ଡେସ୍କ: ରାଜସ୍ଥାନର ଜଣେ ସକ୍ରିୟ ବିଧାୟକଙ୍କ ପୁଅକୁ ଦୁଷ୍କର୍ମ ମାମଲାରେ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ରାଜସ୍ଥାନ ହାଇକୋର୍ଟ ସମ୍ପୃକ୍ତ ଯୁବକକୁ ଜାମିନ ପ୍ରଦାନ କରିଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ବିଚାରକୁ ନେଇ ନାହାନ୍ତି। ଦୁଷ୍କର୍ମ କରିଥିବା ଯୁବକ ହେଉଛନ୍ତି ଦୀପକ ମିନା ଓ ସେ ରାଜସ୍ଥାନ ବିଧାନସଭାର କଂଗ୍ରେସ ସଦସ୍ୟ ଜୋହାରୀ ଲାଲ ମିନାଙ୍କ ପୁଅ। ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ନିଜ ପିତାଙ୍କ କ୍ଷମତାର ଅପବ୍ୟବହାର କରି ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ କରିବାର ସମ୍ଭାବନା ରହିଛି ତେଣୁ ଆସନ୍ତା ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଜରୁରୀ।
ଏହି ମାମଲାରେ ପୂର୍ବରୁ ରାଜସ୍ଥାନ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଏପ୍ରିଲ ୬ରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଥିଲେ। ରାଜସ୍ଥାନ ଦାଉସା ଜିଲ୍ଲା ଅନ୍ତର୍ଗତ ମନ୍ଦୱାରରେ ଗତବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚରେ ଜଣେ ୧୫ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ।



