ନାହିଁ। କଟକ ବଡ଼ ଡାକ୍ତରଖାନାରେ ଫୁସ୍ଫୁସ୍ ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି। ବିଶେଷକରି ଡାକ୍ତରଖାନାରେ ହୃଦବକ୍ଷଶଲ୍ୟ ବିଭାଗ ରହିଥିବାରୁ ଫୁସ୍ଫୁସ୍ ଅସ୍ତ୍ରୋପଚାର କରିବା ସହଜ ହେବ। ଏଥିସହିତ ରାଜ୍ୟ ସରକାର ଚଳିତବର୍ଷଠାରୁ ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ରେସ୍ପିରେଟୋରି ଥେରାପି ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମବର୍ଷରେ ୭ଜଣ ବିଦ୍ୟାର୍ଥୀ ଏହି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ଏହି ପାଠ୍ୟକ୍ରମ ଦ୍ୱାରା ବିଦ୍ୟାର୍ଥୀମାନେ ନିଶ୍ୱାସପ୍ରଶ୍ୱାସ ସଂକ୍ରାନ୍ତ ସମସ୍ୟା ରହିଥିବା ରୋଗୀଙ୍କର ଫିଜିଓଥେରାପି କରିପାରିବେ। ଏଥିସହିତ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ପାରାମେଡିକାଲ କର୍ମଚାରୀ, ସେବିକା ମଧ୍ୟ ରହିଛନ୍ତି। ନେଗେଟିଭ ପ୍ରେସର ମଡୁଲାର ଓଟି ସ୍ଥାପନ ହେବା ପରେ ଫୁସ୍ଫୁସ୍ ଅସ୍ତ୍ରୋପଚାର ଆରମ୍ଭ ହେବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏସ୍ସିବିରେ ହେବ ଫୁସ୍ଫୁସ୍ ଅସ୍ତ୍ରୋପଚାର
Popular Categories



