୨ କ୍ୱିଣ୍ଟାଲ ଗୋ ମାଂସ ଜବତ : ୬ ଗିରଫ     

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ଅବୈଧ୍ୟ ଭାବରେ ଗୋ ହତ୍ୟା, ଚୋରା ଚାଲଣ ଓ ଗୋ ମାଂସ ଆଦି କାରବାର ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି। ବିଗତ କିଛି ଦିନ ହେବ କ୍ରମାଗତ ଭାବରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ୨୫ ଶହରୁ ଅଧିକ ଗୋ ଚମଡା ଜବତ, ଗୋ ସମ୍ପଦ ଉଦ୍ଧାର, ଚୋରା ଗୋ ସମ୍ପଦ ଚାଲାଣ ସମୟରେ କଣ୍ଟେନର ଗାଡି ଦୁର୍ଘଟଣା ଗ୍ରସ୍ତ ହେବା, ଗୋ ମାଂସ ଜବତ ଆଦି ଘଟଣା ଘଟି ଚାଲିଥିବା ବେଳେ ଏଥିପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚିନ୍ତା ପ୍ରକଟ ସହିତ କଡା କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଇତି ମଧ୍ୟରେ ଗୋ ସୁରକ୍ଷା କାର୍ଯ୍ୟରେ ସଂପୃକ୍ତ କିଛି ବ୍ୟକ୍ତିଙ୍କ ଠାରୁ ସୂଚନା ପାଇବା ଓ ଏସପିଙ୍କ ହସ୍ତକ୍ଷେପ ପରେ ଧନୁପାଲି ପୁଲିସ ମୋତିଝରନ କ୍ଷେତିପଡ଼ା ଠାରେ ଚଢ଼ଉ କରି ୨ କ୍ୱିଣ୍ଟାଲ (୨ ଶହ କିଗ୍ରା) ଗୋ ମାଂସ ଜବତ କରିଛି। ଏହି ମାମଲାରେ ଅବୈଧ୍ୟ କଂସେଇଖାନାରୁ ୬ ଜଣଙ୍କ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି ବୋଲି ଧନୁପାଲି ଥାନାଧିକାରୀ କହିଛନ୍ତି। ବାରମ୍ବାର ଗୋ ହତ୍ୟା, ଗୋ ମାଂସ ଜବତ, ଗୋ ସମ୍ପଦ ଉଦ୍ଧାର ଘଟଣା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ପ୍ରଶାସନ ଏହି ବେଆଇନ କାର୍ଯ୍ୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

 

Comments are closed.