କଟକ/ଚାନ୍ଦବାଲି: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାେର ଅନେକ ସତ ସାମ୍ନାକୁ ଆସିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିପାରିନି ତଦନ୍ତକାରୀ ସଂସ୍ଥା। ହତ୍ୟାକାଣ୍ଡର କାରଣ କୁହାଯାଉଥିବା ମୋମୋରି ଚିପ୍ କିମ୍ବା ସେଥିରେ ଥିବା ତଥ୍ୟ ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହାତରେ ଲାଗିନି। ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ଯ୍ୟାଳୟରେ ବ୍ୟବହୃତ କମ୍ପ୍ୟୁଟରକୁ ଜବତ କରିବା ସହ ବୈଷୟିକ ଦଳ ସେଥିରୁ ଡିଲିଟ୍ କରାଯାଇଥିବା ତଥ୍ୟ ଫେରିପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ମାନସଠାରୁ ମୋମେରି ଚିପ୍ ନେବା ପରେ ଶର୍ମିଷ୍ଠା ଏହାକୁ ନଷ୍ଟ କରିଦେଇଛନ୍ତି ନା ରଖିଛନ୍ତି ଏହା ସ୍ପଷ୍ଟ ଭାବେ ଜଣାପଡି ନାହିଁ।
ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ୱେବ ପୋର୍ଟାଲ କାର୍ଯ୍ୟାଳୟରୁ ଅନେକ ଗୁଡିଏ ତଥ୍ୟ ମିଳିଛି। ବିଶେଷ କରି ସେଠାରୁ ଏକ ନୋଟ୍ବୁକ୍ରେ ଥିବା ବହୁ ଲୋକଙ୍କ ମୋବାଇଲ ନମ୍ବର, କେତେକ ଯୁବତୀଙ୍କ ବାୟୋଡାଟା, ଫଟୋ ଜବତ କରାଯାଇଛି। ଯେଉଁଥିରେ କି କେତେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ଶର୍ମିଷ୍ଠାଙ୍କ ସହ ସେମାନଙ୍କର କେଉଁ ପ୍ରକାର ସମ୍ପର୍କ ରହିଥିଲା ଏହାର ଖୋଳତାଡ ଆରମ୍ଭ କରିଛି କ୍ରାଇମ୍ବାଞ୍ଚ। ରବିବାର ୪ ଜଣ ଅଭିଯୁକ୍ତଙ୍କ ଜିମା ଅବଧି ଶେଷ ହୋଇଥିଲା। କ୍ରାଇମବ୍ରାଞ୍ଚ ପୁନଶ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନୁକୁ ୩ ଦିନଆ ଜିମାରେ ଆଣିଛି। ସେମାନଙ୍କ ନିକଟରୁ ଆହୁରି ବହୁ ନୂଆ ତଥ୍ୟ ମିଳବ ବୋଲି ଆଶା କରାଯାଉଛି।
ମାନସ ହତ୍ୟା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ୫ଦନିଆ ଜିମାରେ ଆଣି ଜେରା ଚଳାଇଥିଲା କ୍ରାଇମବ୍ରାଞ୍ଚ। ରବିବାର ଅପରାହ୍ଣରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଶର୍ମିଷ୍ଠା, ଝୁନୁ, ନିରଞ୍ଜନ ଓ ରଞ୍ଜନକୁ ଚାନ୍ଦବାଲି ଜେଏମଏଫସି ଅଦାଲତରେ ହାଜର କରିଥିଲା। ଏଥିପାଇଁ ଚାନ୍ଦବାଲି ଅଦାଲତ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଆଉ ୫ଦିନ ଜିମାରେ ନେବା ଲାଗି କ୍ରାଇମବ୍ରାଞ୍ଚ ଅଦାଲତଙ୍କ ନିକଟରେ ନିବେଦନ କରିଥିଲା। ଅଦାଲତ କେବଳ ଶର୍ମିଷ୍ଠା ଓ ଝୁନୁଙ୍କୁ ୩ଦିନିଆ ଜିମାରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଅଦାଲତଙ୍କ ନିର୍ଦେଶ କ୍ରମେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
୭ତାରିଖରେ ଶର୍ମିଷ୍ଠା ଓ ଝୁନୁଙ୍କୁ ଅଦାଲତରେ ହାଜର କରିବାକୁ ଅଦାଲତ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ଶର୍ମିଷ୍ଠା ଦୋଷ ମାନି ସାରିଥିବା ବେଳେ ନିରଞ୍ଜନ ମଧ୍ୟ ହତ୍ୟାକାଣ୍ଡରେ ନିଜର ସମ୍ପୃକ୍ତିକୁ ସ୍ୱୀକାର କରିସାରିଛି। ଅପହରଣଠାରୁ ହତ୍ୟା ଓ ପରେ ଶବ ପୋତିବା ଯାଏ ସବୁ କିଛିର କ୍ରାଇମ ସିନ ରିକ୍ରିଏସନ ସାରିଛି କ୍ରାଇମବ୍ରାଞ୍ଚ। ଯେଉଁ ମେମୋରି ଚିପ୍ ପାଇଁ ହତ୍ୟାକାଣ୍ଡ ଘଟିଗଲା ତାହା ତଦନ୍ତକାରୀ ଦଳ ହାତରେ ଲାଗିନାହିଁ। ମେମୋରି ଚିପ୍ ହାତେଇବା ଲାଗି ଅଭିଯୁକ୍ତଙ୍କୁ ଆହୁରି ଅଧିକ ଜେରାର ଆବଶ୍ୟକତା ରହିଥିବା ଅନୁଭବ କରି ୪ଜଣ ଅଭିଯୁକ୍ତଙ୍କୁ ପୁନଶ୍ଚ ଜିମାରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା। ଅଦାଲତ ଦୁଇ ଜଣଙ୍କୁ ଜିମାରେ ନେବାକୁ ଅନୁମତି ଦେଇଥିବା ବେଳେ ସେମାନଙ୍କଠାରୁ କ୍ରାଇମବ୍ରାଞ୍ଚ କି ତଥ୍ୟ ହାସଲ କରୁଛି, ମେମୋରି ଚିପ୍ ତଦନ୍ତକାରୀ ଦଳ ହାତରେ ଲାଗୁଛି କି ନାହିଁ ତାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି।



