ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଏବଂ ତା’ ଭଳି କେତେକ ଯୋଜନା ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଥିବା ଏସବୁ ଯୋଜନାକୁ ରଦ୍ଦ କରିବା ଲାଗି ତେଲେଙ୍ଗାନାର ପି. ପୁଲାରାଓଙ୍କ ପିଟିଶନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର ଏବଂ କେନ୍ଦ୍ର ସରକାର ଓ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏହି ନୋଟିସ ଜାରି କରିଛନ୍ତି।
ସୂଚନା ମୁତାବକ, ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ ଓଡ଼ିଶା ସରକାର ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ପରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରିଥିଲେ। ଏଥିସହିତ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆରମ୍ଭ କରିଥିଲେ। ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ପୁଲାରାଓ ଆବେଦନ କରିଛନ୍ତି। ନିର୍ବାଚନ ସମୟରେ ଏପରି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି। ଏଭଳି ଘୋଷଣା ଅବାଧ ଓ ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି। ନିର୍ବାଚନର ଅତି କମ୍ରେ ୬ମାସ ପୂର୍ବରୁ ଯୋଜନା ଘୋଷଣା ହେଉ ବୋଲି ପୁଲାରାଓ ପିଟିଶନରେ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରିବା ସହିତ ପ୍ରତିପକ୍ଷ କେନ୍ଦ୍ର ସରକାର, ମୁଖ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରମାନଙ୍କୁ ନୋଟିସ ଜାରି କରିଛନ୍ତି।



