ଭୁବନେଶ୍ବର: ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ କଳକାରଖାନାମାନ ଗଢ଼ି ଉଠୁଛି। ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁମଣ୍ଡଳର ଓଜନସ୍ତର ଉପରେ ପ୍ରଭାବ ପକାଉଛି। ଏହାଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାନବ, ଜୀବ ଏବଂ ପ୍ରାଣୀଜଗତ ଉପରେ ପ୍ରଭାବ ପଡ଼ିବା ସହିତ ପରିବେଶ ପ୍ରଦୂଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଗାମୀ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳମୁକ୍ତ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଛି। ଆଗାମୀ ୨୦୭୦ ସୁଦ୍ଧା ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଆଧାରିତ ସମସ୍ତ ସେବା କରାଯିବାକୁ ଲକ୍ଷ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଶିଳ୍ପ, କୃଷିଶିଳ୍ପଭିତ୍ତିକ, ରେଳବାଇ ପ୍ରଭୃତି କ୍ଷେତ୍ରରେ ଅଙ୍ଗାରକାମ୍ଳମୁକ୍ତ ଶକ୍ତି ବ୍ୟବହାର କରାଯିବ। କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଅକ୍ଷୟ ଓ ସବୁଜ ଶକ୍ତିର ସମ୍ପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଙ୍ଗାରକାମ୍ଳମୁକ୍ତ ଶକ୍ତି ଉତ୍ପାଦନ ଓ ବିନିଯୋଗ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶକ୍ତି ଉତ୍ପାଦନ, ପରିବହନ, ଶିଳ୍ପ, କୃଷିଭିତ୍ତିକ ଶିଳ୍ପକୁ କିଭଳି ଅଙ୍ଗାରକାମ୍ଳ ବିହୀନ କରାଯାଇ ପାରିବ ତା’ ଉପରେ ଗୁରୁତ୍ବ ଦିଆଯାଇଥିଲା। ଆଗାମୀ ଦିନରେ ସୌରଶକ୍ତି କିମ୍ବା ପବନଚାଳିତ ଶକ୍ତିର ବ୍ୟବହାର କରାଯାଇ ଶକ୍ତି ଚାହିଦା ପୂରଣ କରାଯିବ। ଏହାସହିତ ଶକ୍ତି ସଂରକ୍ଷଣ କରିବା ଏବଂ କୃଷିଭିତ୍ତିକ ଶିଳ୍ପକୁ୨୦୨୪ ସୁଦ୍ଧା ଅଙ୍ଗାରକାମ୍ଳ ମୁକ୍ତ କରାଯିବ। ଆଗାମୀ ଦିନରେ କିଭଳି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ପ୍ରତିଷ୍ଠା ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ରାଜ୍ୟରେ ଯେତେସବୁ କୃଷିଭିତ୍ତିକ ପ୍ରକଳ୍ପ ରହିଛି ସେଥିରେ ଯେପରି ଷ୍ଟାର ରେଟିଂ ପମ୍ପସେଟ୍ ଲାଗିବ ସେଥିପ୍ରତି ଗୁରୁତ୍ବ ଦିଆଯିବ, ଯଦ୍ବାରା ଆଗାମୀ ଦିନରେ ସେହିସବୁ ପ୍ରକଳ୍ପ ଅଙ୍ଗାରକାମ୍ଳମୁକ୍ତ ହୋଇପାରିବ।
ବୈଠକର ସୂଚନା ଅନୁଯାୟୀ ଆଗାମୀ ୨୦୩୦ ସୁଦ୍ଧା ଦେଶରେ ଅକ୍ଷୟଶକ୍ତି ଉତ୍ସରୁ ୫୦୦ ଗିଗା ୱାଟ୍ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରହିଛି। ଯାହାଦ୍ବାରା ଦେଶର ଅଙ୍ଗାରକାମ୍ଳ ନିର୍ଗମନ ୫୦ପ୍ରତିଶତ ହ୍ରାସ ପାଇବ। ଏହାସହିତ ପ୍ରଚଳିତ ଶକ୍ତି ନୀତିରେ କେତେକ ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ‘ପିଏମ-କୁସୁମ’ ଯୋଜନାରେ ଡିଜେଲ ପମ୍ପ ବ୍ୟବହାର କରାଯିବ ନାହିଁ। ପ୍ରତ୍ୟେକ ପମ୍ପିଂ କେନ୍ଦ୍ର ଓ ବର୍ଜ୍ୟ ନିଷ୍କାସନ ପ୍ରକଳ୍ପଗୁଡ଼ିକରେ ଅଙ୍ଗାରକାମ୍ଳବିହୀନ ଶକ୍ତି ବ୍ୟବହାର କରାଯିବ। ଯେଉଁସବୁ କୃଷିଶିଳ୍ପରେ ଡିଜେଲ ପମ୍ପ ଓ ଦକ୍ଷତା ବିହୀନ ଶକ୍ତି ଦ୍ବାରା ଚାଳିତ ହେଉଛି ତାହାକୁ ପରିବର୍ତ୍ତନ କରାଯିବ। ବୈଦ୍ୟୁତିକ ଯାନ ଓ ଏହାର ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବା ସହିତ ସବୁଜ ଶକ୍ତି ଦର ଧାର୍ଯ୍ୟ ଉପରେ ମୁଖ୍ୟସଚିବ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି।
ପରିବେଶ ସୁରକ୍ଷା ଚିନ୍ତା; ତାପଜ ବିଦ୍ୟୁତ୍ ପ୍ଲାଣ୍ଟରେ ଲାଗିବ ପ୍ରତିବନ୍ଧକ
Popular Categories



