ଏସ୍‌ସି/ଏସ୍‌ଟି ଆଇନ ପ୍ରସଙ୍ଗ: ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଅତ୍ୟାଚାର ନିରୋଧ ଆଇନ ସମ୍ବନ୍ଧରେ ନିଜର ସଦ୍ୟ ରାୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ୨ ଦିନ ମଧ୍ୟରେ ନିଜ ନିଜ ମତାମତ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟର ପୁନଃ ସମୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସକାଳେ ଶୁଣାଣି ହୋଇଥିଲା। ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାଏର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତ୍ୱରିତ୍‌ ଗିରଫ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୨୦ରେ ଯେଉଁ ରାୟ ଦେଇଥିଲେ ତାହାକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଥିବା ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଅଦାଲତଙ୍କୁ ଜଣାଇଥିଲେ। ଏହି ପ୍ରସଙ୍ଗରେ ସରକାରଙ୍କ ଯୁକ୍ତି ଅଦାଲତରେ ଉପସ୍ଥାପନ କରି ଉକ୍ତ ରାୟ ଉପରେ ରହିତାଦେଶ ଦେବାକୁ ସେ ନ୍ୟାୟାଧିଶଙ୍କୁ ନିବେଦନ କରିଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ କହିଥିଲେ, ସୁପ୍ରିମକୋର୍ଟ ଏସ୍‌ସି/ଏସ୍‌ଟି ଆଇନ ବିରୋଧୀ ନୁହନ୍ତି। କିନ୍ତୁ କୌଣସି ନିର୍ଦୋଷଙ୍କୁ ଦଣ୍ଡ ମିଳିବା ଉଚିତ ନୁହେଁ। ଅପରାଧ ଘଟଣାରେ ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି)ର ବିଭିନ୍ନ ଧାରା ଅଧୀନରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ସୁପ୍ରିମକୋର୍ଟ ବାରଣ କରିନାହାନ୍ତି। ବରଂ କେବଳ ଏସ୍‌ସି/ଏସ୍‌ଟି ଆଇନ ଅଧୀନରେ ପ୍ରାଥମିକ ତଦନ୍ତ ପରେ ହିଁ ଅପରାଧ ମାମଲା ରୁଜୁ ହୋଇପାରିବ ବୋଲି ଅଦାଲତ ରାୟ ଦେଇଥିଲେ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ଏଫ୍‌ଆଇଆର୍‌ ରୁଜୁ ନ କରି କେବଳ ଅଭିଯୋଗ ଦାଖଲ ପରେ ତୁରନ୍ତ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହି ଆଇନ ଅଧୀନରେ ଅଭିଯୁକ୍ତଙ୍କୁ ଗିରଫ ଅନୁମତି ଦେବା ନେଇ କ୍ଷମତାପ୍ରାପ୍ତ ଅଧିକାରୀ ନିଯୁକ୍ତି ନିମନ୍ତେ ମଧ୍ୟ ବିଚାର ହେବ ବୋଲି ଖଣ୍ଡପୀଠ କହିଛନ୍ତି। ପରବର୍ତ୍ତୀ ଶୁଣାଣି ୧୦ ଦିନ ପରେ ହେବ। ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟକୁ ବିରୋଧ କରି ଦଳିତ ସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ବନ୍ଦ ପାଳନ ବେଳେ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଘଟି ୧୦ ଜଣ ପ୍ରାଣ ହରାଇଥିଲେ।

Leave A Reply