ସାତକୋଶିଆରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ବିଫଳ : ନାହାନ୍ତି ବିଶେଷଜ୍ଞ, ବୈଜ୍ଞାନିକ ଓ ସ୍ୱତନ୍ତ୍ର ଜଗୁଆଳି, ହ୍ରାସପାଉଛି କୁମ୍ଭୀର ପ୍ରଜନନ ସଂଖ୍ୟା

ମାଛଧରା ଓ ମୋଟରଡଙ୍ଗା ଚଳାଚଳ କୁମ୍ଭୀର ବଂଶବୃଦ୍ଧିରେ ବାଧକ

ହରଭଙ୍ଗା (ପ୍ରୀତିରଞ୍ଜନ ଦାସ) : ସାତକୋଶିଆ ଗଣ୍ଡ ତଥା ଅଭୟାରଣ୍ୟରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ପରିବେଶ ଏବଂ ବାତାବରଣ ରହିଛି । ସାତକୋଶିଆ ଏବଂ ବାଈଶିପଲ୍ଲୀ ଅଭୟାରଣ୍ୟ ମଧ୍ୟରେ ମହାନଦୀ ପ୍ରଭାବିତ ହେଉଛି। ମହାନଦୀର ଉଭୟପାର୍ଶ୍ବରେ ୧୦୦୦ ବର୍ଗକିମିରେ ଅଭୟାରଣ୍ୟ ରହିଛି । ସାଇକୋଶିଆରେ ମହାନଦୀ ଗଭୀର ଥିବାରୁ ଉକ୍ତ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରାଗଲା । ୧୯୭୫ ମସିହାରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ଏବଂ ବଂଶବୃଦ୍ଧି ପାଇଁ ‘ଘଡ଼ିଆଳ କୁମ୍ଭୀର ପ୍ରକଳ୍ପ’ ଆରମ୍ଭ କରାଗଲା। ମହାନଦୀର ବିନିକା ଠାରୁ ରାମଗାଁ ନାଳ ପର୍ୟ୍ୟନ୍ତ ୧୦ କିମି ନଦୀପଥକୁ କୋର୍‌ଏରିଆ ବା କଟକଣା ଅଂଚଳ ଭାବେ ଘୋଷଣା କରାଗଲା। ସେଠାରେ ମାଛଧରା, ମୋଟର ଚାଳିତ ଡଙ୍ଗା ଚଳପ୍ରଚଳ ଉପରେ କଟକଣା ଜାରି କରାଗଲା । କିନ୍ତୁ ୪୫ ବର୍ଷ ପରେ ମଧ୍ୟ ଏହି ଯୋଜନା ଫେଲ୍‌ ମାରିଥିବା ଦେଖିବାକୁ ମିଳିଛି । ମାଛମରା, ମୋଟର ଚାଳିତ ଡଙ୍ଗା ଚଳାଚଳ ଉପରେ କଟକଣାକୁ କଡାକଡି କରାଯାଉ ନ ଥିବାରୁ ଏହା କୁମ୍ଭୀର ବଂଶବୃଦ୍ଧିରେ ବାଧା ସୃଷ୍ଟି କରୁଛି । ସେହିପରି ପ୍ରକଳ୍ପ ପାଇଁ ବିଶେଷଜ୍ଞ, ବୈଜ୍ଞାନିକ, ସ୍ବତନ୍ତ୍ର ଜଗୁଆଳି ବ୍ୟବସ୍ଥା ନ ଥିବାରୁ ଏହି ଯୋଜନାଟି ଲକ୍ଷ୍ୟଠାରୁ ଢେର ପଛରେ ପଡିଯାଇଛି ।

 

ସାତକୋଶିଆ ଗଣ୍ଡରେ ମହାନଦୀ ବନ୍ୟପ୍ରାଣୀ ଅନୁଗୋଳ ବନଖଣ୍ଡ ଅଧୀନସ୍ଥ ଟିକରପଡ଼ା ଠାରେ ୧୯୭୫ ମସିହାରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଗଲା ।ଘଡ଼ିଆଳ ଗବେଷଣା ପାଇଁ ବିଶେଷଜ୍ଞ ଏଚ.ଆର୍‌.ବଷ୍ଟାର୍ଡଙ୍କୁ ନିଯୁକ୍ତ କରାଗଲା । ଏହାର ମୁଖ୍ୟ ଉଦେଶ୍ୟଥିଲା ମହାନଦୀରେ ଘଡିଆଡ କୁମ୍ଭୀର ବଂଶବୃଦ୍ଧି। ଏହି ଉଦେଶ୍ୟରେ ଟିକରପଡାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା । ମହାନଦୀରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି ଏହାର ମୁଖ୍ୟଉଦେଶ୍ୟ ଥିଲା। ତେଣୁ ଟିକରପଡ଼ାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲାଗଲା । ୧୯୭୫ରେ ପ୍ରଥମ ଅଣ୍ଡା ନେପାଳରୁ ଅଣାଯାଇ ଏଠାରେ କୁମ୍ଭୀରର ସଫଳ ପ୍ରଜନନ କରାଯାଇଥିଲା । ପୁଣି ୧୯୭୬ରେ ବିହାରର ଗଣ୍ଡୁକାନଦୀରୁ ୪୨ଟି ଅଣ୍ଡା ଆଣି ସଫଳ କୁମ୍ଭୀର ପ୍ରଜନନ କରାଗଲା। ତୃତୀୟ ପର୍ଯ୍ୟାୟରେ ନେପାଳର ନାରାୟଣୀ ନଦୀରୁ କିଛିଅଣ୍ଡା ଅଣାଯାଇ ପୁଣି ସଫଳ ପ୍ରଜନନ କରାଯାଇଥିଲା । ୧୯୭୭ ମସିହାରେ ସାତକୋଶିଆ ଗଣ୍ଡରେ ୮୦୦ ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଥିଲା । ଏହାର କିଛିବର୍ଷ ପରେ ସର୍ଭେରୁ ସାତକୋଶିଆ ଗଣ୍ଡରେ ୭ଟି ଘଡ଼ିଆଳ କୁମ୍ଭୀର ଥିବା ଜଣାପଡିଥିଲା ।

ତେବେ ଗଣ୍ଡର ମଧ୍ୟଭାଗ କଟ୍ରଙ୍ଗ ଏବଂ ବାଲିପୁଟ ଅଂଚଳରୁ କିଛି କୁମ୍ଭୀରଅଣ୍ଡା ମଧ୍ୟ ମିଳିଥିଲା । ବୌଦ୍ଧ ଜିଲାର ମର୍ଜ୍ଜାକୁଦ ନିକଟରେ ମହାନଦୀରୁ ଏକ ଘଡ଼ିଆଳର ମୃତଦେହ ମିଳିଥିଲା । ୨୦୧୯ ଜାନୁଆରୀ କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ସାତକୋଶିଆ ଗଣ୍ଡରେ ୭ଟି ଘଡ଼ିଆଳ ସହିତ ୬୪ଟି ମଗର ପ୍ରଜାତିର କୁମ୍ଭୀର ଥିବା ଜଣାପଡିଛି । ସେହିପରି ଚଳିତବର୍ଷ ଜାନୁଆରୀରେ ଗଣନା ପରେ ଗଣ୍ଡରେ ବିଭିନ୍ନ ପ୍ରଜାତିର ୧୦୨ଟି କୁମ୍ଭୀର ଥିବା ଜଣାପଡିଛି । ଗତ ଜାନୁଆରୀରେ ଅନୁଗୋଳ ବନ୍ୟପ୍ରାଣୀ ବନଖଣ୍ଡ ପଟୁ ୬ଟି ମାଈ ଘଡିଆଳ ଛଡାଯାଇଥିଲା । ପୁଣି ଫେବୃଆରୀରେ କୁଶଙ୍ଗ ପଟୁ ୬ଟି ମାଈ ଘଡ଼ିଆଳ ଛଡାଗଲା।  ଏବେ ସାତକୋଶିଆ ଗଣ୍ଡରେ ୧୩ଟି ଘଡ଼ିଆଳ କୁମ୍ଭୀର ଥିବା ଜଣାପଡିଛି । ତେବେ କୋର୍‌ ଏରିଆରେ ଅବାଧ ମାଛମରା ଓ ମୋଟରଡଙ୍ଗା ଚଳପ୍ରଚଳ ଘଡ଼ିଆଳ ବଂଶବୃଦ୍ଧିରେ ଅନ୍ତରାଳ ସୃଷ୍ଟି କରୁଛି । ତେଣୁ ଏଠାରେ ଆଶାତୀତ ଭାବେ କୁମ୍ଭୀରବଂଶ ବୃଦ୍ଧି ହେଉ ନ ଥିବା ଏହା ମୁଖ୍ୟକାରଣ ବୋଲି ପରିବେଶବିତ୍‌ମାନେ କହୁଛନ୍ତି ।

ଏହାବ୍ୟତୀତ ଘଡ଼ିଆଳଙ୍କ ରକ୍ଷଣାବେକ୍ଷଣା ପାଇଁ ନିଯୁକ୍ତ ହୋଇଥିବା ଜଗୁଆଳିଙ୍କୁ ମହାନଦୀ ତଟରୁ କଢାଯାଇ ଜଙ୍ଗଲ ଜଗୁଆଳି ଭାବେ ନିଯୁକ୍ତ କରାଯାଇଛି । ତେଣୁ ଘଡ଼ିଆଳ ପ୍ରକଳ୍ପ ଏଠାରେ ବିଫଳ ହୋଇଛି ।ଏବେ ଟିକରପଡା ସ୍ଥିତ ଗବେଷଣା ଏବଂ ସଂରକ୍ଷଣ ୟୁନିଟ୍‌ରେ ମାତ୍ର ୪ଟି ଘଡ଼ିଆଳ ଏବଂ ୫ଟି ମଗର ପ୍ରଜାତିର କୁମ୍ଭୀର ଅଛନ୍ତି । ଏମାନଙ୍କ ପାଇଁ ୩ଜଣ ଜଗୁଆଳି ଓ ଜଣେ ଡାକ୍ତର ନିଯୁକ୍ତ ଅଛନ୍ତି । ୪୫ ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପରୁ ଆଶାଜନକ କୁମ୍ଭୀର ବୃଦ୍ଧି ହୋଇ ନ ଥିବାରୁ ପ୍ରକଳ୍ପଟି ଫେଲ୍‌ ହୋଇଥିବା ଜିଲାସାରା ଚର୍ଚ୍ଚା ହେଉଛି ।

ଘଡ଼ିଆଳ କୁମ୍ଭୀର ବିଷୟରେ ପଦେ…
ଘଡ଼ିଆଳ କୁମ୍ଭୀରକୁ ଦେଶୀଭାଷାରେ ଥଣ୍ଟିଆ କୁମ୍ଭୀର କୁହାଯାଏ। ଅନ୍ୟ କୁମ୍ଭୀର ତୁଳନାରେ ଏମାନେ କମ୍‌ହିଂସ୍ର । ସହଜେ ଏମାନେ କାହାର କ୍ଷତି କରନ୍ତି ନାହିଁ । ଘଡ଼ିଆଳ ବଂଶବୃଦ୍ଧି ପରିବେଶ ଉପରେ ଇକୋଲୋଜିକାଲ ବାତାବରଣ ସୃଷ୍ଟି କରିଥାଏ। କମ୍‌ ଗତି କରୁଥିବା ଅକାତିଆ ଏବଂ ରୋଗଗ୍ରସ୍ତ ମାଛ ଘଡ଼ିଆଳର ପ୍ରମୁଖ ଖାଦ୍ୟ । ତେଣୁ ଘଡ଼ିଆଳ ରହୁଥିବା ସ୍ଥାନରେ ରୋହି, ଭାକୁର, ମୀର ଭଳି ସୁଆଦିଆ ମାଛ ନିଜ ବଂଶବୃଦ୍ଧି କରିଥାନ୍ତି । ଘଡ଼ିଆଳର ଓଜନ ୬୦ରୁ ୭୦ କେଜି ପର୍ୟ୍ୟନ୍ତ ଏବଂ ଲମ୍ବ ୧୨ ଫୁଟ ପର୍ଯ୍ୟନ୍ତ ରହିଥାଏ ।

 

Comments are closed.