ତନ୍ତ୍ରସାଧନା ପାଇଁ ସ୍ତ୍ରୀକୁ ବଳି !

0
-ପୁଲିସ ଆଗରେ ଅଭିଯୁକ୍ତର ବୟାନ, -ପାଞ୍ଚବର୍ଷ ହେଲା ଘରେ କାଳୀଙ୍କ ଫଟୋ ରଖି କରୁଥିଲା ସାଧନା
-ପୁଅଝିଅଙ୍କୁ ବଳିଦେବା ପାଇଁ ହୋଇଥିଲା ସ୍ବପ୍ନାଦେଶ,-ପୁଅଝିଅଙ୍କ ବଦଳରେ ନିଜେ ମରିବାକୁ ସ୍ତ୍ରୀ ରାଜି ହୋଇଥିଲା

ନାକଟିଦେଉଳ : ଅନ୍ଧବିଶ୍ୱାସର ବଶବର୍ତ୍ତୀ ଜଣେ ବ୍ୟକ୍ତି ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ସ୍ତ୍ରୀକୁ ବଳି ଚଢ଼ାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୬ ଦିନ ତଳେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ହିତସରା ଗ୍ରାମରେ ଘଟିଥିବା ଏହି ନୃଶଂସ ଘଟଣା ଆଜି ଲୋକଲୋଚନକୁ ଆସିଛି। ପୁଲିସ ହିତସରା ଗାଁ ମୁଣ୍ଡ ଜଙ୍ଗଲରୁ ସଂପୃକ୍ତ ମହିଳାଙ୍କ ଶବ ଜବତ କରି ସଂପୃକ୍ତ ସ୍ୱାମୀ ଚଗଲା ସେଠୀ (୪୪)କୁ ଗିରଫ କରିଛି। ଚଗଲା ଗତ ୨୯ ତାରିଖରେ ପତ୍ନୀ ସୁଲୋଚନା (୪୦)ଙ୍କୁ ବଳି ଦେଲା ପରେ ଶବକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି।
ଅଭିଯୁକ୍ତ ଚଗଲାର ବୟାନ ଆଧାରରେ ରେଢ଼ାଖୋଲ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ ‘ସମାଜ’କୁ ସୂଚନା ଦେଇଛନ୍ତି ଯେ ମାତ୍ର ପଞ୍ଚମ ଶ୍ରେଣୀ ଯାଏ ପଢ଼ିଥିବା ଅଭିଯୁକ୍ତ ଗତ ୫ ବର୍ଷ ହେଲା କାଳୀ ପୂଜା କରି ଆସୁଛି। ପୂଜା ଶେଷରେ ସେ ନିଜ ହାତ କାଟି ଦେବୀଙ୍କୁ ରକ୍ତ ଅର୍ପଣ କରେ। ଘଟଣା ପୂର୍ବ ରାତିରେ ସ୍ତ୍ରୀ ସହିତ ତା’ର ଝଗଡ଼ା ହୋଇଥିଲା। ସେହି ରାତିରେ ଦେବୀ ତାକୁ ସ୍ୱପ୍ନାଦେଶ ଦେଇଥିଲେ। ସ୍ତ୍ରୀକୁ ବଳି ନ ଦେଲେ ପୁଅମାନଙ୍କୁ ଖାଇଦେବି ବୋଲି ଦେବୀ କୁଆଡ଼େ ତାକୁ କହିଥିଲେ। ତେଣୁ ତା ପରଦିନ ସେ ପତ୍ନୀଙ୍କୁ ମୁଣ୍ଡିଆ ମାରିବାକୁ କହିଥିଲା। ସୁଲୋଚନା ମୁଣ୍ଡିଆ ମାରିବା ମାତ୍ରେ ସେ ତାଙ୍କ ତଣ୍ଟି କାଟି ଦେବୀଙ୍କ ଆଗରେ ବଳି ଚଢ଼ାଇଥିଲା ଓ ପରେ ତଣ୍ଟି ଚିପି ଶବକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ବୋଲି ଏସଡିପିଓ ଶ୍ରୀ ସ୍ୱାଇଁ କହିଛନ୍ତି। ଚଗଲାର ମାନସିକ ସ୍ଥିତି ଠିକ ନ ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
ତେବେ ନାକଟିଦେଉଳ ପୁଲିସର କହିବା ଅନୁସାରେ, କାଳୀ ମାତା ତାକୁ କୁଆଡ଼େ ସ୍ୱପ୍ନାଦେଶ ଦେଇ ତାଙ୍କୁ ପୁଅ କି ଝିଅଙ୍କ ରକ୍ତ ଦେବାକୁ କହିଥିଲେ। ଚଗଲା ଦେବୀଙ୍କ ସ୍ୱପ୍ନାଦେଶ କଥା ପତ୍ନୀଙ୍କୁ କହିଥିଲା। ସୁଲୋଚନା କୁଆଡ଼େ କହିଥିଲେ ଯେ ମତେ ପଛକେ ବଳି ଦେଇଦିଅ; ମୋ ପୁଅ, ଝିଅଙ୍କୁ ଛାଡ଼ିଦିଅ। ଚଗଲା ସୁଲୋଚନାଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲା। ଗତ ୨୯ ତାରିଖ ପୂର୍ବାହ୍ନରେ ସେ ପତ୍ନୀଙ୍କ ସହିତ ଗାଁ ପାଖ ରଣଖଣ୍ଡି ଜଙ୍ଗଲକୁ ଯାଇ ସେଠାରେ କାଳୀ ପୂଜା କରିଥିଲା। ସୁଲୋଚନାଙ୍କ ହାତ କାଟି ଆରାଧ୍ୟ ଦେବୀଙ୍କ ପ୍ରତିମାକୁ ରକ୍ତସ୍ନାନ କରାଇଥିଲା। ସୁଲୋଚନା ଯନ୍ତ୍ରଣାରେ ଚିତ୍କାର କରିବାରେ ଚଗଲା ତାଙ୍କ ତଣ୍ଟି କାଟି ଦେଇ ଶବକୁ ଫିଙ୍ଗି ଦେଇଥିଲା। ଏହା ପରେ ସେ ଗାଁକୁ ଫେରି ଆସି କିଛି ନ ଜାଣିଲା ଭଳି ସୁଲୋଚନା ହଜି ଯାଇଛନ୍ତି ବୋଲି ସମସ୍ତଙ୍କୁ କହିଥିଲା।
ଦେବଗଡ଼ ଜିଲା ରିଆମାଳ ବ୍ଳକ ଟୁହିଲାମାଲ ଗ୍ରାମରେ ରହୁଥିବା ସୁଲୋଚନାଙ୍କ ଭାଇ ଗାଁ ଲୋକଙ୍କ ସହ ମିଶି ଖୋଜାଖୋଜି କଲା ପରେ ଭଉଣୀଙ୍କୁ ନ ପାଇ ୩୦ ତାରିଖ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ଗତ କାଲି(ଶୁକ୍ରବାର) ଗ୍ରାମର କିଛି ଲୋକ ରଣଖଣ୍ଡି ଜଙ୍ଗଲରେ ଗାଈ ଚରାଉଥିବା ବେଳେ ଉତ୍କଟ ଦୁର୍ଗନ୍ଧ ହେବାରୁ କାରଣ ଖୋଜି ଦେଖିଲା ବେଳକୁ ସୁଲୋଚନାଙ୍କ ପଚା ଶବ ପଡ଼ି ଥିବା ଦେଖିଥିଲେ। ନାକଟିଦେଉଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ରାତି ହୋଇ ଯାଇଥିବାରୁ ଶବ ଜବତ କରି ପାରିନଥିଲା। ଶନିବାର ସକାଳେ ରେଢ଼ାଖୋଲ ଏସଡିପିଓ ଶ୍ରୀ ସ୍ୱାଇଁ ଓ ଥାନାଧିକାରୀ ବିନୋଦ ଲାକ୍ରା ଶବ ଜବତ ପ୍ର୍ରକ୍ରିୟା ଆରମ୍ଭ କରିବା ମାତ୍ରେ ଗ୍ରାମର ମହିଳାମାନେ ଅନ୍ୟ ଜାତିର ଲୋକଙ୍କୁ ଶବ ଛୁଇଁବାକୁ ଦେବେ ନାହିଁ ବୋଲି ପ୍ରତିବାଦ କରିବାରୁ ଆଜି ଅପରାହ୍ନ ସୁଦ୍ଧା ଶବ ଜବତ ହୋଇ ପାରି ନଥିଲା। ତେବେ ସେମାନଙ୍କୁ ବୁଝାସୁଝା କଲା ପରେ ଶନିବାର ସନ୍ଧ୍ୟାରେ ପୁଲିସ ଶବକୁ ଜବତ କରିଛି। ରବିବାର ରେଢ଼ାଖୋଲରେ ଶବ ବ୍ୟବଚ୍ଛେଦ ହେବ ବୋଲି କୁହାଯାଇଛି।

Leave A Reply