ମୁମ୍ବଇ: ସାଧାରଣତଃ ବିବାହ ବିଚ୍ଛେଦ କ୍ଷେତ୍ରରେ ସ୍ବାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ବାବଦରେ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଥାଏ। କିନ୍ତୁ ନିକଟରେ ମହାରାଷ୍ଟ୍ରର ନାନ୍ଦେଡ୍ ଜିଲାର ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠ ଭିନ୍ନ ଏକ ରାୟ ଶୁଣାଇଛନ୍ତି। ଏଠି ସ୍ୱାମୀକୁ ନୁହେଁ; ବରଂ ସ୍ତ୍ରୀକୁ ଦେବାକୁ ପଡିବ ଭରଣପୋଷଣ ବାବଦ ଖର୍ଚ୍ଚ। ସ୍ଥାନୀୟ ଅଦାଲତଙ୍କ କେତେକ ରାୟକୁ କାଏମ ରଖି ହାଇକୋର୍ଟ ଚାକିରିଆ ପତ୍ନୀଙ୍କୁ ପାଲଟା ଭରଣପୋଷଣ ଅର୍ଥ ଅଲଗା ରହୁଥିବା ସ୍ବାମୀଙ୍କୁ ପ୍ରତି ମାସରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ମହିଳା ଜଣକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ତାଙ୍କ ଦରମାରୁ ମାସିକ ୩ ହଜାର ଲେଖାଏଁ ଟଙ୍କା ସ୍ବାମୀଙ୍କୁ ମାସିକ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ବାବଦରେ ପ୍ରଦାନ କରିବାକୁ ଅଦାଲତ କରିଛନ୍ତି। ଅଦାଲତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ସେ ପ୍ରତିମାସରେ ଉକ୍ତ ଶିକ୍ଷୟିତ୍ରୀଙ୍କ ଦରମାରୁ ୫ ହଜାର ଲେଖାଏଁ କାଟି ତାହାକୁ ଅଦାଲତରେ ଦାଖଲ କରିବେ। ଆଉ ଏହି ଅର୍ଥରୁ ୩୦୦୦ ଲେଖାଏଁ ମାସିକ ଓ ଅବଶିଷ୍ଟ ୨ ହଜାର ଲେଖାଁଏ ୨୦୧୭ରୁ ବକେୟା ବାବଦରେ ଅର୍ଥ ସଂପୃକ୍ତ ସ୍ବାମୀଙ୍କୁ ଦିଆଯିବ। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛନ୍ତି।
ମାମଲା ଅନୁଯାୟୀ, ୧୯୯୨ ଏପ୍ରିଲ ୧୭ରେ ଉଭୟ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ପତ୍ନୀ ଅଦାଲତକୁ ସ୍ୱାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଯାହାକୁ ୨୦୧୫ ମସିହାରେ ସ୍ଥାନୀୟ କୋର୍ଟ ଅନୁମତି ଦେଇଥିଲେ। ଛାଡପତ୍ର ପରେ ସ୍ୱାମୀ ନାନ୍ଦେଡର ନିମ୍ନ ଅଦାଲତରେ ଏକ ଆବେଦନ ଦାଖଲ କରି କହିଥିଲେ ଯେ, ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ; ହେଲେ ପତ୍ନୀଙ୍କର ଚାକିରି ଅଛି। ଯାହାକୁ ଦୃଷ୍ଟିରେ ରଖି ସେ ପତ୍ନୀଙ୍କ ଠାରୁ ମାସିକ ୧୫,୦୦୦ ଟଙ୍କା ସ୍ଥାୟୀ ଭରରଣପୋଷଣ ଦାବି କରିଥିଲେ। ସ୍ୱାମୀଙ୍କ ଯୁକ୍ତି ଥିଲା ଯେ ତାଙ୍କର ଚାକିରୀ ନଥିବା ବେଳେ ତାଙ୍କ କିନ୍ତୁ ପତ୍ନୀ ଶିକ୍ଷିତା। ତାଙ୍କ ପତ୍ନୀଙ୍କୁ ଶିକ୍ଷିତ କରିବାକୁ ସେ ଅନେକ କଷ୍ଟ ସ୍ବୀକାର କରିଥିବା ଓ ବିବାହ ପରେ ତାଙ୍କୁ ଅଧିକ ପାଠ ପଢାଇବା ସହ ଚାକିରି କରାଇବା ଯାଏଁ ଅନେକ କଷ୍ଟ ସହିଛନ୍ତି । ଏପରିକି ନିଜ ଇଚ୍ଛାକୁ ପଦଦଳିତ କରି ତାଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ଏପରିକି ଘରର ଯାବତୀୟ କାର୍ଯ୍ୟ ମଧ୍ୟ ସେ ନିଜେ କରିଥାନ୍ତି। ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଥିବାରୁ ଏବେ ତାଙ୍କ ଶରୀର ଅସୁସ୍ଥ ରହୁଥିବା ସ୍ବାମୀ ଆବେଦନରେ ଦର୍ଶାଇଥିଲେ। ତାଙ୍କ ପତ୍ନୀ ମାସକୁ ୩୦ ହଜାର ରୋଜଗାର କରନ୍ତି। ତେଣୁ ସେ ପତ୍ନୀଙ୍କ ଠାରୁ ଭରଣପୋଷଣ ଦାବି କରିଥିଲେ। ସ୍ୱାମୀଙ୍କ ଏପରି ଆବେଦନକୁ ସ୍ତ୍ରୀ ଚାଲେଞ୍ଜ କରିଥିଲେ। ଯେହେତୁ ସେ ଝିଅର ସମସ୍ତ ଦାୟିତ୍ବ ନେଇଛନ୍ତି ତେଣୁ ମାସିକ ଏତେ ଟଙ୍କା ଦେବାକୁ ଅସମର୍ଥ ବୋଲି ପତ୍ନୀ ପାଲଟା ଦର୍ଶାଇଥିଲେ। ତେବେ ଘଟଣାର ଅନୁସନ୍ଧାନ ଓ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସ୍ୱାମୀଙ୍କୁ ମାସିକ ୩୦୦୦ ଟଙ୍କା ଭରଣପୋଷଣ ଖର୍ଚ୍ଚ ସ୍ତ୍ରୀ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଔରଙ୍ଗାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ମୁତାବକ, ହିନ୍ଦୁ ବିବାହ ଆଇନ ଧାରା ୨୪ ଓ ୨୫ ଅନୁଯାୟୀ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ ଯଦି କୌଣସି ଜଣଙ୍କର ଆର୍ଥିକ ସ୍ଥିତିି ଭଲ ନଥାଏ ତେବେ ଜଣେ ଅନ୍ୟକୁ ଭରଣପୋଷଣ ଦେବାକୁ ବାଧ୍ୟ। ଏହି ଆଧାରରେ ବମ୍ବେ ଉଚ୍ଚ ନ୍ୟାୟାଳୟ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।



