ଗୁଜୁରାଟରେ ଶ୍ରମିକ ବିକ୍ରି ଅଭିଯୋଗ !

ସମ୍ବଲପୁର :  ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅର୍ନ୍ତଗତ ଛମୁଣ୍ଡା ଗ୍ରାମର କିଛି ବ୍ୟକ୍ତିଙ୍କୁ ଗୁଜରାଟରେ ଶ୍ରମିକ କାର୍ଯ୍ୟ ନିମନ୍ତେ ବିକ୍ରି କରିଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି । ଛମୁଣ୍ଡା ଗ୍ରାମର ନିବାସୀ ରଜନୀ ସୁନା (୩୦) ଗୁରୁବାର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ୩୦ ଦିନ ତଳେ ତାଙ୍କ ଗ୍ରାମରେ ଦଲାଲ ରୂପେ କାର୍ଯ୍ୟରତ ଜଣେ ବ୍ୟକ୍ତି ତାଙ୍କ ସ୍ୱାମୀ ରାଜୁ ସୁନା ଏବଂ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ସମେତ ସମୁଦାୟ ୩ ଜଣ ବ୍ୟକ୍ତିଙ୍କୁ ଗୁଜରାଟରେ କାମ କରାଇ ଦେବେ ବୋଲି କହି ସାଥିରେ ନେଇ ଯାଇଥିଲେ। ପ୍ରତି ୮ ଦିନରେ ମଜୁରୀ ଟଙ୍କା ଘରେ ଦେଇ ଦେବି ବୋଲି ପ୍ରତିଶୃତି ଦେଇଥିଲେ। ପୀଡିତା ମହିଳା ତାଙ୍କର ସ୍ୱାମୀ କାମକୁ ଯିବାର ୮ ଦିନ ପରେ ଟଙ୍କା ଦେବା ପାଇଁ ସେହି ଦଲାଲଙ୍କୁ କହିବାରୁ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ସ୍ୱାମୀ କାର୍ଯ୍ୟ କ୍ଷେତ୍ରରୁ ଅନ୍ୟତ୍ର ପଳାଇଥିବା କହିଥିଲେ। ଏଣୁ ପୀଡିତା ମହିଳା ଯୁଯୁମୁରା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ପତ୍ରର ଏକ ନକଲ ରଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଥାନାରେ ସ୍ୱାମୀଙ୍କୁ ଖୋଜି ଆଣିବା ନିମନ୍ତେ ଯାତାୟାତ ପାଇଁ ଏକ ଗାଡି ଦେବାକୁ କହିଥିଲେ। ଏଥି ସହ ମହିଳା ରଖିଥିବା ଏଫଆଇରର ନକଲକୁ ମଧ୍ୟ ନେଇ ଯାଇଥିଲେ। ସ୍ୱାମୀ କାମ କରି ଯାହା ରୋଜଗାର କରିଥାନ୍ତି ସେଥିରେ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟି ଥାଏ । ଏଣୁ ମହିଳା ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବା ସହିତ ତାଙ୍କର ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଗୁହାରୀ କରିଛନ୍ତି ।

kalyan agarbati

Comments are closed.