ସତ୍ୟେନ୍ଦ୍ର ଜୈନ୍‍ଙ୍କ ବିରୋଧରେ ସିବିଆଇ ମାମଲା

0

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‍ଙ୍କ ବିରୋଧରେ ସିବିଆଇ ବୁଧବାର ଏକ ମାମଲା ରୁଜୁ କରିଛି। କାର୍ମିକ ବିଭାଗ ପକ୍ଷରୁ ସୃଜନଶୀଳ ଦଳ ନିଯୁକ୍ତିରେ ଅନିୟମିତତା ନେଇ ଏହି ମାମଲା ରୁଜୁ ହୋଇଛି। ତତ୍‍ସମୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଦାୟିତ୍ୱରେ ଥିବା ଏସ୍‍. କେ. ଶ୍ରୀବାସ୍ତବଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ବୁଧବାର ପୂର୍ବାହ୍ନରେ ଦିଲ୍ଲୀସ୍ଥିତ ଜୈନ୍‍ଙ୍କ ବାସଭବନ ଉପରେ ସିବିଆଇ ପ୍ରଥମେ ଚଢାଉ କରିଥିଲା। ତଦନ୍ତ ନିମନ୍ତେ ସେଠାରେ ଉପସ୍ଥିତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏତାଦୃଶ କାର୍ଯ୍ୟାନୁଷ୍ଠାନକୁ ଜୈନ୍‍ ଟ୍ୱିଟର୍‍ରେ ତୀବ୍ର ସମାଲୋଚନା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ ମଧ୍ୟ ସିବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ଏହି ପ୍ରସଙ୍ଗ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୋଡିବାକୁ ଉଦ୍ୟମ କରିଛନ୍ତି। ମୋଦୀ ବାସ୍ତବରେ କ’ଣ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜୈନ୍‍ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିବା ସମୟରେ ସୃଜନଶୀଳ ଦଳରେ ନିଯୁକ୍ତି ନିମନ୍ତେ ପ୍ରାର୍ଥୀ ମନୋନୟନ ଦାୟିତ୍ୱ ବିଶେଷ ଅଭିଜ୍ଞତା ନ ଥିବା ଏକ ସଂସ୍ଥାକୁ ଦିଆଯାଇଥିଲା। ଏହି ସଂସ୍ଥା ଦେଶର ବିଭିନ୍ନ କଲେଜ୍‍ଗୁଡିକରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରିଥିଲା। ମାତ୍ର ଉପରାଜ୍ୟପାଳଙ୍କ ସ୍ୱୀକୃତି ନ ନେଇ ୨୦୧୫ ସେପ୍ଟେମ୍ବର ୧ରେ ବିଭାଗରେ ସୃଜନଶୀଳ ଦଳ ଗଠନ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ପରଠାରୁ ୨ ବର୍ଷ ମଧ୍ୟରେ ୨୪ ଜଣ ସ୍ଥପତିଙ୍କୁ ନିଯୁକ୍ତି ଦିଆଯାଇଛି; ଯଦ୍ୱାରା ୫.୪୭ କୋଟି ଟଙ୍କା ବ୍ୟୟ ହୋଇଥିବା ଅଭିଯୋଗ ହୋଇଛି।

Leave A Reply