ମଦମୁକ୍ତ ପୁରୀ ପାଇଁ ଗାନ୍ଧୀ ସ୍ମୃତିପୀଠରେ ସତ୍ୟାଗ୍ରହ

ପୁରୀ: ପୁରୀ ସହରକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ଦାବିରେ ରବିବାର ଗାନ୍ଧୀ ସ୍ମୃତି ପୀଠରେ ପୁରୀ ବିକାଶ ପରିଷଦ ପକ୍ଷରୁ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶତାଧିକ ବ୍ୟକ୍ତି, ବରିଷ୍ଠ ନାଗରିକ, ଗାନ୍ଧିବାଦୀ ଏବଂ ଛାତ୍ରଛାତ୍ରୀ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିଲେ। ପୁରୀ ସହରରେ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରାଯିବାକୁ ସେମାନେ ଦାବି କରିଛନ୍ତି। ଏହାପରେ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଶ୍ରୀ ବର୍ମା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଆବିର୍ଭାବ ଏବଂ ଆଦ୍ୟପୀଠ ହୋଇଥିବାରୁ ମଦ ବିକ୍ରି ଯୋଗୁ ଏହାର ପବିତ୍ରତା, ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଥିବା ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଅଭିଯୋଗ କରିଛନ୍ତି।

ମଦ ଦୋକାନ ସଂଖ୍ୟା ବୃଦ୍ଧି ଯୋଗୁ ପୁରୀରେ ଅପରାଧ ବଢୁଛି। ଭକ୍ତମାନେ ତିକ୍ତ ଅନୁଭୂତି ନେଇ ଏଠାରୁ ଫେରୁଥିବା ବସ୍ତିଆ ଅଭିଯୋଗ କରିଛନ୍ତି। ଏହାଛଡା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଓ ଭକ୍ତି ଭାବନା କ୍ଷୁର୍ଣ୍ଣ ହେଉଛି। ବୃନ୍ଦାବନ, ମଥୁରା, ହରିଦ୍ଵାର, ଋଷିକେଶ, ଅଯୋଧ୍ୟା, ତିରୁପତିରେ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ ହୋଇଥିବାରୁ ଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ମଦ ବିକ୍ରି ବନ୍ଦ ପାଇଁ ସେମାନେ ଦାବି କରିଛନ୍ତି। ଏହାଛଡା ପୁରୀକୁ ମଦମୁକ୍ତ କରିବା ପାଇଁ ପରିଷଦ ପକ୍ଷରୁ ଗତବର୍ଷ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟପାଳଙ୍କ ସଚିବ ଏଥିପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପୁରୀକୁ ମଦମୁକ୍ତ ଘୋଷଣା କରିନାହାନ୍ତି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କିନ୍ତୁ ପୁରୀ ମଦମୁକ୍ତ ନହେବା ଯାଏ ଏହି ପରିକଳ୍ପନା ସଫଳ ହୋଇପାରିବ ନାହିଁ ବୋଲି ବସ୍ତିଆ କହିଛନ୍ତି। ଏହି ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗାନ୍ଧିବାଦୀ ଗୌରାଙ୍ଗ ଚରଣ ପରିଡ଼ା, ପ୍ରଫେସର ବିପିନାନନ୍ଦ ମିଶ୍ର, ଡାକ୍ତର କୈଳାଶ ଭୂଷଣ ମହାପାତ୍ର, ସର୍ବୋଦୟ ମେଳା କମିଟି ସଭାପତି ରାଧାକାନ୍ତ ମହାପାତ୍ର, ଉତ୍କଳ ବିଦ୍ୱତ ପରିଷଦ ସଭାପତି ମନୋଜ କୁମାର ରଥ, ପୁରୀ ସେବା ସମିତି ସହକାରୀ ସଂପାଦକ ସୌମେନ୍ଦ୍ର ଦାସ, ଭାରତ ବିକାଶ ପରିଷଦ ପ୍ରାନ୍ତୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ସାଧାରଣ ସମ୍ପାଦକ ଚକ୍ରଧର ମହାପାତ୍ର, ଶ୍ରୀକ୍ଷେତ୍ର ସୂଚନା ସମ୍ପାଦକ ରାଜେଶ କୁମାର ମହାନ୍ତି, ଭଏସ ଅଫ କମନମାନ୍ ପକ୍ଷରୁ ହେକ୍ଟର ମିଶ୍ର, ନିଶାମୁକ୍ତ ଅଭିଯାନ ଆବାହକ ମଧୁସୂଦନ ମିଶ୍ର, ଓଡ଼ିଶା ଲେଖକ ସହଯୋଗ ସମିତି ସଭାପତି ବିରେନ୍ଦ୍ର ମହାନ୍ତି, ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଆବାହକ ସୂର୍ଯ୍ୟ ନାରାୟଣ ରଥ, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାସ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି, କୁମାର ଉତ୍ସବ ସମିତି ସାଧାରଣ ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା, ମାନବ ଅଧିକାର ଟ୍ରଷ୍ଟ ସମ୍ପାଦକ ପ୍ରାନ୍ତସିନୀ ଜେନା, ପୂରୀ ଓକିଲ ସଂଘ ଉପସଭାପତି କାଳୀ ପ୍ରସାଦ ନାୟକ, ଡାକ୍ତର ରଧାଶ୍ୟାମ ରଥ, ଛାୟାକାନ୍ତ ନାୟକ, ସର୍ବୋଦୟ କମିଟି ସମ୍ପାଦକ ଶିବ ପ୍ରସାଦ ମିଶ୍ର, ହୋପ ଇଜ୍ ଲାଇଫ ସଭାପତି ସୁରେଶ କୁମାର ନନ୍ଦ, ଟୁଇଟର କର୍ମି ସଂଘର ଦେବରାଜ ଦାସ, ବେଲ ସମ୍ପାଦକ ଓମ୍ ପ୍ରସାଦ ମହାନ୍ତି, ଆମେ ଶ୍ରୀକ୍ଷେତ୍ର ବାସୀ ପକ୍ଷରୁ ସତ୍ୟ ନାରାୟଣ ସାହୁ, ପ୍ରିୟପତ୍ର ସମ୍ପାଦକ ବିପିନ ବିହାରି ଦଳାଇ, ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ଅମରେନ୍ଦ୍ର ପାଇକରାୟ, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସମ୍ପାଦକ ବିଶ୍ଵନାଥ ବେହେରା, ଆଇନଜୀବୀ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ବିଦ୍ୟୁତ୍ ଲତା ଆଚାର୍ଯ୍ୟ, କସ୍ତୁରବା ନାରୀ ମଙ୍ଗଳ କେନ୍ଦ୍ର ପକ୍ଷରୁ ସୁଭାଷିନୀ ମହାରଣା, ବରିଷ୍ଠ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରଣା, ଡାକ୍ତର ହେମନ୍ତ କୁମାର ଛୋଟରାୟ ପ୍ରମୁଖ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ।

Comments are closed.